୧୧୭୭ କୋଟି ଟଙ୍କା ପୁଞ୍ଜିନିବେଶ, ୬ଠ୩୨ ନିଯୁକ୍ତି

19

୯ ପ୍ରସ୍ତାବକୁ ସିଙ୍ଗିଲ୍ ୱିଣ୍ଡୋ କମିଟିର ଅନୁମୋଦନ
ଭୁବନେଶ୍ୱର, ୪ା୧(ବୁ୍ୟରୋ): ଶିଳ୍ପାୟନ ଓ ନିଯୁକ୍ତ ସୃଷ୍ଟିରେ ରାଜ୍ୟ ଆଉ ପାଦେ ଆଗେଇଛି । ପ୍ରସ୍ତାବିତ ୯ ପ୍ରକଳ୍ପକୁ ସିଙ୍ଗିଲ୍ ୱିଣ୍ଡୋ କମିଟି ଅନୁମୋଦନ କରିଛନ୍ତି । ବିଶେଷକରି ସାନିଟାରୀ ୱେର୍, ସୌର ଶକ୍ତି, ଖାଦ୍ୟପ୍ରକ୍ରିୟାକରଣ, ସ୍ୱାସ୍ଥ୍ୟ ସେବା, ବିଦୁ୍ୟତ୍ ଉପକରଣ ଓ ଆଇଟି ପ୍ରକଳ୍ପ ପ୍ରତିଷ୍ଠା କରାଯିବ । ଏସବୁ ପ୍ରକଳ୍ପ ବାବଦକୁ ମୋଟ ୧୧୭୭ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ । ଏହା ଦ୍ୱାରା ରାଜ୍ୟର ୬୦୩୨ ବେକାର ଯୁବକ ଯୁବତୀ ନିଯୁକ୍ତି ସୁଯୋଗ ପାଇପାରିବେ । ଏହି ପ୍ରକଳ୍ପଗୁଡିକୁ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟି ମାଧ୍ୟମରେ ଅନୁମୋଦନ ମିଳିଛି ।
ଶୁକ୍ରବାର ସଚିବାଳୟରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା ପ୍ରସ୍ତାବିତ ପ୍ରକଳ୍ପ ପ୍ରସଙ୍ଗରେ ଉପସ୍ଥାପନ କରିଥିଲେ । ନିକଟରେ ରାଜ୍ୟ ସରକାରଙ୍କ ଗୋ-ସ୍ୱିଫ୍ଟ ପୋର୍ଟାଲ୍ ୫୦୦ ନିବେଶ ପ୍ରସ୍ତାବ ବର୍ଷକ ମଧ୍ୟରେ ଗ୍ରହଣ କରିଛି । ୫ଠଠ ତମ ପ୍ରସ୍ତାବ ଭାବେ ଗୁରୁଗ୍ରାମଭିତ୍ତିିକ କମ୍ପାନିର ପ୍ରସ୍ତାବ ଗ୍ରହଣ କରାଯାଇଛି । ଉକ୍ତ କମ୍ପାନି କଟକରେ ୩୫ଠ କୋଟିର ପୁଞ୍ଜିନିବେଶ କରି ବାର୍ଷିକ ୧ଲକ୍ଷ ୩ଠ ହଜାର ଟନ୍ କ୍ଷମତା ବିଶିଷ୍ଟ ଗ୍ଲାସ୍ କଣ୍ଟେନର୍ ଉତ୍ପାଦନ କରିବ । ଏଥିରେ ୧୨ଠଠ କର୍ମନିଯୁକ୍ତି ସୃଷ୍ଟି ହେବ । ସେହିଭଳି କଟକ ରାମଦାସପୁରରେ ୧୦୦ କୋଟି ଟଙ୍କାରେ ପ୍ରସ୍ତାବିତ ଗ୍ରୀନ୍ ଫିଲ୍ଡ ପ୍ରକଳ୍ପ ପ୍ରତିଷ୍ଠା ହେବ । ପ୍ରସ୍ତାବିତ ପ୍ରକଳ୍ପ ମାଧ୍ୟମରେ ୧୫୬୦ ନିଯୁକ୍ତି ସୃଷ୍ଟି ହୋଇପାରିବ । ଯାଜପୁରରେ ପ୍ରସ୍ତାବିତ ବୈଦୁ୍ୟତିକ ଗାଡି ଉତ୍ପାଦନ ପ୍ରକଳ୍ପ ମାଧ୍ୟମରେ ୫୨.୪୧ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ । ଏହି ପ୍ରକଳ୍ପ ମାଧ୍ୟମରେ ସିଧାସଳଖ ୧୧୨ ନିଯୁକ୍ତି ସୃଷ୍ଟି ହେବ । ହୀରାକୁଦଠାରେ ୬୦ କୋଟି ଟଙ୍କା ପୁଞ୍ଜିନିବେଶରେ କୋଇଲା ପ୍ରକଳ୍ପ ପ୍ରତିଷ୍ଠା କରାଯିବ । ଏହି ପ୍ରକଳ୍ପ ମାଧ୍ୟମରେ ୨୦ ନିଯୁକ୍ତି ସୃଷ୍ଟି ହେବ ।
ସେହିଭଳି ପୁରୀ ସାତପଡାରେ ୧୨୫ କୋଟି ଟଙ୍କା ପୁଞ୍ଜିନିବେଶ ପସ୍ତାବ, ଯାଜପୁରରେ ୭୫ କୋଟି ଟଙ୍କା ନିବେଶରେ ମୋବାଇଲ ଉତ୍ପାଦ ପ୍ରକଳ୍ପ, ବରଗଡ଼ ଓ ଗଞ୍ଜାମ ଜିଲ୍ଲାରେ ଭାରତ ପ୍ରେଟ୍ରୋଲିୟମ ପକ୍ଷରୁ ୩୫୦ କୋଟି ଟଙ୍କାର ଦୁଇଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ବୈଠକରେ ଉନ୍ନୟନ କମିଶନର ଅସୀତ କୁମାର ତ୍ରୀପାଠୀ, ଜଙ୍ଗଲ ଓ ପରିବେଶ ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଏମ୍ଏସ୍ଏମ୍ଇ ଅତିରିକ୍ତ ମୁଖ୍ୟ ସଚିବ ଏଲଏନ୍ ଗୁପ୍ତାଙ୍କ ସମେତ ସମସ୍ତ ବିଭାଗୀୟ ସଚିବ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com