ସମ୍ଭାବନାର ବର୍ଷ

29

ଭୁବନେଶ୍ୱର(ଶାରଦା ଦେବତା): ଧରାପୃଷ୍ଠରୁ ବିଦାୟ ନେଇଛି ୨୦୧୮ । ଅନେକ ସମ୍ଭାବନା, ଆଶା, ଆଶଙ୍କା, ନିଶ୍ଚିତ ଓ ଅନିଶ୍ଚିତତା ଆଦିର ସମ୍ଭାର ନେଇ ଅବତରଣ କରିଛି ୨୦୧୯ । ଏଥର ନୂଆବର୍ଷର ବିଶେଷ ସ୍ୱତନ୍ତ୍ରତା ରହିଛି । କାରଣ ବର୍ଷର ପ୍ରଥମ ମଧ୍ୟଭାଗ ସୁଦ୍ଧା ସାଧାରଣ ନିର୍ବାଚନ ସହ ଓଡ଼ିଶା ବିଧାନସଭାର ନିର୍ବାଚନ । ଉଭୟ ଦେଶ ଓ ରାଜ୍ୟ ପାଇଁ ଗୁରୁତ୍ୱ ବହନ କରୁଥିବା ଏହି ବର୍ଷଟି ରାଜନୈତିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଦୀର୍ଘ ୪ ବର୍ଷର ରାଜନୈତିକ ଦଳର କାର୍ଯ୍ୟକଳାପର ମୂଲ୍ୟାୟନ କରିବେ କୋଟି କୋଟି ଭୋଟର । କାହାକୁ ଗାଦି ମିଳିପାରେ, କିଏ ପୂର୍ଣ୍ଣ କ୍ଷମତାସୀନ ହୋଇପାରେ ପୁଣି କାହାକୁ ବି ଲୋକ ପ୍ରତ୍ୟାଖ୍ୟାନ କରିପାରନ୍ତି । ଏଭଳି ଏକ ଆଶା ଆଶଙ୍କାରେ ଛନ୍ଦି ଦେବାକୁ ଆସୁଛି ୨୦୧୯ ।
୨୦୧୮ରେ ସବୁ ରାଜନୈତିକ ଦଳକୁ ଲାଗିଥିଲା ଅନେକ ତିକ୍ତ ଓ ମଧୁର ଅନୁଭୂତି । ସବୁଦଳରେ ଗୋଷ୍ଠୀ କନ୍ଦଳ, କ୍ଷମତା ପାଇଁ ଭିଡ଼ାଭିଡ଼ି । ବଳ କଷାକଷି ଓ ପରସ୍ପର ମଧ୍ୟରେ ବିଶୋଦ୍ଗାରରେ ୨୦୧୮ ବିତି ଯାଇଥିଲା । ୨୦୧୮ରେ ମଧ୍ୟ ଅନେକ ପଟ୍ଟପରିବର୍ତ୍ତନ ହୋଇଛି । ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନଙ୍କୁ ବାହାର କରିବାରେ ସଫଳ ହୋଇଥିଲେ ପଟ୍ଟନାୟକ ଗୋଷ୍ଠୀ । ନିରଞ୍ଜନ ପଟ୍ଟନାୟକ ସଭାପତି ଦାୟିତ୍ୱ ନେଇଛନ୍ତି । ସେହିଭଳି ବିଜେପିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେବି ଅଘୋଷିତ କ୍ଷମତାର କେନ୍ଦ୍ରବିନ୍ଦୁ ହୋଇ ରହିଛନ୍ତି । ୨୦୧୮ର ଶେଷ ଭାଗକୁ ବିଜେପିର ଦୁଇ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଦଳ ଛାଡ଼ିବାର ପ୍ରଭାବ ଯଦିଓ ବିଜେପି ଉପରେ ପଡ଼ିଛି ତେବେ ତାହାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସମେତ ତାଙ୍କ କୋଟାରୀ ମାନିବାକୁ ନାରାଜ ।
୨୦୧୮ରେ ଅନେକ ନୂଆ ଘଟଣା ଘଟିଛି । ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କିସ୍ ଓ କିଟ୍ର ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ରାଜନୀତିରେ ପାଦ ଦେଇଛନ୍ତି । ବିଜୁ ଜନତା ଦଳରେ ମିଶି ରାଜ୍ୟସଭାକୁ ଯାଇଛନ୍ତି । ସେହିଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜାମାତା ସୌମ୍ୟରଞ୍ଜନ ପଟ୍ଟନାୟକ ଦଳ ପରିବର୍ତ୍ତନ କରି ରାଜ୍ୟସଭା ସଦସ୍ୟ ହୋଇଛନ୍ତି । ଏକଦା ନବୀନଙ୍କ ଦୃଢ଼ ସମାଲୋଚକ ଥିବା ସୌମ୍ୟ ଏବେ ବିଜେଡି ଓ ନବୀନଙ୍କ ସ୍ତୁତି ଗାନ କରୁଛନ୍ତି । ସେହିଭଳି ବିଜେଡିରେ ବି ଅନେକ ବିଲକ୍ଷଣ ଦେଖାଦେଇଛି । ବହୁ ନେତା ଦଳ ଛାଡ଼ିଛନ୍ତି, ଆଉ କିଛି ନେତା ବି ଆସି ମିଶିଛନ୍ତି । ବିଜେଡିରେ ଅବସର ପ୍ରାପ୍ତ ପ୍ରଶାସକଙ୍କର ଏକ ଫଉଜ ତିଆରି ହୋଇଛି । ବିଭିନ୍ନ ଦଳରେ ମଧ୍ୟ ଅବସରପ୍ରାପ୍ତ ପ୍ରଶାସକ ଯୋଗଦେଇଛନ୍ତି । ତେବେ ୨୦୧୮ ବିଜେଡି ପାଇଁ ବେଶ୍ ସଫଳତା ଆଣିଥିଲା । ୨୦୧୭ ପଞ୍ଚାୟତ ନିର୍ବାଚନରେ ଯେଉଁଭଳି ବିଜେଡିର ଦୁର୍ଗଗୁଡ଼ିକୁ ବିଜେପି ଧ୍ୱସ୍ତବିଧ୍ୱସ୍ତ କରିଥିଲା ୨୦୧୮ରେ ବିଜେପୁର ଉପନିର୍ବାଚନ, ଯାଜପୁର ଜିଲ୍ଲାପରିଷଦ ଜୋନ୍ ଉପନିର୍ବାଚନ ସର୍ବଶେଷରେ ବିଜିତୋଳା ଜିଲ୍ଲାପରିଷଦ ଉପନିର୍ବାଚନର ବିଜୟ ବିଜେଡିର କ୍ଷତର ଭରଣା କରିଛି ।
୨୦୧୯ ହେଉଛି ରାଜନୈତିକ ଦଳ ଲାଗି ଅମଳର ବର୍ଷ । ବିଗତ ୪ ବର୍ଷ ବିଶେଷକରି ୨୦୧୮ରେ ନେତାମାନେ ରାଜନୈତିକ ଦଳଗୁଡ଼ିକ ଯେଉଁଭଳି ଚାଷ କରିଥିବେ ତଦନୁଯାୟୀ ଅମଳ କରିବେ । ପାଣିପାଗ ଯଦି ଠିକ୍ଠାକ୍ ରୁହେ ପ୍ରାକୃତିକ ବିପର୍ଯ୍ୟୟ ନଆସେ ତାହେଲେ ଅମଳ ଭଲ ହେବ ବୋଲି ଏବେଠୁ ସବୁ ରାଜନୈତିକ ଦଳ ଆଶା ରଖିଛନ୍ତି । ଚାରିଥର ଲଗାତାର କ୍ଷମତାରେ ରହିବା ପରେ ୫ମଥର କ୍ଷମତାକୁ ଫେରିବା ପାଇଁ ୨୦୧୯ରେ ବିଜେଡି ସଂଘର୍ଷ କରିବ । ଯଦି ଦଳକୁ ୨୦୧୯ ନିର୍ବାଚନରେ କଡ଼ା ଟକ୍କର ମିଳିବାର ସମ୍ଭାବନା ରହିଛି । ତେବେ ପ୍ରତିପକ୍ଷମାନଙ୍କର ବିଜୟ ପାଇଁ ଆବଶ୍ୟକ ଥିବା ରଣନୀତି ସାଂଗଠନିକ ସ୍ଥିତି ଓ ଦକ୍ଷ ନେତୃତ୍ୱର ଅଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି । ଯାହା ବିଜେଡିକୁ ପୁନର୍ବାର କ୍ଷମତାକୁ ଫେରିବାରେ ସାହାଯ୍ୟ କରିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ପୋଷଣ କରୁଛନ୍ତି । ଅପରପକ୍ଷରେ ଜିଲ୍ଲା ପରିଷଦର ନିର୍ବାଚନର ସଫଳତା, ବ୍ୟବସ୍ଥା ବିରୋଧୀ ଭୋଟ ଓ ଅବକ୍ଷୟମୁଖୀ କଂଗ୍ରେସ ସଂଗଠନର ଫାଇଦା ନେଇ ବିଜେପି କ୍ଷମତାକୁ ଫେରିବ ବୋଲି ମଧ୍ୟ ଆଶା ବାନ୍ଧିଛି । ରାଜ୍ୟରେ ନବୀନଙ୍କ ସମକକ୍ଷ ନେତା କେହି ନଥିଲେ ବି ବିଜେପି ରାଷ୍ଟ୍ରୀୟ ନେତାମାନଙ୍କୁ ଓଡ଼ିଶାରେ ଆଣି ଦଳକୁ ବିକଳ୍ପ ଭାବେ ଠିଆ କରିବା ପାଇଁ ପ୍ରୟାଶ ଆରମ୍ଭ କରିଛି । ତେବେ ଏହି ମହମ୍ମଦ ଘୋରୀ ନୀତି ବିଜେପିକୁ କେତେଦୂର ସହାୟକ ହେବ ଏବଂ ଓଡ଼ିଶା ଭୋଟର ତାଙ୍କୁ କେତେଦୂର ଗ୍ରହଣ କରିବେ ତାହା ଆଗାମୀ ଦିନରେ ଜଣାପଡ଼ିବ । ସେହିଭଳି ଲଗାତାର ପରାଜୟର ସ୍ୱାଦ ଚାଖି ଆସୁଥିବା କଂଗ୍ରେସ ସଦ୍ୟ ସମାପ୍ତ ୫ ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ବେଶ୍ ଉତ୍ସାହିତ । ପାଞ୍ଚ ରାଜ୍ୟ ନିର୍ବାଚନର ଫଳାଫଳରୁ ଗୋଟିଏ ସଂକେତ ମିଳିଥିଲା ବ୍ୟବସ୍ଥା ବିରୋଧରେ ଜନମତ । ବିଜେପିର ଦୁର୍ବଳ ସାଂଗଠନିକ ସ୍ଥିତି ଥିବାରୁ ସେଠାରେ କଂଗ୍ରେସ ବିକଳ୍ପ ହୋଇଥିଲା । ମାତ୍ର ଏହାକୁ ଭାବି କଂଗ୍ରେସର ନେତାମାନେ ହାତବାନ୍ଧି ବସିଛନ୍ତି । କାମ କମ୍ ଆପେକ୍ଷା ଭାଷଣବାଜୀ ଜୋର୍ଦାର କରୁଛନ୍ତି । ହାୱା ଆସିବ ସେମାନେ ଜିତିବେ ବୋଲି ଦେଖୁଥିବା ସ୍ୱପ୍ନ କେତେଦୂର ପୂରଣ ହେବ ତାହାକୁ ନେଇ ପ୍ରଶ୍ନବାଚୀ ଉଠୁଛି ।

ସେଆର କରନ୍ତୁ:



Powered by odothemes.com