୩୧୬ ଜାତୀୟ ରାଜପଥ ଉଦ୍ଘାଟିତ

21

ପିପିଲି,୯ା୭(ଆପ୍ର): ଚାରିଲେନ୍ ବିଶିଷ୍ଟ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ-୩୧୬କୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ୍ ଗଡ଼କରୀ ଆଜି ଉଦ୍ଘାଟନ କରିଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ସାଂସଦ ପିନାକୀ ମିଶ୍ର, ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡ଼ା, ଭୁବନେଶ୍ୱର ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ପଞ୍ଚାୟତିରାଜମନ୍ତ୍ରୀ ଅରୁଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଉତ୍ସବକୁ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ଓ ପୂର୍ବତନ ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ଉଭୟ ଯୋଗ ଦେଇନଥିଲେ । ଜୁଏଲ୍ ରାଉରକେଲାରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ସେତୁକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ଥିବାରୁ ସେ ଏଥିରେ ଯୋଗ ଦେଇନଥିଲେ । ପୂର୍ବତନ ସାଂସଦ ପ୍ୟାରୀମୋହନ ୨୦୧୨ ମେ’ ୨୯ ବିଦ୍ରୋହ ପରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଗୋଟିଏ ମଞ୍ଚରେ ବସିବାର ସୁଯୋଗ ପାଇଥିଲେ ମଧ୍ୟ ସେ ଆସିନଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ-ଭୁବନେଶ୍ୱର ୨୦୩ନଂ ଜାତୀୟ ରାଜପଥର ପିପିଲି ବାଇପାସ୍ଠାରେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମିତ ଫ୍ଲାଏ ଓଭରବ୍ରିଜ୍କୁ ଉଦ୍ଘାଟନ କରିଥିଲେ । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଟୋଲ୍ ପ୍ଲାଜା ନିକଟରେ ଏହି ଉତ୍ସବର ଆୟୋଜନ କରାଯାଇଥିଲା । ଉତ୍ସବ ପାଇଁ ୧୯ ପ୍ଲାଟୁନ୍ ପୁଲିସ୍, ୫ଜଣ ଇନ୍ସପେକ୍ଟର ଓ ୫୦ଜଣ ଏସ୍ଆଇ/ଏଏସ୍ଆଇଙ୍କୁ ମୁତୟନ କରାଯାଇଥିଲା ।




Powered by odothemes.com