ରାଷ୍ଟ୍ରପତିଙ୍କ ପାଇଁ ଜବରଦଖଲମୁକ୍ତ | ସର୍ବସାଧାରଣ ଖବରକାଗଜ
IMG_3300

ରାଷ୍ଟ୍ରପତିଙ୍କ ପାଇଁ ଜବରଦଖଲମୁକ୍ତ

29

ଭୁବନେଶ୍ୱର,୭ା୭(ବୁ୍ୟରୋ): ରାଷ୍ଟ୍ରପତିଙ୍କ କିଟ ଗସ୍ତ ପୂର୍ବରୁ ରାସ୍ତା ସମ୍ପ୍ରସାରଣ ପାଇଁ ବିଏମ୍ସି, ବିଡିଏ, ସାଧାରଣ ପ୍ରଶାସନ, ରୋଡ ଆଣ୍ଡ ବିଲ୍ଡିଂ ଓ କମିଶନରେଟ ପୁଲିସ୍ର ମିଳିତ ଟିମ୍ ଆଜି ପଟିଆ ବିଗବଜାର ଛକରୁ କିଟ୍ ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାଶ୍ୱକୁ ଜବରଦଖଲ ମୁକ୍ତ କରିଛି । ଗସ୍ତ ପୂର୍ବରୁ ୪୦ଫୁଟ ରାସ୍ତାକୁ ସମ୍ପ୍ରସାରଣ କରି ୮୦ଫୁଟ ବିଶିଷ୍ଟ କରିବାକୁ ନିର୍ଦ୍ଧେଶ ରହିଥିଲା । ଉଚ୍ଛେଦ ବେଳେ ୨ଟି ଆଜବେଷ୍ଟସ୍ ଘର, ୧୫ଟି ପଲିଥିନ୍ ଆଚ୍ଛାଦିତ ଘର, ୧୦ଟି କ୍ୟାବିନ୍, ୭ଟି ବର୍ଦ୍ଧିତ ବାରଣ୍ଡା ସମେତ ଅନ୍ୟାନ୍ୟ ୧୫ ରୁ ୨୦ଟି ଅସ୍ଥାୟୀ ଦୋକାନ ଓ ଘର ଭଙ୍ଗାଯାଇଛି । ସେହିପରି ୨ଟି ଲେଖାଏଁ ଓମଫେଡ୍ ଓ ଓପଲଫେଡ୍ ବୁଥ୍ ଉଚ୍ଛେଦ ପାଇଁ ନୋଟିସ୍ ଜାରି ହୋଇଥିଲେ ମଧ୍ୟ ବିଏମସି ଦ୍ୱାରା ଥଇଥାନ ପରେ ଭଙ୍ଗାଯିବାକୁ ନିଷ୍ପତି ହୋଇଥିଲା । ଉଚ୍ଛେଦ ସମୟରେ ସାମାନ୍ୟ ବିରୋଧ ଦେଖିବାକୁ ମିଳିଥିଲା । ଲୋକେ ମିଳିତ ଟିମକୁ ଉଚ୍ଛେଦ ପାଇଁ ଅତିରିକ୍ତ ସମୟ ଦାବି କରିଥିଲେ । କିନ୍ତୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା ।
ଉଚ୍ଛେଦ କାର୍ଯ୍ୟରେ ବିଡିଏ, ବିଏମ୍ସି ଓ ରୋଡ ଆଣ୍ଡ ବିଲ୍ଡିଂ ବିଭାଗର ଗୋଟିଏ ଲେଖାଏଁ ଏକ୍ସକାଭେଟର ନିୟୋଜିତ ହୋଇଥିଲା । ଆଇନଶୃଙ୍ଖଳା ପରିସ୍ଥିତକୁ ଦୃଷ୍ଟିରେ ରଖି ଜୋନ୍ ଏସିପି ଫଗୁଆ ସିଂ ଓ ଇନଫୋସିଟି ଥାନା ଅଧିକାରୀ ମନୋଜ କୁମାର ସାମନ୍ତଙ୍କ ସମେତ ୧ ପ୍ଳାଟୁନ୍ ପୁରୁଷ ଏଆର୍ପି ପୁଲିସ୍, ଗୋଟିଏ ସେକ୍ସନ୍ ମହିଳା ଫୋର୍ସ, ଓଏସଏସଏଫ ପୁଲିସ୍ ଓ ହୋମ ଗାର୍ଡ ମୁତୟନ ହୋଇଥିଲା । ବିଡିଏର ପ୍ରମୋଦ ପାତ୍ର, ଶୁଭ୍ରାଂଶୁ ମହାନ୍ତି, ବିଏମ୍ସିର ମୁଲ୍ଲା ମହମ୍ମଦ ଅଲ୍ଲୀ, ସାଧାରଣ ପ୍ରଶାସନ ବିଭାଗର ଭଗବାନ ବେହେରା, ରୋଡ ଆଣ୍ଡ ବିଲ୍ଡିଂ ଡିଭିଜନ-୧ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପଞ୍ଚାନନ ମହାନ୍ତିଙ୍କ ନେତୃତ୍ୱରେ ଗଠିତ ସ୍କ୍ୱାର୍ଡ ଉଚ୍ଛେଦ କରିଥିଲେ ।




Powered by odothemes.com