ଆବର୍ଜନାରେ ପୋତି ହେଲାଣି ହାଡ଼ିପୋଖରୀ

IMG0662A

ଭୁବନେଶ୍ୱର,୬ ।୭(ବୁ୍ୟରୋ): ପ୍ରାୟ ୫୦ ବର୍ଷରୁ ଉଦ୍ଧ୍ୱର୍କାଳ ଧରି ବିପର୍ଯ୍ୟସ୍ତ ହୋଇ ପଡି ରହିଛି ଭୁବନେଶ୍ୱର ମହତାବ ଛକ ନିକଟ ହାଡି ପୋଖରୀ । ପ୍ରାୟ ୪୦ ଡିସିମିଲ୍ ପରିମିତ ଏହି ପୋଖରୀ ବର୍ତ୍ତମାନ କୌଣସି କାର୍ଯ୍ୟରେ ଲାଗୁନାହିଁ । ସ୍ଥାନୀୟ ଲୋକଙ୍କ କହିବା ଆନୁଯାୟୀ ଏହି ପୋଖରୀ ବହୁ ପୁରୁଣା । ରାଜା ରାଜୁଡା ସମୟର । ଅର୍ଦ୍ଧନାରେଶ୍ୱରୀ ମନ୍ଦିର ବେଢାକୁ ଲାଗିଥିବା ଏହି ପୋଖରୀ ଚାରିପାଖରେ ପାଚେରୀ ନାହିଁ, କୌଣସି ନିର୍ଦ୍ଧିଷ୍ଟ ତୁଠ ନାହିଁ, କି ଏ ପୋଖରୀରେ ବାରମାସରେ କେବେ ପାଣି ରହେ ନାହିଁ । ପୋଖରୀ ଭିତରେ ମାଙ୍କଡା ପଥର ଭୁଶୁଡି ପଡିଛି । ଦଳ, ବର୍ଜ୍ୟବସ୍ତୁ ଜମିରହିବାରୁ ବର୍ଷା ଦିନରେ ପଚି ଗନ୍ଧ ବାହାରୁଛି । ଅର୍ଦ୍ଧନାରୀଶ୍ୱର ମନ୍ଦିର ଏଠାରେ ବହୁ ପୁରୁଣା । ଓଡିଶାରେ ପ୍ରତ୍ୟେକ ଉକ୍ରଳୀୟ ମନ୍ଦିର ପାଖରେ ପୋଖରୀ ଦେଖିବାକୁ ମିଳେ । ବୋଧହୁଏ ସେହି କାରଣରୁ ଏଠାରେ ପୂର୍ବରୁ ପୋଖରୀ ଖୋଳାଯାଇଛି ବୋଲି ସ୍ଥାନୀୟ ବାସିନ୍ଦା କହୁଛନ୍ତିି । ଅନେକ କହୁଛନ୍ତି ଯେ ସେ ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକୀୟ ପଥର ସେଠାରୁ ଖୋଲାଯାଇଥଲା । କାଳକ୍ରମେ ତାହା ଏପରି ପଡି ରହିଛି । ଉକ୍ତ ପୋଖରୀ ବିଷୟରେ ଏହି ଭଳି ବିଭିନ୍ନ କଥା ସ୍ଥାନୀୟ ଲୋକେ ଦର୍ଶାଉଛନ୍ତି । ମାତ୍ର ସମସ୍ୟା ହେଲା ଯେ ବର୍ତ୍ତମାନ ସେଥିରୁ କେହି ଉପକୃତ ହେଉନାହାନ୍ତି । ଅନ୍ୟ ପକ୍ଷରେ ଏହି ଅଞ୍ଚଳରେ ଭଲ ଜଳାଶୟ ଟିଏ ନାହିଁ । ଏହାର ଉନ୍ନତିକରଣ ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ବା ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପଦକ୍ଷେପ ଗ୍ରହଣ କରନ୍ତେ ତେବେ ତାହା ଏକ ସୁନ୍ଦର ଜଳାଶୟ ହୋଇପାରନ୍ତା ବୋଲି ସ୍ଥାନୀୟ ବାସିନ୍ଦା ମତ ଦେଇଛନ୍ତି । ଏହା ସହିତ ମନ୍ଦିରର ସୌର୍ନ୍ଦଯ୍ୟ ବଢନ୍ତା । ଏହାର ଜଳକୁ ଲୋକମାନେ ବ୍ୟବହାର କରିପାରନ୍ତେ ଏବଂ ବିଭିନ୍ନ ସମୟରେ ଦେଖାଦେଉଥିବା ଜଳ ସଙ୍କଟ ମଧ୍ୟ କିଛି ମାତ୍ରାରେ ଦୂର ହୋଇପାରନ୍ତା । ଅନ୍ୟ ପକ୍ଷରେ ପ୍ରାୟ ଅର୍ଦ୍ଧଶତାବ୍ଦୀ ଧରି ଆବର୍ଜନାରେ ପୋତି ହୋଇଥିବା ଏହି ସ୍ଥାନଟି ମନ୍ଦିର ପରିବେଶକୁ ଅପବିତ୍ର କରୁଛି ।