aahar

‘ଆହାର’ରେ ମିଳିବ ରାତ୍ରିଭୋଜନ

14

ଅନ୍ଲାଇନ୍ରେ ଦାନ କଲେ ଆୟକରମୁକ୍ତ
ଭୁବନେଶ୍ୱର, ୬ା୧୨(ବୁ୍ୟରୋ): ରାଜ୍ୟରେ ବିଭିନ୍ନ ପୌରାଞ୍ଚଳରେ ଥିବା ଡାକ୍ତରଖାନାମାନଙ୍କ ନିକଟରେ ବର୍ତ୍ତମାନ ୫୪ଟି ଆହାର କେନ୍ଦ୍ର ଖୋଲାଯାଇଛି । ଏହାଦ୍ୱାରା ଡାକ୍ତରଖାନାରୁ ଦୂର ସ୍ଥାନରୁ ଆସୁଥିବା ଲୋକମାନେ ମାତ୍ର ୫ଟଙ୍କାରେ ଆହାର କେନ୍ଦ୍ରରୁ ଦିବା ଭୋଜନ ପାଇପାରୁଛନ୍ତି । ଏହି କାର୍ଯ୍ୟକ୍ରମର ଲୋକପ୍ରିୟତାକୁ ଏବଂ ଡାକ୍ତରଖାନାରେ ରହୁଥିବା ରୋଗୀମାନଙ୍କ ସମ୍ପର୍କୀୟମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡାକ୍ତରଖାନାରେ ଥିବା ଆହାର କେନ୍ଦ୍ରମାନଙ୍କରେ ରାତ୍ରିଭୋଜନ ବ୍ୟବସ୍ଥା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ଆସନ୍ତା ଜାନୁଆରୀ ପହିଲାରୁ ଏହି ନୂଆ ବ୍ୟବସ୍ଥା ଆରମ୍ଭ ହେବ ।
ଏତଦ୍ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ସମ୍ପୃକ୍ତ କରିବା ଉଦେ୍ଦଶ୍ୟରେ ଅନ୍ଲାଇନ୍ରେ ଦାନ ବ୍ୟବସ୍ଥା ମଧ୍ୟ ଆରମ୍ଭ କରାଯିବ । ଜନସାଧାରଣ ସେମାନଙ୍କ ପ୍ରିୟଜନଙ୍କ ଜନ୍ମ ଦିବସ, ବିବାହ, ବିବାହ ବାର୍ଷିକୀ ଏବଂ ଶ୍ରାଦ୍ଧ ଆଦି ଅବସରରେ ଚାହିଁଲେ ଆହାର କେନ୍ଦ୍ର ଜରିଆରେ ଲୋକଙ୍କୁ ଖାଇବାକୁ ଦେଇପାରିବେ । ଏଥିପାଇଁ କେବଳ ଅନ୍ଲାଇନ୍ରେ ଦାନ ଗ୍ରହଣ କରାଯିବ ଏବଂ ଏଥିରେ ଶତପ୍ରତିଶତ ଆୟର ରିହାତି ମିଳିବ । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ସେହିପରି ବର୍ତ୍ତମାନ ରାଜ୍ୟର ୭୬ଟି ପୌରାଞ୍ଚଳରେ ଆହର କେନ୍ଦ୍ର ଥିବାବେଳେ ଆସନ୍ତା ଜାନୁଆରୀ ୨୬ ତାରିଖ ଦିନଠାରୁ ଏହି ସୁବିଧା ସାରା ରାଜ୍ୟର ଅବଶିଷ୍ଟ ୩୨ଟି ପୌରାଞ୍ଚଳରେ ଉପଲବ୍ଧ ହେବ । ଏହି ନୂତନ ବ୍ୟବସ୍ଥା ଦ୍ୱାରା ଆହାର କେନ୍ଦ୍ରରେ ସାରା ରାଜ୍ୟରେ ଦୈନିକ ଏକ ଲକ୍ଷ ଲୋକଙ୍କୁ ରିହାତି ଦରରେ ଖାଦ୍ୟ ଯୋଗାଇ ଦିଆଯାଇପାରିବ । ଆହାର କେନ୍ଦ୍ରମାନଙ୍କରେ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ଏବଂ ପରିଚ୍ଛନ୍ନତା ନିୟମିତ ତଦାରଖ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଅର୍ଥ ବିଭାଗର ପ୍ରମୁଖ ସଚିବ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com