GOVT.-U

ଆଠ ଶ୍ରେଣୀ ପାଇଁ ଗୋଟିଏ ଗୃହ

10

 ବିପର୍ଯ୍ୟସ୍ତ ଶୈକ୍ଷିକ ପରିବେଶର ନଗ୍ନ ପ୍ରତିଛବି
ହରିଚନ୍ଦନପୁର(ଆପ୍ର): ସଂପ୍ରତି ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ ପ୍ରତ୍ୟେକ ଦିନ ନୂଆ ନୂଆ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । କିନ୍ତୁ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ଅପହଁଚ ଏବଂ ଜଙ୍ଗଲାଞ୍ଚଳରେ ରହିଥିବା ବିଦ୍ୟାଳୟ ଗୁଡିକର ଭିତିଭୂମି ପ୍ରତି ଦୀର୍ଘ ବର୍ଷ ହେବ ପ୍ରଶାସନର ଅଣଦେଖା ନୀତି ଯୋଗୁ ପ୍ରାଥମିକ ଶିକ୍ଷାବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଛି । ବରେଇଗୋଡା, ରେବଣାପଳାଶପାଳ, ସୁନାପେଣ୍ଠ, ରାସୋଳ, ଦୈତାରୀ, ଟାଙ୍ଗିରିଆପାଳ, ପିଠାଗୋଳା, ବଡପଳାଶପାଳ, ଶଗଡପଟା, ଧୁରୁଡିଆମ୍ବ ଆଦି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଅଧିକାଂଶ ବିଦ୍ୟାଳୟର ଭିତିଭୂମି ଆଜିବି ଭୁଷୁଡି ପଡିଛି । କେଉଁଠି ଶ୍ରେଣୀଗୃହ ଅଭାବ ତ ଆଉକେଉଁଠି ପାଚେରୀ ନାହିଁ, ପାଣିର ସମସ୍ୟା ରହିଛି । ନାହିଁ ନାହିଁରେ ଅନେକ ବିଦ୍ୟାଳୟ ରହିଥିବା ବେଳେ ଅନାୟାସରେ ଗାଈ, କୁକୁର, ବନ୍ୟ ଜୀବଜନ୍ତୁ ତଥା ସରୀସୃପଙ୍କ ସମସ୍ୟା । ଯଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ସମସ୍ୟାକୁ ନେଇ ଅଞ୍ଚଳର ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି ।
ଶ୍ରେଣୀଗୃହ ଅଭାବରୁ ଗୋଟିଏ ଶ୍ରେଣୀରେ ୫ଟି ଶ୍ରେଣୀର ଛାତ୍ରଛାତ୍ରୀ ବସୁଛନ୍ତି ତ ଆଉ କେତକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଶିକ୍ଷାଦାନ ପାଉଛନ୍ତି । ଏପରି ସ୍ଥଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଣ ହେବ? ରେବଣାପଳାଶପାଳ ଗୋଷ୍ଠୀ ସାଧନକେନ୍ଦ୍ର ଅଧିନରେ ଥିବା ବରେଇଗୋଡା ପଞ୍ଚାୟତର ଦୁର୍ଗମ ରେବଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୯୭୯ରେ ସ୍ଥାପିତ ହୋଇଥିଲା । ଏଇ ଦୁଇ ବର୍ଷ ହେବ ଏଠାରେ ଅଷ୍ଟମ ଶ୍ରେଣୀ ଖୋଲିଛି । ତେବେ ଚଳିତ ବର୍ଷ ପ୍ରଥମ ଶ୍ରେଣୀରେ ୨୯ ଜଣ, ଦ୍ୱିତୀୟ ଶ୍ରେଣୀରେ ୧୪ ଜଣ , ତୃତୀୟ ଶ୍ରେଣୀରେ ୧୯ ଜଣ, ଚତୁର୍ଥ ଶ୍ରେଣୀରେ ୧୯ ଜଣ, ପଞ୍ଚମ ଶ୍ରେଣୀରେ ୬ ଜଣ, ଷଷ୍ଠ ଶ୍ରେଣୀରେ ୬ ଜଣ, ସପ୍ତମ ଶ୍ରେଣୀରେ ୬ ଜଣ ଏବଂ ଅଷ୍ଠମ ଶ୍ରେଣୀରେ ୧୬ ଜଣ ମୋଟ ୧୧୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ପାଞ୍ଚ ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଥିବା ବେଳେ ୩ ଜଣ ଶିକ୍ଷକ ରହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଆଠଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଗୋଟାଏ ମାତ୍ର ଶ୍ରେଣୀଗୃହ । ଅନ୍ୟ ଗୋଟିଏ ବିପଦ ସଙ୍କୁଳ ଗୃହରେ ବାଧ୍ୟହୋଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଦିଆଯାଉ ପ୍ରଧାନଶିକ୍ଷକ କହିଛନ୍ତି । ତେବେ ବିପଦ ସଙ୍କୁଳ ଶ୍ରେଣୀଗୃହରେ ଛାତ୍ରଛାତ୍ରୀ ବସିବା ନେଇ ଅଭିଭାବକ ମାନେ ପ୍ରଶ୍ନ କରିଛନ୍ତି । ସମସ୍ୟା ନେଇ ହରିଚନ୍ଦନପୁର ବ୍ଲକ ଶିକ୍ଷାଧିକାରୀ ପ୍ରଦୀପ ଚକ୍ରଙ୍କୁ ପଚାରିବାରୁ ସେ କହିଲେ ନୂତନ ବିଇଓ ଭାବେ କାର୍ଯ୍ୟରେ ଯୋଗଦେଇଛି, ସ୍କୁଲର ସମସ୍ୟା ସମ୍ପର୍କରେ ମୁଁ ପୂର୍ବରୁ ଅବଗତ ନ ଥିଲି । ଏ ସମ୍ପର୍କରେ ତଦନ୍ତ କରି ସମସ୍ୟାର ସମାଧାନ ଦିଗ ପ୍ରତି ଦୃଷ୍ଟି ଦେବି ବୋଲି କହିଛନ୍ତି । ସେପଟେ ବିଦ୍ୟାଳୟରେ ରହିଥିବା ବହୁବିଧ ସମସ୍ୟାକୁ ଯୁଦ୍ଧକାଳୀନ ଭିତିରେ ସମାଧାନ କରିବାକୁ ଅଞ୍ଚଳବାସୀଙ୍କ ତରଫରୁ ଦାବି ହୋଇଛି ।

ସେଆର କରନ୍ତୁ:



Powered by odothemes.com