IMG20180506164941

ରାସ୍ତାଘାଟ, ଆନୁସଙ୍ଗିକ କାର୍ଯ୍ୟ ପର୍ଯ୍ୟଟକଙ୍କ ପାଇଁ ସାଜିଛି ଅନ୍ତରାୟ

9

କନ୍ଧମାଳରେ ପର୍ଯ୍ୟଟନ ବିକାଶ କାଗଜ-କଲମରେ ସୀମିତ
ଫୁଲବାଣୀ (ବୁ୍ୟରୋ): ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କନ୍ଧମାଳ ଜିଲ୍ଲା ରାଜ୍ୟ ତଥା ଦେଶରେ ପର୍ଯ୍ୟଟନସ୍ଥଳୀ ଭାବେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏହି ଜିଲ୍ଲାରେ ବହୁ ପର୍ଯ୍ୟଟନସ୍ଥଳୀ ରହିଛି । କେତେକ ସ୍ଥାନକୁ ପର୍ଯ୍ୟଟନୀସ୍ଥଳୀର ମାନ୍ୟତା ମିଳିଥିବା ବେଳେ ବହୁ ସ୍ଥାନକୁ ଏହା ମିଳିବା ପାଇଁ କେବଳ କାଗଜ କଲମରେ ଲେଖା ହୋଇ ରହିଯାଇଛି । ରାସ୍ତାଘାଟର ଅସୁବିଧା ଏବଂ ବହୁ ପର୍ଯ୍ୟଟନସ୍ଥଳୀରେ ଆନୁସଙ୍ଗିକ ବ୍ୟବସ୍ଥା ନଥିବା ଯୋଗୁ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ବିଭାଗର ଉଦାସୀନତା ଏବଂ ଆନ୍ତରିକତା ଅଭାବରୁ କାର୍ଯ୍ୟ ଆଗେଇ ପାରୁନାହିଁ ।
ଓଡ଼ିଶାର କାଶ୍ମୀର ଭାବେ ପରିଚିତ କନ୍ଧମାଳର ଦାରିଙ୍ଗବାଡ଼ି ସମେତ ଫୁଲବାଣୀ, ବଲସକୁମ୍ପା, ଚକାପାଦ, ପୁତୁଡି ଓ ବେଲଘର ସରକାରୀସ୍ତରରେ ପର୍ଯ୍ୟଟନ ମାନ୍ୟତା ପାଇଛି । କେତେକ ପର୍ଯ୍ୟଟନସ୍ଥଳୀ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ତାଲିକାରେ ନ ଥିଲେ ମଧ୍ୟ ଜିଲ୍ଲା ବାହାରୁ, ରାଜ୍ୟ ଏବଂ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ସେସବୁ ସ୍ଥାନକୁ ଆସିଥାନ୍ତି । ସେଗୁଡ଼ିକ ମଧ୍ୟରେ ପକଡ଼ାଝର, ମଣ୍ଡାସୁରକୁଟି ଉର୍ମାଗଡ, ଲୁଦୁ, କାଟ୍ରାମାଲା, ଡୁଙ୍ଗି, କୁଟି, ଋଷିମାଳ, ଜଲେଶପଟା ଓ ଫିରିଙ୍ଗିଆର କଟାଙ୍ଗପାହାଡ଼ ପ୍ରମୁଖ ସ୍ଥାନ ପାଇଛି । ଏସବୁ ସ୍ଥାନରେ ଭିତ୍ତିଭୂମିର ବିକାଶ ହେଉ ନଥିବାରୁ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି । ବିଶେଷ କରି ଏସବୁ ସ୍ଥାନକୁ ଯିବାକୁ ଭଲ ରାସ୍ତା ନାହିଁ । ପୁତୁଧି ଓ କଟ୍ରୋମାଲାକୁ ଯିବାକୁ ଠିକ୍ ରାସ୍ତା ନାହିଁ, ରାସ୍ତା ଖାଲ କମାରେ ଭର୍ତ୍ତି ଗାଡ଼ି ତ ଯିବା ଦୂରର କଥା ମଟରସାଇକେଲଟିଏ ନେଇ ଯିବାକୁ ଭୟ ଲାଗେ । ଦାରିଙ୍ଗିବାଡ଼ିରେ ଭିଡ଼ ହେଉଥିବା ବେଳେ ରାସ୍ତା ଘାଟ ଠିକ୍ ନଥିବାରୁ ଏସବୁ ଜାଗାକୁ ପର୍ଯ୍ୟଟକ ଆସିବାକୁ ମଙ୍ଗୁ ନାହାନ୍ତି ବୋଲି କିଛି ଗାଡ଼ି ଚାଳକ କହିଛନ୍ତି । ରାସ୍ତା କାମ ନାଁରେ ବିଭାଗୀୟ ଅଧିକାରୀ ମିଥ୍ୟା ବିଲ୍ କରି ଠିକାଦାର ଓ ନିଜର ପକେଟ ଗରମ କରୁଛନ୍ତି । ପର୍ଯ୍ୟଟନ ବିଭାଗ ପକ୍ଷରୁ ମଧ୍ୟ ଏ ନେଇ କେବେ ଅଭିଯୋଗ କରାଯାଉନାହିଁ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଜିଲ୍ଲାକୁ ଆସୁଛି । ପ୍ରତ୍ୟେକ ପଞ୍ଚାୟତକୁ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ରାସ୍ତାଘାଟ ପାଇଁ ଦିଆଯାଉଛି । କୌଣସି ପଞ୍ଚାୟତ ସେମାନଙ୍କ ଅଧୀନରେ ଥିବା ପର୍ଯ୍ୟଟନ କ୍ଷେତ୍ରକୁ ରାସ୍ତାଟିଏ ନିର୍ମାଣ କରି ନାହାନ୍ତି । ସେହିପରି ପର୍ଯ୍ୟଟକଙ୍କ ସୁବିଧା ପାଇଁ ବିଗତ ଦିନରେ କେତେକ ଯୁବତୀ ଯୁବକଙ୍କୁ ଗାଇଡ୍ ଟ୍ରେନିଂ ଦିଆଯାଇଥିଲା । ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଡକାଯାଇ ନାହିଁ । ସେମାନେ ସେହିପରି ଘରେ ବସି ରହିଛନ୍ତି । ଏ ସମ୍ପର୍କରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ମନୋରଞ୍ଜନ ଦାସଙ୍କୁ ପଚାରିବାରୁ ଯେଉଁ ସବୁ ସ୍ଥାନକୁ ମାନ୍ୟତା ମିଳୁନାହିଁ ତାହାର ପ୍ରମୁଖ କାରଣ ହେଉଛି ସେଠାକୁ ସବୁବେଳେ ପର୍ଯ୍ୟଟକ ଆସୁନାହାନ୍ତି । କେବଳ ନଭେମ୍ବରରୁ ଜାନୁଆରୀ ଶେଷ ପର୍ଯ୍ୟନ୍ତ ଆସୁଛନ୍ତି । ସବୁବେଳେ ଭିଡ଼ ଲାଗି ରହୁଥିବା ସ୍ଥାନକୁ ପ୍ରାୟତଃ ପର୍ଯ୍ୟଟନୀସ୍ଥଳର ମାନ୍ୟତା ମିଳିଥାଏ । ଯେଉଁ ସବୁ ସ୍ଥାନ ପର୍ଯ୍ୟଟନୀସ୍ଥଳର ମାନ୍ୟତା ପାଇବା ଅପେକ୍ଷାରେ ଅଛି, ସେଠାରେ ବିଶେଷ କରି ରାସ୍ତାଘାଟର ଅସୁବିଧା, ପାଣିର ସମସ୍ୟା, ରେଷ୍ଟ ସେଡର ଅଭାବ ରହିଛି । କ’ଣ ହେଲେ ପର୍ଯ୍ୟଟକ ଆସିବେ, ସେ ବିଷୟରେ ଆମେ ରାଜ୍ୟ ପର୍ଯ୍ୟଟନ ବିଭାଗକୁ ଲେଖି ଜଣାଇଛୁ ବୋଲି ପ୍ରକାଶ କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com