srikant-sarata

ଶ୍ରୀକାନ୍ତଙ୍କ ପକ୍ଷଛେଦନ, ଶରତ ବି ବାଦ୍

8

ପିସିସି ଇସ୍ତାହାର କମିଟି ପୁନର୍ଗଠିତ
ଭୁବନେଶ୍ୱର(ବୁ୍ୟରୋ): ବିଭିନ୍ନ ସମୟରେ ଦଳର ନେତୃତ୍ୱ ଉଦେ୍ଦଶ୍ୟରେ ବିବାଦୀୟ ବୟାନ, ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥôତ୍ୱକୁ ନେଇ ଖୋଲାମତ ରଖୁଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ପକ୍ଷଛେଦନ କରିଛି ଏଆଇସିସି । ପ୍ରାୟ ସାଢ଼େ ୭ ମାସ ଧରି ପିସିସି ଇସ୍ତାହାର କମିଟିର ଅଧ୍ୟକ୍ଷ ଥିବା ଶ୍ରୀକାନ୍ତ ଓ ଆବାହକ ଶରତ ରାଉତଙ୍କୁ ଅଚାନକ୍ ହଟାଇ ଦିଆଯାଇଛି । ଶ୍ରୀକାନ୍ତଙ୍କ ସ୍ଥାନରେ ନବଗଠିତ ଇସ୍ତାହାର କମିଟିରେ ଦଳର ବରିଷ୍ଠ ନେତା ଗଣେଶ୍ୱର ବେହେରାଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ତେବେ ହଠାତ୍ ଏଆଇସିସିର ଏଭଳି ପରିବର୍ତ୍ତନ ପଛରେ କି ରହସ୍ୟ ରହିଛି ତାକୁ ନେଇ କଂଗ୍ରେସ ଶିବିରରେ ହଲଚଲ ସୃଷ୍ଟି ହୋଇଥିବା ବେଳେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଶାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସର ସଂଗଠନକୁ ସୁଦୃଢ଼ କରିବା ତଥା ଏକତା ବଜାୟ ରଖିବା ଲକ୍ଷ୍ୟରେ ଏଆଇସିସି ଏଭଳି ନିଷ୍ପତ୍ତି ନେଇଛି । ଇସ୍ତାହାର କମିଟି ଅଧ୍ୟକ୍ଷ ହେବା ପରେ ଏଆଇସିସିକୁ ଶ୍ରୀକାନ୍ତ ଲେଖିଥିବା ଚିଠିରେ ଦଳ କ୍ଷମତାକୁ ଆସିଲେ ଓବିସି ବର୍ଗର ନେତାଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିବା ଉଚିତ୍ ବୋଲି ଉଲ୍ଲେଖ କରିବା ସହ ଏସ୍ସି/ଏସ୍ଟି ବର୍ଗର ଦୁଇଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ନେଇ ପ୍ରସ୍ତାବ ଦେଇଥିଲେ । ଯାହାକି ନିରଞ୍ଜନଙ୍କ ମୁଖ୍ୟମନ୍ତ୍ରୀ ହେବାର ଆଶା ଉପରେ ଏକପ୍ରକାର ପୂର୍ଣ୍ଣଛେଦ ଟାଣିବା ସଦୃଶ । ସେହିପରି ଅନେକ ସମୟରେ ଦୁଇ ପଟ୍ଟନାୟକ ପରିବାରଙ୍କ ଖଣି ଚୋରି ପ୍ରସଙ୍ଗ ଉଠାଇ ମଧ୍ୟ ଶ୍ରୀକାନ୍ତ ନିରଞ୍ଜନଙ୍କ ପରିବାର ଉପରକୁ ତେର୍ଛା ବାଣ ଛାଡ଼ୁଥିଲେ । ନିକଟରେ ବିଧାୟକ ପଦରୁ କୃଷ୍ଣଚନ୍ଦ୍ର ସଗରିଆଙ୍କ ଇସ୍ତଫା ଘଟଣାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଭୂମିକାକୁ ନେଇ ସେ ସମାଲୋଚନା କରିଥିଲେ । ସଂଗଠନକୁ ଅସ୍ଥିର କଲାଭଳି ବିଭିନ୍ନ ସମୟରେ ମନ୍ତବ୍ୟ ଦେଉଥିବା ଶ୍ରୀକାନ୍ତଙ୍କ ବିରୋଧରେ ପିସିସି ନେତୃତ୍ୱ ଏଆଇସିସିର ହସ୍ତକ୍ଷେପ ଲୋଡ଼ିଥିଲେ । ନିର୍ବାଚନ ପୂର୍ବରୁ ଶ୍ରୀକାନ୍ତଙ୍କୁ ଇସ୍ତାହାର କମିଟିରୁ ନହଟାଗଲେ ଦଳ ଲାଗି ଇସ୍ତାହାର ପସ୍ତୁତ କରିବା ସମ୍ଭବପର ହେବନି ବୋଲି ଏଆଇସିସିକୁ ଜଣାଇ ଦିଆଯାଇଥିଲା । ଯାହାର ପରିଣାମସୂରପ ଶ୍ରୀକାନ୍ତଙ୍କୁ ଇସ୍ତାହାର କମିଟିରୁ କାଢ଼ି ଦିଆଯାଇଥିବା କଥା ମଧ୍ୟ ଆଲୋଚନା ହେଉଛି । ସେହିପରି ଶରତ ରାଉତ ଏବେ ଏଆଇସିସି ସମ୍ପାଦକ ଭାବେ ପଶ୍ଚିମବଙ୍ଗ ପ୍ରଭାରୀ ଦାୟିତ୍ୱରେ ଥିବା ବେଳେ ତାଙ୍କୁ ଉକ୍ତ କମିଟିର ଆବାହକ ପଦରୁ ବାଦ୍ ଦିଆଯିବା ଓ ତାଙ୍କ ସ୍ଥାନରେ ବିସ୍ମୟ ମହାପାତ୍ରଙ୍କୁ ଦାୟିତ୍ୱ ମିଳିବା ନେଇ ମଧ୍ୟ ଜୋର୍ଦାର୍ ଚର୍ଚ୍ଚା ଆରମ୍ଭ ହୋଇଛି ।
ପୁନର୍ଗଠିତ ଏହି କମିଟିରେ ସଦସ୍ୟ ଭାବେ ରହିଛନ୍ତି, ନରସିଂହ ମିଶ୍ର, ପ୍ରସାଦ ହରିଚନ୍ଦନ, ସୁଦର୍ଶନ ଦାସ, ଶ୍ୟାମସୁନ୍ଦର ହାଁସଦା, ମେରି ସୁରିନ୍, ନଟବର ଖୁଣ୍ଟିଆ, ପ୍ରଫେସର ଲିଆକତ ଅଲ୍ଲୀ, ସତ୍ୟପ୍ରକାଶ ନାୟକ ।

ସେଆର କରନ୍ତୁ:



Powered by odothemes.com