PDS-SAMAGRI-THAKEI,-RASAN-CARD,-HARICHANDAPUR

ପିଡିଏସ୍ ସାମଗ୍ରୀ ବଣ୍ଟନ, ଓଜନ ମାପରେ ଠକେଇ ଅଭିଯୋଗ

5

ହରିଚନ୍ଦନପୁର(ଆପ୍ର): ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ରାଜ୍ୟର ଗରିବ ହିତାଧିକାରୀଙ୍କୁ ଚାଉଳ, ଗହମ, କିରୋସିନି ଆଦି ପିଡିଏସ ସାମଗ୍ରୀ ବଣ୍ଟନ କରାଯାଉଛି । ପ୍ରତି ହିତାଧିକାରୀଙ୍କୁ କିଲୋ ପ୍ରତି ଏକ ଟଙ୍କା ହିସାବରେ ମୋଟରେ ୫ ଟଙ୍କାରେ ୫ କେ.ଜି ଚାଉଳ ଯୋଗାଇ ଦିଆଯାଉଛି । ହେଲେ ଦୁର୍ଗମ ଅଞ୍ଚଳର ଅଶିକ୍ଷିତ ହିତାଧିକାରୀଙ୍କୁ ପଞ୍ଚାୟତ ତରଫରୁ ପିଡିଏସ୍ ସାମଗ୍ରୀ ବଣ୍ଟନ କରୁଥିବା କର୍ମଚାରୀ ଓଜନରେ ଠକେଇ କରୁଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ରେବଣାପଳାଶପାଳ ପଞ୍ଚାୟତରେ ।
ସୂଚନାଯୋଗ୍ୟ ଯେ, ବୁଧବାର ରେବଣାପଳାଶପାଳ ପଞ୍ଚାୟତରେ ଦିଆଯାଉଥିବା ବେଳେ ମଶିଣାଯୋଡି ଗ୍ରାମର ସୁକୁମାରୀ ମହାକୁଡ ରାସନ କାର୍ଡ ନଂ ୧୮୦୬୨୦୧୦୩୯୭ କୁ ଧରି ଚାଉଳ ପାଇଁ ଆସିଥିଲେ । ତେବେ ଚାଉଳ ଦେଉଥିବା କର୍ମଚାରୀ ମାନେ ସୁକୁମାରୀ ଠାରୁ ୩୫ ଟଙ୍କା ନେଇ ରସିଦ କାଟି ଖାତାରେ ୩୫ କେ.ଜି ଲେଖି ଚାଉଳ ଦେଇଥିଲେ । ହେଲେ ସେହି ଚାଉଳର ପରିମାଣକୁ ସ୍ଥାନୀୟ କେତେକ ସ୍ୱେଚ୍ଛାସେବୀଙ୍କ ସନେ୍ଦହ ହେବାରୁ ପୁନର୍ବାର ଓଜନ କଲା ପରେ ତାହା ୩୦କେ.ଜି ଚାଉଳ ହୋଇଥିଲା । ତେବେ ଏହାକୁ ନେଇ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୁର୍ନୀତି ସହ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ପଞ୍ଚାୟତ ଆଗରୁ ମଧ୍ୟ ଛନ୍ଦି ହୋଇଥିବା ନଜିର ରହିଛି । ୩୫ ରୁ ୪୦ ଜଣ ହିତାଧିକାରୀ ପୂର୍ବରୁ ତିନି ଚାରି ମାସର ଚାଉଳ ପାଇ ନଥିବା ନେଇ ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଥିଲା । ତେବେ ସେତେବେଳେ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସମସ୍ତ ହିତାଧିକାରୀଙ୍କ ବକେୟା ଚାଉଳ ଦେବେ ବୋଲି କହିଥିଲେ । ହେଲେ ଏ ଯାବତ ସେହି ବକେୟା ଚାଉଳ ମଧ୍ୟ ହିତାଧିକାରୀ ପାଇ ନାହାନ୍ତି । ଏସମ୍ପର୍କରେ ପିଇଓଙ୍କୁ ପଚାରିବାରୁ ସେ ପରବର୍ତ୍ତୀ ମାସରେ ସମସ୍ତ ହିତାଧିକାରୀଙ୍କୁ ବକେୟା ଚାଉଳ ଦେବେ ବୋଲି କହିଛନ୍ତି । ଓଜନ ମାପରେ ଠକେଇ ହେଉଥିବା ନେଇ ପଚାରିବାରୁ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ । ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣଙ୍କ ତରଫରୁ ଦାବି ହୋଇଛି ।

ସେଆର କରନ୍ତୁ:



Powered by odothemes.com