cuttack-C.D.A-thare-sewerage-treatment-plant-inauguration

ବଦଳିବ କଟକର ପରିମଳ ରୂପରେଖ

16

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସିୱେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ୍ ଲୋକାର୍ପିତ
କଟକ(ବ୍ୟୁରୋ): କଟକ ସହରରୁ ନିର୍ଗତ ବର୍ଜ୍ୟଜଳ ସିଧାସଳଖ ମହାନଦୀ ଏବଂ କାଠଯୋଡ଼ିରେ ମିଶୁଥିବାରୁ ଜଳ ପ୍ରଦୂଷିତ ହେଉଛି । ଏହି ଦୂଷିତ ଜଳ ଅନେକ ସମୟରେ ସହର ମଧ୍ୟରେ ଜମିରହି ପରିବେଶକୁ ନଷ୍ଟ କରିବା ସହିତ ରାସ୍ତାଘାଟରେ ଯାତାୟାତ ପାଇଁ ବାଧା ସୃଷ୍ଟି କରୁଛି । ଏଣୁ ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରକଳ୍ପ ଦ୍ୱାରା ଘରୁ ବାହାରୁଥିବା ଦୂଷିତ ଜଳକୁ ଭୂତଳ ସ୍ୱେରେଜ୍ ପାଇପ ମାଧ୍ୟମରେ ସଂଗ୍ରହ କରି ଅତ୍ୟାଧୁନିକ ପଦ୍ଧତିରେ ବିଶୋଧନ କରି ନଦୀରେ ଛଡାଯିବ । ଫଳରେ କଟକ ସହରର ପରିମଳ ରୂପରେଖ ସମ୍ପୂର୍ଣ୍ଣ ବଦଳି ଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । କଟକ ସହରକୁ ସ୍ୱଚ୍ଛ ଓ ସୁସ୍ଥ ରଖିବା ପାଇଁ ସିଡିଏ ଠାରେ ଦୈ÷ନିକ ୩. ୬୦ କୋଟି ଲିଟର ବିଶୋଧନ କ୍ଷମତା ବିଶିଷ୍ଟ ୧୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଅତ୍ୟାଧୁନିକ ସିୱେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ବା ବର୍ଜ୍ୟଜଳ ବିଶୋଧନାଗାରକୁ ବୁଧବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରି କହିଲେ ଯେ ଆଜିଠାରୁ ମହାନଦୀ ଓ କାଠଯୋଡି ରିଙ୍ଗରୋଡ ମଧ୍ୟବର୍ତ୍ତୀ ଅଞ୍ଚଳ ବିଡାନାସୀ ଠାରୁ ମଙ୍ଗଳାବାଗ, ଫ୍ରେଣ୍ଡ୍ସ କଲୋନୀ, ଝୋଲାସାହି, ବଙ୍ଗାଳିସାହି ଓ ପୁରିଘାଟ ଅଞ୍ଚଳ ଲୋକେ ଏହି ପ୍ରକଳ୍ପର ସେବା ନେଇ ପାରିବେ । ଏତଦ୍ବ୍ୟତିତ ପ୍ରାୟ ତିନି ହଜାର କୋଟି ଟଙ୍କା ବ୍ୟୟରେ ମତ୍ତଗଜପୁର ଠାରେ ନିର୍ମାଣଧୀନ ବିଶୋଧନାଗାର ଆଉ କିଛି ମାସ ମଧ୍ୟରେ ଲୋକର୍ପିତ ହେବାପରେ କଟକ ସହରରେ ସ୍ୱେରେଜ୍ ଓ ଡ୍ରେନେଜ୍ ବ୍ୟବସ୍ଥାର ସୁଧାର ହେବା ସହିତ ୩୦ ବର୍ଷ ପର୍ଯ୍ୟନ୍ତ ଲକ୍ଷଲକ୍ଷ ଲୋକଙ୍କ କଷ୍ଟ ଦୂର ହୋଇ ପାରିବ । ଏଥିସହିତ ପୁଲିସ କଲୋନୀରେ ନିର୍ମିତ ଘଣ୍ଟାକୁ ୭୨ ଲକ୍ଷ ଲିଟର ଜଳ ନିଷ୍କାସନ କ୍ଷମତାସମ୍ପନ୍ନ ଡ୍ରେନେଜ୍ ପମ୍ପିଙ୍ଗ୍ ଷ୍ଟେସନକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସୂଚନା ଓ ଲୋକସମ୍ପର୍କ ଏବଂ ଆଇନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା, ସାଂସଦ ଭର୍ତ୍ତୃହରି ମହତାବ, ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରଭାତ ରଞ୍ଜନ ବିଶ୍ୱାଳ, ସିଏମ୍ସି ମେୟର ମିନାକ୍ଷୀ ବେହେରା, କେନ୍ଦ୍ର ଆର୍ଥିକ ବ୍ୟାପାର ବିଭାଗ ଅତିରକ୍ତ ସଚିବ ସିଏସ୍ ମହାପାତ୍ର, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ ଜି ମାଥିଭାଥନନ୍, ଜାଇକା ଇଣ୍ଡିଆର ମୁଖ୍ୟ ପ୍ରତିନିଧି କାଟସୁଅ ମାତସୁମୋଟୋ, ଜାଇକା ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ଟିବିକେ ସରାଫ ଉପସ୍ଥିତଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୦ ଓମଫେଡ୍ ଡାଇରି ଏକ୍ସପ୍ରେସ୍ର ଶୁଭାରମ୍ଭ କରିଥିଲେ ।

ସେଆର କରନ୍ତୁ:



Powered by odothemes.com