23-Raikia-(3)

ଭିତ୍ତିଭୂମିିର ଅଭାବରୁ ମୁହଁ ମୋଡ଼ୁଛନ୍ତି ପର୍ଯ୍ୟଟକ

24

କନ୍ଧମାଳରେ ପର୍ଯ୍ୟଟନ ବିକାଶର ନିମ୍ନଗତି
ଫୁଲବାଣୀ (ବୁ୍ୟରୋ): ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କନ୍ଧମାଳ ଜିଲ୍ଲା ଗତ କିଛି ବର୍ଷ ହେଲା ଶ୍ରୀହୀନ ପାଲଟିବାରେ ଲାଗିଛି । ସମଗ୍ର ଓଡ଼ିଶାରେ ପ୍ରାୟ ୪୦୦ଟି ପର୍ଯ୍ୟଟନ ସ୍ଥଳ ଚିହ୍ନଟ କରାଯାଇଛି । ସେଥି ମଧ୍ୟରେ ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ି ସମେତ ଫୁଲବାଣୀ, ବଲସକୁମ୍ପା, ଚକାପାଦ, ପୁତୁଡ଼ି ଓ ବେଲଘର ରହିଛି । ଅନ୍ୟ କେତେକ ପର୍ଯ୍ୟଟନ ସ୍ଥଳ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ତାଲିକାରେ ନଥିଲେ ମଧ୍ୟ ଦେଶୀ ଏବଂ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ସାଜିଛି ଆକର୍ଷଣର କେନ୍ଦ୍ରବିନ୍ଦୁ ।
ପ୍ରକୃତିର ଅପରୂପ ଶୋଭାରାଜିକୁ ଉପଭୋଗ କରିବା ଲାଗି ଚାଲି ଆସିଥାନ୍ତି ପର୍ଯ୍ୟଟକ ସେହି ସବୁ ଅଞ୍ଚଳକୁ । ସେଗୁଡ଼ିକ ମଧ୍ୟରେ ଅଛି ପକଡ଼ାଝର, ଉର୍ମାଗଡ, ଲୁଦୁ, କାଟ୍ରାମାଲା, ଡୁଙ୍ଗି, କୁଟି, ଋଷିମାଳ, ଜଲେଶପଟା ଓ ଫିରିଙ୍ଗିଆର କଟାଙ୍ଗପାହାଡ଼ÿ ଆଦି ସ୍ଥାନ । ଏମାନଙ୍କ ମଧ୍ୟରେ ପକଡ଼ାଝର, ଉର୍ମାଗଡ଼, ଲୁଦୁ, କାଟ୍ରାମାଲା ଇତ୍ୟାଦିରେ ଗୋଟିଏ ଗୋଟିଏ ଜଳପ୍ରପାତ ଥିଲେ ମଧ୍ୟ ସେଗୁଡ଼ିକ ପର୍ଯ୍ୟଟନସ୍ଥଳୀ ଭାବେ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇପାରିନାହିଁ । ବିଗତ ଦିନରେ କନ୍ଧମାଳ ଜିଲ୍ଲାକୁ ଯେଉଁଭଳି ଭାବେ ପର୍ଯ୍ୟଟକମାନଙ୍କର ଭିଡ଼ ରହୁଥିଲା ଗତ କିଛି ବର୍ଷ ହେଲା ସେଭଳି ଭିଡ଼ ଦେଖିବାକୁ ମିଳୁନାହିଁ । କନ୍ଧମାଳ ଜିଲ୍ଲାରେ ଶାନ୍ତି ଫେରିଥିଲେ ମଧ୍ୟ ସେସବୁ ଦିଗରେ ପ୍ରସାର ପ୍ରଚାର ପାଇଁ କୌଣସି ପ୍ରକାର ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ । ଫଳରେ ଏ ପର୍ଯ୍ୟନ୍ତ ଜିଲ୍ଲା ବାହାରର ଏବଂ ଦେଶ ବିଦେଶର ପର୍ଯ୍ୟଟକମାନେ କନ୍ଧମାଳ ଆସିବାକୁ ଅମଙ୍ଗ ହେଉଛନ୍ତି । ପର୍ଯ୍ୟଟନର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ହେଉ କିମ୍ବା ରାଜ୍ୟ ସରକାର, କେହି ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ । ସେହିଭଳି ଜିଲ୍ଲାରେ ବର୍ତ୍ତର୍ମାନ ଯେଉଁ ସ୍ଥିତ ଅଛି ତାହାକୁ ମଧ୍ୟ ଜିଲ୍ଲା ବାହାରେ ପହଞ୍ଚାଇବାରେ ସେମିତି କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ କନ୍ଧମାଳକୁ ଦଙ୍ଗା ପରେ ପରେ ସେଭଳି ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁନାହିଁ । ଗତବର୍ଷ ପଶ୍ଚିମବଙ୍ଗରୁ କିଛି ପର୍ଯ୍ୟଟକ ଆସିଥିବାବେଳେ ଅବ୍ୟବସ୍ଥା ଓ ଗମନାଗମନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ବର୍ତ୍ତର୍ମାନ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କା ଭାଁ ପର୍ଯ୍ୟଟକଙ୍କ ଛଡ଼ା ସେଭଳି ପର୍ଯ୍ୟଟକଙ୍କ ଆଗମନ ଦେଖିବାକୁ ମିଳିନାହିଁ । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି । ଜିଲ୍ଲାର ଯେଉଁ ସବୁ ପର୍ଯ୍ୟଟନ କ୍ଷେତ୍ର ରହିଛି, ସେସବୁ ଅବହେଳିତ ଅବସ୍ଥାକୁ ଆସିଗଲାଣି । ଗୋଟିଏ ହେଲେ ପର୍ଯ୍ୟଟନ କ୍ଷେତ୍ରକୁ ଗମନାଗମନ ପାଇଁ ରାସ୍ତାଟିଏ ନାହିଁ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଜିଲ୍ଲାକୁ ଆସୁଥିବା ବେଳେ ପ୍ରତ୍ୟେକ ପଞ୍ଚାୟତକୁ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ରାସ୍ତାଘାଟର ବିକାଶ ପାଇଁ ଦିଆଯାଉଛି । ତେବେ ବିଡ଼ମ୍ବନାର ବିଷୟ, କୌଣସି ପଞ୍ଚାୟତ ସେମାନଙ୍କ ଅଧିନରେ ଥିବା ପର୍ଯ୍ୟଟନ କ୍ଷେତ୍ରକୁ ରାସ୍ତାଟିଏ ନିର୍ମାଣ କରୁନାହାନ୍ତି । ପର୍ଯ୍ୟଟନ କ୍ଷେତ୍ରରେ ଅନ୍ୟାନ୍ୟ ଅବସ୍ଥା ନକହିବା ଭଲ । ରାଜ୍ୟ ସରକାର ରାଜ୍ୟରେ ୨୯ଟି ଜିଲ୍ଲାକୁ ପର୍ଯ୍ୟଟନ କ୍ଷେତ୍ରରେ ଗୁରୁତ୍ୱ ଦେଉଥିବାବେଳେ କନ୍ଧମାଳ ଜିଲ୍ଲାକୁ ଆଦୌ ଗୁରୁତ୍ୱ ନଦେବା ପରିତାପର ବିଷୟ ବୋଲି ଅଭିଯୋଗ ହୋଇଛି ।

ସେଆର କରନ୍ତୁ:



Powered by odothemes.com