+୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଆରମ୍ଭ

27

ଭୁବନେଶ୍ୱର, ୪ା୭ (ବୁ୍ୟରୋ): ରାଜ୍ୟର ସମସ୍ତ ଯୁକ୍ତଦୁଇ ଜୁନିୟର କଲେଜରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ନାମଲେଖା । କଳା, ବିଜ୍ଞାନ ଓ ବାଣିଜ୍ୟରେ ନାମଲେଖାଇବା ପାଇଁ ଆଜି ରାଜ୍ୟର ସମସ୍ତ କଲେଜରେ ଛାତ୍ରଛାତ୍ରୀଙ୍କ ଭିଡ ଲାଗିରହିଥିଲା । ସକାଳ ୧୦ଟା ଠାରୁ ଛାତ୍ରଛାତ୍ରୀମାନେ ଆବଶ୍ୟକୀୟ ପ୍ରମାଣପତ୍ର ସହ କଲେଜରେ ହୋଇଥିବା ଆଡମିଶନ କେନ୍ଦ୍ରରେ ପହଞ୍ଚିଥିଲେ । ଆଜିଠାରୁ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ ନାମଲେଖା ୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ପ୍ରଥମ ଦିନରେ ୩୦ ହଜାରରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଆଡମିଶନ କରିଛନ୍ତି । ଛାତ୍ରଛାତ୍ରୀମାନେ ବିଭାଗୀୟ ୱେବସାଇଟ୍ କିମ୍ବା ନିଜ ମେଲ୍ ଆଇଡିରୁ ଇଣ୍ଟିମେସନ୍ ଲେଟର ଡାଉନଲୋଡ କରି ଇଣ୍ଟିମେସନ ଲେଟରରେ ଦିଆଯାଇଥିବା ତାରିଖ ଅନୁସାରେ ଆଜି ଛାତ୍ରଛାତ୍ରୀମାନେ ଆଡମିଶନ ସେଣ୍ଟରରେ ପହଞ୍ଚିଥିଲେ । ପରେ ଆବଶ୍ୟକୀୟ ପ୍ରମାଣପତ୍ର ଦେଖାଇ ଉପଯୁକ୍ତ ଫି ଡିପୋଜିଟ୍ କରି ନାମଲେଖାଇ ଥିଲେ । ଏବର୍ଷ ୧୫୧୩ ଜୁନିୟର କଲେଜରେ ଥିବା ୪,୪୧,୩୧୬ସିଟ୍‍ରେ ନାମଲେଖା ପାଇଁ ୩,୮୨,୭୬୫ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ୩,୧୨,୧୦୨ଜଣ ଛାତ୍ରଛାତ୍ରୀଙ୍କ ପାଖକୁ ଇଣ୍ଟିମେସନ ପଠାଯାଇଛି । ସେମାନଙ୍କ ମଧ୍ୟରୁ କଳାରେ ସର୍ବାଧିକ ୨ଲକ୍ଷ ୧୧ହଜାର୨୫୯ଜଣ, ବିଜ୍ଞାନରେ ୭୮ହଜାର ୯୦୫ଜଣ ଓ ବାଣିଜ୍ୟରେ ୨୧ ହଜାର ୯୩୮ଜଣ ପ୍ରଥମ ପର୍ଯ୍ୟାୟରେ ନାମ ଲେଖିବାକୁ ମନୋନୀତ ହୋଇଛନ୍ତି । ନାମଲେକାରେ ସୁବିଧା ପାଇଁ ରାଜ୍ୟରେ ବିଭିନ୍ନ କଲେଜରେ ସାସ୍ ରିସୋର୍ସ ସେଣ୍ଟର ଖୋଲାଯାଇଛି । ଆଡମିଶନ ସମୟରେ ସିବିଏସ୍ଇ ଛାତ୍ରଛାତ୍ରୀମାନେ ଡାଉନଲୋଡ୍ ହୋଇଥିବା ମାର୍କସିଟ ଓ ମାଇଗ୍ରେସନ ସାର୍ଟିଫିକେଟରେ ମଧ୍ୟ ଆଡମିଶନ କରିପାରିବେ ମାତ୍ର ସେଥିରେ ସେମାନଙ୍କ ସ୍କୁଲ ପ୍ରିନ୍ସପାଲଙ୍କ ସ୍ୱୀକୃତୀ ରହିବା ଆବଶ୍ୟକ ଏବଂ ଉକ୍ତ ଛାତ୍ରଛାତ୍ରୀମାନେ ୧ମାସ ମଧ୍ୟରେ ଅରିଜିନାଲ ମାର୍କସିଟ୍ ଏବଂ ମାଇଗ୍ରେସନ୍ ଡିପୋଜିଟ୍ କରିବାକୁ ପଡିବ । ଜୁଲାଇ ୧୦ରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଡାଟା ଇ-ସ୍ପେସ୍‍ରେ ଅପ୍‍ଟେଡ୍‍ ହେବ । ପ୍ରଥମ ପଯ୍ୟାୟ କଟଅଫ୍ରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ ନାମ ନଲେଖାଇଲେ ନାମଲେଖା ପ୍ରକ୍ରିୟାରୁ ବାଦ ପଡିବେ । ତେଣୁ ପ୍ରଥମ ପର୍ଯ୍ୟାୟରେ ଯେଉଁ କଲେଜ ପାଇଁ ଚୟନ ହୋଇଥିବେ ସେଠାରେ ନାମ ଲେଖାଇବାକୁ ପଡିବ । ସେମାନେ ଚାହିଁଲେ ପରବର୍ତ୍ତୀ ସମୟରେ ସିଟ୍ ଖାଲି ପଡିଥିବା ଯେ କୌଣସି କଲେଜକୁ ନିଜ ଇଚ୍ଛା ଅନୁସାରେ ବଦଳି କରିପାରିବେ । ଛାତ୍ରଛାତ୍ରୀଙ୍କୁ ପ୍ରୋସେସିଂ ଫି ବାବଦରେ ଆଡମିସନ ଟଙ୍କାରୁ ୧୦୦ଟଙ୍କା କାଟି ବଳକା ସମସ୍ତ ଟଙ୍କା ତାଙ୍କୁ ଫେରାଇ ଦିଆଯିବ । ଜୁଲାଇ ୧୩ରେ ଦ୍ୱିତୀୟ ପର୍ଯ୍ୟାୟ କଟ୍‍ଅଫ୍‍ ମାର୍କ ଘୋଷଣା କରାଯିବ । ଛାତ୍ରଛାତ୍ରୀଙ୍କୁ ଆଡମିଶନ ସେଣ୍ଟରରେ ସାହାଯ୍ୟ ଯୋଗାଇ ଦେବାପାଇଁ ହେଲ୍ପ ଡେକ୍ସ କରାଯାଇଥିବା ବେଳେ ୱେବସାଇଟରେ ସମସ୍ତ କଲେଜର ଅଧ୍ୟକ୍ଷଙ୍କ ନମ୍ବର ମଧ୍ୟ ଦିଆଯାଇଛି ।

ସେଆର କରନ୍ତୁ:



Powered by odothemes.com