polavaram

ପ୍ରକଳ୍ପ କାର୍ଯ୍ୟ ବନ୍ଦ ହେଉ

17

ପୋଲାଭରମ୍ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି
ଭୁବନେଶ୍ୱର, ୨୦ା୧୧(ବୁ୍ୟରୋ): ପୋଲାଭରମ୍ ପ୍ରକଳ୍ପକୁ ନେଇ ଓଡିଶା ପକ୍ଷରୁ ଉଠାଯାଇଥିବା ଆପତ୍ତି ଅଭିଯୋଗ ସମାଧାନ ନହେବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରଖାଯାଉ । ୨୦୧୮ ଜୁଲାଇ ୧୦ ତାରିଖରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ କାର୍ଯ୍ୟ ବନ୍ଦ ଆଦେଶ ଉପରେ ଦେଇଥିବା ସ୍ଥଗିତାଦେଶକୁ ପ୍ରତ୍ୟାହାର କରିନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଦାବି କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କୁ ୨୦୧୫ ସେପ୍ଟେମ୍ବର ୧୬, ୨୦୧୭ ନଭେମ୍ବର ୨୮, ୨୦୧୮ ଜୁଲାଇ ୧୨ରେ ଚିଠି ଲେଖି କେନ୍ଦ୍ର ପରିବେଶ ମନ୍ତ୍ରାଳୟ କାର୍ଯ୍ୟବନ୍ଦ ଆଦେଶକୁ ବାରମ୍ବାର ସ୍ଥଗିତ ରଖୁଥିବା ସମ୍ପର୍କରେ ଅବଗତ କରାଯାଇଛି । ଯଦି ଏହି ପ୍ରକଳ୍ପ ଉଠାଯାଇଥିବା ସମାସ୍ୟାର ସମାଧାନ ନହୋଇ ନିର୍ମାଣ କାର୍ଯ୍ୟ ଶେଷ ହୁଏ, ତାହେଲେ ଓଡିଶାର ଅନେକ ଜଙ୍ଗଲ ଜମି ଓ ଉର୍ବର ଜମି ଜଳମଗ୍ନ ହେବା ସହ ଆଦିବାସୀ ଅଧୁ୍ୟଷିତ ମାଲକାନଗିରି ଜିଲ୍ଲାର ବହୁ ଗ୍ରାମବାସୀ ବାସଚୁ୍ୟତ ହେବ । ୨୦୦୫ ଅକ୍ଟୋବର ୨୫ରେ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ପୂର୍ବରୁ ଏହି ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିଲେ । ମାତ୍ର କିଛି ପ୍ରକଳ୍ପରେ ପରିବର୍ତ୍ତନ ହେବା ଯୋଗୁଁ ୨୦୧୧ ଫେବ୍ରୁଆରୀ ୮ରେ ପରିବେଶ ମନ୍ତ୍ରାଳୟ କାର୍ଯ୍ୟବନ୍ଦ କରିବା ଲାଗି ନିଦେ୍ର୍ଦଶ ଦେଇଥିଲେ । ତେବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଅନୁରୋଧକ୍ରମେ ୨୦୧୩ ଫେବ୍ରୁଆରୀ ୨୭ ତାରିଖରେ ୬ ମାସ ଲାଗି କାର୍ଯ୍ୟବନ୍ଦ ଆଦେଶକୁ ସ୍ଥଗିତ ରଖାଯାଇଥିଲା । ପୁନର୍ବାର ୨୦୧୪ ଜାନୁଆରୀ ପହିଲାରେ ଆଉ ୬ ମାସ ଲାଗି ସ୍ଥଗିତ ରଖାଗଲା । ଏହାପରେ ୨୦୧୫ରୁ ୨୦୧୬, ୨୦୧୭ରୁ ୨୦୧୮, ୨୦୧୮ରୁ ୨୦୧୯ ପର୍ଯ୍ୟନ୍ତ ପୋଲାଭରମ୍ ପ୍ରକଳ୍ପ ଉପରେ ଥିବା କାର୍ଯ୍ୟ ବନ୍ଦ ନିଦେ୍ର୍ଦଶନାମା ସ୍ଥଗିତ ରଖାଗଲା । ତେବେ ଏହା ବୁଝାପଡୁନି ଯେ ଯେତେବେଳେ ଜଳଭଣ୍ଡାରଟି ସମ୍ପୂର୍ଣ୍ଣ ହୋଇଯିବ, ସେତେବେଳେ ଏହାର ନକ୍ସା ପରିବର୍ତ୍ତନ ଆଉ ସମ୍ଭବ ହେବନାହିଁ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୧୯ ପୂର୍ବରୁ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ ବୋଲି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାରେ ଜନଶୁଣାଣି ହୋଇନାହିଁ । ମାଲକାନଗିରିର ଯେଉଁ ଅଞ୍ଚଳ ଜଳମଗ୍ନ ହେବ ସେଠାରେ ଜନଶୁଣାଣି କରିବାର ଆବଶ୍ୟକତା ରହିଛି । ସେହିଭଳି ଉଦ୍ବୃତ ଜଳ ଯେଉଁ ପରିମାଣର ଆସିବ ସେଥିରେ ମାଲକାନଗିରି ଜିଲ୍ଲାର ବହୁ ଅଞ୍ଚଳ ଜଳମଗ୍ନ ହେବ । ତେବେ ଏଭଳି ସବିଶେଷ ତଥ୍ୟ ସଂଗ୍ରହ କରାନଯାଇ ଜନଶୁଣାଣି କରିବାର କୌଣସି ଅର୍ଥ ରହିବନାହିଁ । ତେବେ ଏହି ଘଟଣାରେ ଆପଣ ବ୍ୟକ୍ତିଗତଭାବେ ହସ୍ତକ୍ଷେପ କରନ୍ତୁ । ନହେଲେ ଓଡିଶାର ଏକ ସ୍ଥାୟୀ କ୍ଷତି ସବୁଦିନ ଲାଗି ରହିଯିବ । ପୋଲାଭରମ୍ ପ୍ରକଳ୍ପକୁ ନେଇ ସୁପ୍ରିମ୍କୋର୍ଟରେ ମଧ୍ୟ ମାମଲା ରହିଛି । ଓଡିଶା, ତେଲେଙ୍ଗାନା ଓ ଛତିଶଗଡ ମଧ୍ୟ ପ୍ରକଳ୍ପ ସମ୍ପର୍କରେ ଆପତ୍ତି ଉଠାଇଛନ୍ତି । ଗୋଦାବରୀ ଟ୍ରିବୁ୍ୟନାଲ୍ ରାୟ ଅନୁଯାୟୀ ପ୍ରକଳ୍ପର ରୂପରେଖ କରିବାକୁ ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଦାବି କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com