KAKATAPR-ECO

ନାଲିଫିତା ତଳେ ଇକୋ ଟୁରିଜିମ୍ ପ୍ରକଳ୍ପ

15

କାକଟପୁର(ପ୍ରଦୀପ ପଣ୍ଡା): ବଙ୍ଗୋପସାଗର ଓ ଦେବୀ ନଦୀର ସଙ୍ଗମସ୍ଥଳୀ ସୁଦୀର୍ଘ ଦେବୀ ମୁହାଣ ଠାରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରସ୍ଥାବିତ ଇକୋ ଟୁରିଜିମ୍ ପ୍ରକଳ୍ପ ଏବେ ନାଲିଫିତା ତଳେ । ପର୍ଯ୍ୟଟନ ଶିଳ୍ପରୁ ସିଂହ ଭାଗ ରାଜସ୍ୱ ମିଳୁଥିଲେ ବି ଏହାର ବିକାଶ ଦିଗରେ କାହାରି ଆନ୍ତରିକତା ନଥିବାରୁବିଭିନ୍ନ ପ୍ରକଳ୍ପ ଅଧା ରହିବା ସହିତ ଆଉ କିଛି ପ୍ରକଳ୍ପ ଆରମ୍ଭ ହେବା ଆଗରୁ ବନ୍ଦ ହୋଇ ଯାଉଛି । ଏପରି ସ୍ଥିତିରେ ପର୍ଯ୍ୟଟନ ବିଭାଗ ରାଜ୍ୟ ଓ ରାଜ୍ୟ ବାହାର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରି ପାରୁନାହିଁ ଓ ରାଜ୍ୟ ସରକାର ରାଜସ୍ୱ ହରାଉଛନ୍ତି ।
ବଙ୍ଗୋପସାଗର ଓ ଦେବୀ ନଦୀର ସଙ୍ଗମସ୍ଥଳୀ ଅସ୍ତରଙ୍ଗର ସହନ, ସୁଦ୍ଦିକେଶ୍ୱରରେ ଥିବା ମନଲୋଭା ବେଳାଭୂମିରେ ପର୍ଯ୍ୟଟନ ଶିଳ୍ପର ବିକାଶ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଇକୋ ଟୁରିଜିମ୍ ପ୍ରକଳ୍ପ ନିର୍ମାଣ ପାଇଁ ୩ ବର୍ଷ ତଳୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ
ଏ ପର୍ଯ୍ୟନ୍ତ ପ୍ରସ୍ଥାବିତ ପ୍ରକଳ୍ପ ପାଇଁ ଇଟା ଖଣ୍ଡିଏ ପଡି ପାରିଲା ନାହିଁ । ବିଳମ୍ବ ବିଷୟରେ ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ୱାଧୀନ ନାୟକଙ୍କୁ ପଚାରିବାରେ ସେ କହିଥିଲେ, ଅକ୍ଟୋବରରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଜଙ୍ଗଲ ବିଭାଗ ପକ୍ଷରୁ ପ୍ରସ୍ଥାବିତ ପ୍ରକଳ୍ପ ପାଇଁ ଯାଗା ଚିହ୍ନଟ ପ୍ରକି୍ରୟା ଶେଷ ହୋଇଛି । ଇକୋ ଟୁରିଜିମ୍ ପ୍ରକଳ୍ପ ଶୀଘ୍ର କାର୍ଯ୍ୟକାରୀ କରାଗଲେ, ଉପକୂଳବର୍ତ୍ତି ୧୦/୧୫ ଖଣ୍ଡ ଗ୍ରାମର ଯୁବକମାନେ ଆର୍ଥିକ ସ୍ୱଚ୍ଛଳତା ପାଇ ପାରିବେ । ଏ ନେଇ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହିତ ସେ ଆଲୋଚନା କରିଛନ୍ତି ଏବଂ ଖୁବ୍ ଶୀଘ୍ର ପ୍ରକଳ୍ପ କାମ ଆରମ୍ଭ କରାଯିବ ବୋଲି ସେ କହିଥିଲେ । ମନଲୋଭା ପରିବେଶ ପାଇଁ ଗଙ୍ଗାଦେବୀ ମୁହାଣ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଦେବୀ ମୁହାଣ ଠାରେ ବିଦେଶୀ ପକ୍ଷୀଙ୍କ କଳରବ, ଘଞ୍ଚ ଜଙ୍ଗଲର ନୀରବତାରେ ବିମୁଗ୍ଧ ହୁଅନ୍ତି ପ୍ରାଣୀ ଓ ପରିବେଶପ୍ରେମୀ । ପର୍ଯ୍ୟଟନ ଋତୁ ଆରମ୍ଭ ହୋଇ ଥିବାବେଳେ ଡିସେମ୍ବର ଓ ଜାନୁଆରୀରେ ଲକ୍ଷାଧିକ ପର୍ଯ୍ୟଟକ ପୀର ଜାହାନିଆ ବେଳାଭୂମି ଓ ଗଙ୍ଗାଦେବୀ ମୁହାଣଠାରେ ବଣ ଭୋଜିର ମଜା ନେବା ପାଇଁ ଭିଡ ଜମାଇଥାନ୍ତି । ତେଣୁ ପର୍ଯ୍ୟଟନ ବିଭାଗ ଦେବୀ ମୁହାଣ ସହିତ ଏହି ସୁଦୀର୍ଘ ବେଳାଭୂମୀକୁ ସରସ ସୁନ୍ଦର କରି ପାରିଲେ, ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବଢ଼ି ପାରନ୍ତା ବୋଲି ପରିବେଶବିଦ୍ ଶୋଭାକର ବି. ଯାଦବ ପ୍ରକାଶ କରିଛନ୍ତି ।
ଏହି ସଂଗମସ୍ଥଳୀରେ ବିଦେଶୀ ପକ୍ଷୀଙ୍କ ସହିତ ବିଭିନ୍ନ ପ୍ରଜାତିର ହରିଣ, ଅଲିଭ୍ ରିଡ୍ଲେ କଇଁଛଙ୍କ ବିଚରଣ ଆହୁରି ମନଲୋଭା କରିଥାଏ । ବଣଭୋଜି ନିମନ୍ତେ ଜାହାନିଆ ବେଳାଭୂମି ସମେତ ଗଙ୍ଗାଦେବୀ ମୁହାଣ ଠାରେ ଲକ୍ଷ ଲକ୍ଷ ପର୍ଯ୍ୟଟକ ଜମା ହେଉଥିଲେ ମଧ୍ୟ ଉକ୍ତ ମୁହାଣକୁ ଏ ପର୍ଯ୍ୟନ୍ତ ସବୁଦିନିଆ ରାସ୍ତାଟିଏ ନିର୍ମାଣ ହୋଇ ପାରି ନାହିଁ । ପ୍ରସ୍ଥାବିତ ଇକୋ ଟୁରିଜିମ୍ ପ୍ରକଳ୍ପ ଠାରେ ପାନୀୟଜଳ, ଆଲୋକକରଣ, ପିଣ୍ଡି ବ୍ୟବସ୍ଥା ଆଦି କାର୍ଯ୍ୟକାରୀ କରାଗଲେ ପର୍ଯ୍ୟଟକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବା ସହିତ ରାଜ୍ୟ ଆର୍ଥିକ ଦୃଷ୍ଟିରୁ ବେଶ୍ ଲାଭବାନ୍ ହେବ ବୋଲି ପୀର ଜାହାନିଆ ବେଳାଭୂମି ସୁରକ୍ଷା ମଞ୍ଚ ପକ୍ଷରୁ କୁହାଯାଇଛି ।

ସେଆର କରନ୍ତୁ:



Powered by odothemes.com