BIKHYOBA-NEWS-PHOTO

କାଠ ସ୍ଥାନାନ୍ତର ପାଇଁ ବନବିଭାଗ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

13

ଉଦଳା,୨୧ ।୧୧(ଆପ୍ର): ଦୁଇ ଲକ୍ଷ ଟଙ୍କା ଦେଲେ ରୋଡ ପରମିଟ୍ ମିଳିବ । ତା ପରେ ଯାଇ କାଠ ସ୍ଥାନାନ୍ତର ହେବ, ନ ହେଲେ ସେହିଠାରେ ପଡି ରହି ମୂଲ୍ୟବାନ କାଠ ନଷ୍ଟ ହେଉଥିବ ହେଲେ ପରମିଟ୍ ମିଳିବ ନାହିଁ । ଏ କଥା ଜଙ୍ଗଲ ସୁରକ୍ଷା କମିଟି ସଦସ୍ୟଙ୍କୁ ଉଦଳା ବନବିଭାଗର ରେଞ୍ଜର କହିଛନ୍ତି । କଥାଟି ଶୁଣିବାକୁ ନିଶ୍ଚିତ ଅଜବ ଲାଗୁଥିବ । ରୋଡ ପାରମିଟ୍ ନିମନ୍ତେ ଏତେ ଟଙ୍କା କଣ ପାଇଁ ମାଗୁଛନ୍ତି ରେଞ୍ଜର । କାରଣ ଚାଲାଣ ହେବାକୁ ଥିବା କାଠ ଗୁଡିକ ମୂଲ୍ୟବାନ୍ ଶାଗୁଆନ କାଠ । ଯାହାର ସ୍ଥାନାନ୍ତର ବା ଚାଲାଣ ନେଇ ବାରମ୍ବାର ବନ ବିଭାଗ ରେଞ୍ଜରଙ୍କ ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା ରେଞ୍ଜର ପରମିଟ୍ ଦେବାକୁ ରାଜି ନୁହଁନ୍ତି । ଯାହାକି ଶେଷରେ କାଠ ସ୍ଥାନାନ୍ତର ନିମନ୍ତେ ପରମିଟ୍ ପ୍ରଦାନ ଦାବିରେ ବୁଧବାର ଦିନ ସ୍ଥାନୀୟ ରେଞ୍ଜ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରେଞ୍ଜରଙ୍କୁ ଘେରିଥିଲେ ବାରଖଣ୍ଡା ବନ୍ୟ ସଂରକ୍ଷଣ ସମିତି ସଦସ୍ୟମାନେ ।
ଅଭିଯୋଗ ଅନୁସାରେ, ଉଦଳା ବ୍ଲକ ଦୁତିକାଦେଇପୁର ଗ୍ରାମ ମା ବାରଖଣ୍ଡା ବନ୍ୟ ସଂରକ୍ଷଣ ସମିତି ସଦସ୍ୟମାନେ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ସୁରକ୍ଷା ଦେଇ ଆସିଥିଲେ । ହେଲେ ଗତ ଫାଇଲିନ୍ ଓ ହୁଡହୁଡ୍ ବାତ୍ୟାରେ ଜଙ୍ଗଲରେ ଥିବା ବହୁ ମୂଲ୍ୟବାନ୍ ଗଛ ଉପୁଡି ପଡିଥିଲା । ଉପୁଡି ଯାଇଥିବା ଗଛଗୁଡିକୁ କାଟିବା ପାଇଁ ବାରିପଦା ଫରେଷ୍ଟ ଡିଭିଜନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଥିଲା । କମିଟିର ସଦସ୍ୟମାନେ ଉପୁଡି ଯାଇଥିବା ଗଛ ଗୁଡିକୁ କାଟିଥିଲେ । କଟାଯାଇଥିବା ଗଛର କାଠ ଗୁଡିକୁ ବିକ୍ରି କରିବା ନିମନ୍ତେ ରୋଡ ପରମିଟ୍ର ଆବଶ୍ୟକତା ରହିଥିବା ବେଳେ ଏହି ରୋଡ ପରମିଟ୍ ନିମନ୍ତେ କମିଟିର ସଦସ୍ୟମାନେ ଉଦଳା ବନବିଭାଗ ରେଞ୍ଜରଙ୍କ ନିକଟରେ ପହଞ୍ଚôଥିଲେ । ତାଙ୍କୁ କାଠ ଚାଲାଣ ନିମନ୍ତେ ପାରମିଟ୍ ଦେବାକୁ କମିଟିର ସଦସ୍ୟମାନେ ନିବେଦନ କରିଥିବା ବେଳେ ଉଦଳା ରେଞ୍ଜର ତାଙ୍କୁ ଦୁଇ ଲକ୍ଷ ଟଙ୍କା ମାଗିଥିଲେ । କାରଣ ଚାଲାଣ ହେବାକୁ ଥିବା କାଠ ଗୁଡିକ ମୂଲ୍ୟବାନ୍ ସାଗୁଆନ ଗଛର କାଠ । ତେବେ ଦୀର୍ଘ ୬ ମାସ ହେବ ଗଛ ଗୁଡିକ କଟା ହୋଇ ଜଙ୍ଗଲରେ ପଡି ରହିଥିବା ବେଳେ ଏହା ଚାଲାଣ ନ ହେବାରୁ ଦିନକୁ ଦିନ କାଠ ଗୁଡିକ ନଷ୍ଟ ହେବାରେ ଲାଗିଛି । ଏପରିକି ଏହି କାଠଗୁଡିକ ବିକ୍ରି କରିବା ନିମନ୍ତେ କମିଟି ପକ୍ଷରୁ ନିଲାମ୍ ମଧ୍ୟ କରାଯାଇ ସରିଛି । ହେଲେ ପରମିଟ୍ ପ୍ରଦାନ କରାଯାଉ ନ ଥିବାରୁ ଏହା ସ୍ଥାନାନ୍ତର ହୋଇ ପାରୁ ନାହିଁ । ଯାହାକୁ ନେଇ ବୁଧବାର ଦିନ ବାରଖଣ୍ଡା ବନ ସଂରକ୍ଷଣ ସମିତିର ସଦସ୍ୟମାନେ ସ୍ଥାନୀୟ ରେଞ୍ଜରଙ୍କ କାମକୁ ବିରୋଧ କରିବା ସହିତ ପରମିଟ୍ ପ୍ରଦାନ କରିବା ଦାବି ନେଇ ବିକ୍ଷୋଭ କରିଥିଲେ । ପରମିଟ୍ ପ୍ରଦାନ ନିମନ୍ତେ ଲାଞ୍ଚ ମାଗିବା ଘଟଣା ବାବଦରେ ରେଞ୍ଜର ଅଜୟ ଦାସଙ୍କୁ ପଚାରିବାରୁ କିଏ କଣ କହିବେ ସେଥିପାଇଁ ମୁଁ ଦାୟୀ ନୁହେଁ ଏବଂ ସେମାନଙ୍କୁ ପରମିଟ୍ ପ୍ରଦାନ କରିବାରେ କିଛି କାଗଜପତ୍ର କାମ ଅଟକି ରହିଥିବା କହିଥିଲେ ।

ସେଆର କରନ୍ତୁ:



Powered by odothemes.com