Pradeep-maharathi

ଚାଷୀ ପରିବାରର ଆୟ: ଦେଶର ୩୫ତମ ସ୍ଥାନରେ ଓଡ଼ିଶା

16

ଭୁବନେଶ୍ୱର: ଚାଷୀଙ୍କ ଆୟ ଦୁଇଗୁଣ ବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବାରମ୍ବାର ଘୋଷଣା କରୁଥିବା ବେଳେ ଓଡ଼ିଶାରେ ଚାଷୀ ପରିବାରର ଆୟ ବଢ଼ିବା ପରିବର୍ତ୍ତେ କମିବାରେ ଲାଗିଛି । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିବା ବିସ୍ତୃତ ପରିସଂଖ୍ୟାନରୁ ଏହା ଜଣାପଡ଼ିଛି ।
୨୦୧୨-୧୩ ବର୍ଷରେ ଓଡ଼ିଶାରେ ଚାଷୀ ପରିବାରର ହାରାହାରି ଆୟ ୫୩,୪୫୦ ଟଙ୍କା ଥିବାବେଳେ ୨୦୧୩-୧୪ ବର୍ଷରେ ତାହା ୫୦,୩୦୪ ଟଙ୍କାକୁ କମିଥିଲା । ତେବେ ୨୦୧୪-୧୫ ବର୍ଷରେ ଏହା ୫୪,୮୬୭ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ୨୦୧୫-୧୬ ବର୍ଷରେ ଓଡ଼ିଶାରେ ଚାଷୀ ପରିବାରର ଆୟ ୪୭,୯୮୮ ଟଙ୍କା ଥିଲା ବୋଲି ମନ୍ତ୍ରୀ ତାଙ୍କ ତଥ୍ୟରେ ଦର୍ଶାଇଛନ୍ତି । ମନ୍ତ୍ରୀଙ୍କ ପ୍ରଦତ୍ତ ଏହି ତଥ୍ୟ ଅନୁଯାୟୀ ୨୦୧୫-୧୬ ବର୍ଷରେ ଚାଷୀ ପରିବାରର ବାର୍ଷିକ ହାରାହାରି ଆୟ ଲାକ୍ଷାଦ୍ୱୀପ, ଦିଲ୍ଲୀ, ଚଣ୍ଡୀଗଡ଼ ଆଦିରେ ୨ ଲକ୍ଷ ଟଙ୍କାରୁ ଅଧିକ କରି ରହୁଥିବା ବେଳେ ଏହା ପଞ୍ଜାବରେ ୧,୯୭,୯୮୧ ଟଙ୍କା । ଅନ୍ୟ ଯେଉଁସବୁ ରାଜ୍ୟରେ ୨୦୧୫-୧୬ ବର୍ଷରେ ଚାଷୀ ପରିବାରର ହାରାହାରି ଆୟ ୧ ଲକ୍ଷ ଟଙ୍କାରୁ ଅଧିକ ରହିଛି ସେଗୁଡ଼ିକ ହେଲା ହରିଆନା, ଅରୁଣାଚଳ ପ୍ରଦେଶ, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଗୁଜରାଟ, କର୍ଣ୍ଣାଟକ, କେରଳ, ହିମାଚଳ ପ୍ରଦେଶ, ଜାମ୍ମୁକାଶ୍ମୀର ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ।
୨୦୧୫-୧୬ ବର୍ଷରେ ଓଡ଼ିଶାରେ ଚାଷୀ ପରିବାରର ହାରାହାରି ଆୟ ୪୭,୯୮୮ ଟଙ୍କା ଥିବା ବେଳେ ବିହାରରେ ଏହା ୩୬,୩୩୩ ଟଙ୍କା ରହିଛି । ମୋଟାମୋଟି ଭାବେ ବିଧାନସଭାରେ ମନ୍ତ୍ରୀ ଦେଇଥିବା ବିସ୍ତୃତ ପରିସଂଖ୍ୟାନ ବିଶ୍ଳେଷଣରୁ ଜଣାପଡ଼ିଛି ଯେ ୨୦୧୫-୧୬ ବର୍ଷରେ ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଓଡ଼ିଶାର ସ୍ଥାନ ୩୫ରେ ରହୁଛି । କେବଳ ବିହାର ଓଡ଼ିଶା ପଛକୁ ଅଛି । ଶ୍ରୀ ରାୟଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ୨୦୧୨-୧୩ ବର୍ଷରେ ଓଡ଼ିଶାରେ କୃଷି ପରିବାରର ମାସିକ ହାରାହାରି ଆୟ ୪୯୭୬ ଟଙ୍କା ଆକଳନ କରାଯାଇଥିଲା । ଏଥିମଧ୍ୟରୁ ନିରୋଳା କୃଷିରୁ ୧୪୦୭ ଟଙ୍କା ଥିବା ବେଳେ ମଜୁରୀରୁ ୧୭୧୬, ପଶୁ ପାଳନରୁ ୧୩୧୪ ଓ ଅଣକୃଷି ବ୍ୟବସାୟରୁ ୫୩୯ ଟଙ୍କା ବୋଲି ହିସାବକୁ ନିଆଯାଇଛି । ମୋଟାମୋଟି ଭାବେ ନିରୋଳା କୃଷିରୁ ମାସିକ ହାରାହାରି ଆୟ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ମଧ୍ୟ ତଳଆଡ଼ୁ ଦ୍ୱିତୀୟରେ ରହିଛି । ଏହି ହିସାବ ଅନୁଯାୟୀ ନିରୋଳା କୃଷିରୁ ସର୍ବଭାରତୀୟ ସ୍ତରରେ ଚାଷୀ ପରିବାରର ମାସିକ ହାରାହାରି ଆୟ ୩୦୮୧ ଟଙ୍କା ଦର୍ଶାଯାଇଥିବା ବେଳେ ଓଡ଼ିଶାରେ ଏହା ଅଧାରୁ କମ୍ ରହିଛି । ନିରୋଳା କୃଷିରୁ ଉକ୍ତ ବର୍ଷରେ ପଞ୍ଜାବର ଚାଷୀ ପରିବାରର ମାସିକ ହାରାହାରି ଆୟ ୧୦,୮୬୨ ଟଙ୍କା ଥିବା ବେଳେ ଅନ୍ୟାନ୍ୟ ସୂତ୍ରକୁ ମିଶାଇ ପଞ୍ଜାବ ଚାଷୀ ପରିବାରର ମାସିକ ହାରାହାରି ଆୟ ୧୮,୦୫୯ ଟଙ୍କା ୨୦୧୨-୧୩ ବର୍ଷରେ ଥିବା ଓଡ଼ିଶା କୃଷିମନ୍ତ୍ରୀଙ୍କ ପ୍ରଦତ୍ତ ହିସାବରେ ଉଲ୍ଲେଖ ରହିଛି ।

ସେଆର କରନ୍ତୁ:



Powered by odothemes.com