GOSTHI-SANGHARSA---2018-PHOTO-TIHIDI

୧୧ ଆହତ, ୭ଠ ଜଣଙ୍କ ବିରୋଧରେ ମାମଲା

11

ଚାନ୍ଦବାଲିରେ ରାଜନୈତିକ ସଂଘର୍ଷ
ଚାନ୍ଦବାଲି(ଆପ୍ର): ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଚାନ୍ଦବାଲି ବ୍ଳକ୍ରେ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ତୁହାକୁ ତୁହା କର୍ମୀ ବୈଠକ, ସମାବେଶ, ପଦଯାତ୍ରା, ଘେରାଉ, ବିକ୍ଷୋଭ ଆଦି କାର୍ଯ୍ୟକ୍ରମ ଚାଲିଛି । ଏହି କ୍ରମରେ ସୋମବାର ବିଜେପି ପକ୍ଷରୁ ଚାନ୍ଦବାଲି ବ୍ଲକ ଘେରାଉ କରାଯିବାକୁ ନେଇ ରାଜନୈତିକ ସଂଘର୍ଷ ଘଟିଛି । ଅପରାହ୍ଣ ୪ଟାରେ କାର୍ଯ୍ୟକ୍ରମ ଶେଷ ହେବା ପରେ ସନ୍ଧ୍ୟାରେ ଏହାକୁ କେନ୍ଦ୍ରକରି ବିଜେପି ଓ ବିଜେଡି କର୍ମୀମାନେ ସ୍ଥାନୀୟ ଉତୁକୁଡା ପଞ୍ଚାୟତ ବୁରଜାଲ ଗାଁରେ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷ ମଧ୍ୟରେ କଥା କଟାକଟିରୁ ରକ୍ତାକ୍ତ ସଂଘର୍ଷ ଘଟି ୧୧ରୁ ଅଧିକ ମହିଳା ଓ ପୁରଷ ଆହତ ହୋଇଛନ୍ତି । ଢେଲାପଥର ମାଡ଼, ଘରଦ୍ୱାର ଲୁଟ ଓ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି । ଉଭୟ ପକ୍ଷର ଏତଲା ବଳରେ ପୁଲିସ ପ୍ରାୟ ୭୦ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ଗ୍ରାମରେ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ସୂଚନା ଅନୁଯାୟୀ, ଚାନ୍ଦବାଲି ସହରରେ ଭାଜପା ନେତା ମନମୋହନ ସାମଲଙ୍କ ନେତୃତ୍ୱରେ ବିକ୍ଷୋଭ ସମାବେଶ ଆୟୋଜିତ ହୋଇଥିଲା । ବ୍ଲକ୍ ଘେରାଓ ପରେ ବୁରୁଜାଲ ଗାଁ ମୁଣ୍ଡ ଛକରେ ଉଭୟ ପକ୍ଷ ମଧ୍ୟରେ କମେଣ୍ଟ ମରାକୁ କେନ୍ଦ୍ରକରି ଧସ୍ତାଧସ୍ତି ହୋଇଥିଲା । ଗାଁ ମଝିରେ ଉଭୟ ପକ୍ଷର ମହିଳା ଓ ପୁରୁଷ ରକ୍ତାକ୍ତ ସଂଘର୍ଷରେ ଲିପ୍ତ ହୋଇପଡ଼ିଥିଲେ । ଢେଲା ପଥର ମାଡ଼ ଏବଂ ଠେଙ୍ଗାବାଡ଼ିରେ ଆକ୍ରମଣ କରାଯିବା ସହିତ ଘରଦ୍ୱାର ଭଙ୍ଗାରୁଜା ଓ ଲୁଟପାଟ୍ କରାଯାଇଥିଲା । ଏଥିରେ ସରୋଜ ବେହେରା, ନିରଞ୍ଜନ ରାଉଳ, ନିରାକାର ରାଉତ, ନିରାକାର ବେହେରା, କରୁଣି ରାଉଳ, ବାଇଧର ବେହେରା, ରଘୁନାଥ ବେହେରା, ଜନ୍ମେଜୟ ରାଉତ, ନବ ମହାଳିକ, ବାପି ରାଉଳ, ପୂର୍ଣ୍ଣଚନ୍ଦ୍ର ବେହେରା, କାଞ୍ଚନ ମହାଳିକ ପ୍ରମୁଖ ଆହତ ହୋଇଥିଲେ । । ଆହତମାନଙ୍କୁ ଚାନ୍ଦବାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗୁରୁତର ୪ ଜଣଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ଚାନ୍ଦବାଲି ଥାନା ଅଧିକାରୀ ମୀନତି ବିଶ୍ୱାଳ ଏକ ପ୍ଲାଟୁନ ଫୋର୍ସ ସହିତ ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି । ବିଜେପି ତରଫରୁ ବବିତା ରାଉଳଙ୍କ ଏତଲା ବଳରେ ପୁଲିସ କେଶ ନଂ ୨୬୧/୧୮ରେ ୩୨ ଜଣ ବିଜେଡି କର୍ମୀଙ୍କ ନାମରେ ମୋକଦ୍ଦମା ରୁଜୁ କରିଛି । ସେହିପରି ବିଜେଡି ପକ୍ଷରୁ ବିନୟ ବେହେରାଙ୍କ ପାଲଟା ଏତଲା ଦ୍ୱାରା କେଶ ନଂ ୨୬୨/୧୮ରେ ୩୮ ଜଣଙ୍କ ନାମରେ ମୋକଦ୍ଦମା ରୁଜୁ କରାଯାଇଛି । ବିଶେଷକରି ସଂଘର୍ଷର ନେତୃତ୍ୱ ନେଇଥିବା ୧୨ ଯୁବକଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପୁଲିସ ପ୍ରୟାସ ଚଳାଇଛି ।

ସେଆର କରନ୍ତୁ:



Powered by odothemes.com