181120145732-01-kabul-attack-1120-restricted-exlarge-169

ଆତ୍ମଘାତୀ ବିସ୍ଫୋରଣ, ୪ଠ ମୃତ

9

କାବୁଲ(ଏଜେନ୍ସି): ଆଫଗାନିସ୍ତାନ ରାଜଧାନୀ କାବୁଲର ଛାତି ଉପରେ ମଙ୍ଗଳବାର ପୁଣିଥରେ ଆତଙ୍କବାଦୀଙ୍କ ପକ୍ଷରୁ ନରସଂହାର ଖେଳ ଖେଳାଯାଇଛି । ଏଠାରେ ଥିବା ଏକ ହଲ୍ ମଧ୍ୟରେ ଭୟାବହ ଆତ୍ମଘାତୀ ବିସ୍ଫୋରଣ ଘଟାଯାଇଛି, ଯେଉଁଥିରେ ୪ଠଜଣଙ୍କ ପ୍ରାଣହାନୀ ଏବଂ ୬ଠରୁ ଅଧିକ ଗୁରୁତର ହୋଇଥିବା ସୂଚନା ମିଳିଛି । ଗତ କିଛି ମାସ ମଧ୍ୟରେ କାବୁଲରେ ହୋଇଥିବା ଅନେକ ଆତଙ୍କବାଦୀ ଆକ୍ରମଣ ମଧ୍ୟରୁ ଏହାକୁ ସର୍ବବୃହତ୍ ଆକ୍ରମଣ ବୋଲି ବିବେଚନା କରାଯାଉଛି ।ପ୍ରାପ୍ତ ସୂଚନାନୁସାରେ କାବୁଲ ଉପକଣ୍ଠରେ ଥିବା ୟୁରାନସ୍ ହଲ୍ରେ ପ୍ରୋଫେଟ୍ ମୁହମ୍ମଦ୍ଙ୍କ ଜୟନ୍ତୀ ପାଳନ ଅବସରରେ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଇସ୍ଲାମ୍ ଧର୍ମର ବହୁ ଧର୍ମଗୁରୁ ଏଥିରେ ଯୋଗଦେଇଥିଲେ । ହଲ୍ଟିରେ ପ୍ରାୟ ୧ହଜାରରୁ ଊଦ୍ଧ୍ୱର୍ ବ୍ୟକ୍ତିଙ୍କ ସମାଗମ ହୋଇଥିଲା । ଏହି ସମୟରେ ଆଫଗାନ୍ ସରକାରଙ୍କ ପକ୍ଷରୁ ସୁରକ୍ଷାବ୍ୟବସ୍ଥା କଡାକଡି କରାଯାଇଥିଲେ ମଧ୍ୟ ଜଣେ ଆତଙ୍କବାଦୀ ହଲ୍ ମଧ୍ୟକୁ ପ୍ରବେଶ କରିବାରେ ସଫଳ ହୋଇଥିଲା । ଧର୍ମ ଉପରେ ଆଲୋଚନା ଚାଲିଥିବା ବେଳେ ଉକ୍ତ ଆତଙ୍କବାଦୀ ହଲ୍ର ମଧ୍ୟଭାଗକୁ ଚାଲିଆସି ନିଜକୁ ବିସ୍ଫୋରଣ କରାଇଦେଇଥିଲା । ଏହି ଘଟଣା ପାଇଁ ଅଦ୍ୟାବଧି କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନଥିଲେ ମଧ୍ୟ ଗତ କିଛି ସମୟ ଧରି ଆଇଏସ୍ଆଇଏସ୍ର କାର୍ଯ୍ୟକଳାପରୁ ଏହା ପଛରେ ଆଇଏସ୍ଆଇଏସ୍ର ହାତ ଥିବା ଅନୁମାନ କରାଯାଉଛି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି । ସୂଚନାଥାଉ କି, ମିଳିତ ଜାତିସଂଘ ପକ୍ଷରୁ ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ୨ଠ୧୮ ଜାନୁଆରୀ ୧ରୁ ଜୁନ୍ ୩ଠ ପର୍ଯ୍ୟନ୍ତ କାବୁଲରେ ଆଫଗାନିସ୍ତାନରେ ସଂଘଠିତ ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୧୭ଠଠ ଲୋକଙ୍କ ପ୍ରାଣହାନୀ ଘଟିଛି ।

ସେଆର କରନ୍ତୁ:



Powered by odothemes.com