TO-DAY-ASSEMLY-(4)

ଗୃହରେ ହଟ୍ଟଗୋଳ, ମୁଲତବୀ

23

ଏସ୍ସି ଛାତ୍ରଙ୍କ ଶିକ୍ଷାବୃତ୍ତି କେନ୍ଦ୍ର ଦେଉନି
ଭୁବନେଶ୍ୱର, ୧୯ ।୧୧ (ବୁ୍ୟରୋ): ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ବୃତ୍ତି ପ୍ରଦାନ ନେଇ କେନ୍ଦ୍ର ସରକାର ଅନୁଦାନ ହ୍ରାସ କରିବା ନେଇ ଆଜି ଶାସକ ବିଜେଡି ଦଳର ସଭ୍ୟମାନେ ବିଧାନସଭାରେ ହଟ୍ଟଗୋଳ କରିଛନ୍ତି । ବିଜେଡି ବିଧାୟକମାନେ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିର ନକଲ ଦେଖାଇ ନିଜ ନିଜ ଆସନରେ ଠିଆ ହୋଇ କେନ୍ଦ୍ର ବିରୋଧରେ ସ୍ଲୋଗାନ ଦେଇଥିଲେ । ଅପରପକ୍ଷରେ ଶାସକ ଦଳ ସଭ୍ୟଙ୍କୁ ଜବାବ ଦେଇ କଂଗ୍ରେସ ବିଧାୟକମାନେ ସଚିବାଳୟରେ କାହିଁକି ସିବିଆଇ ପସିଲା ବୋଲି ସରକାର ଜବବା ଦେବା ଦାବିରେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ବିଜେପି ବିଧାୟକମାନେ ମଧ୍ୟ ବିୟର କାରଖାନା ପାଇଁ ଗଛକଟା ପ୍ରସଙ୍ଗ ଉଠାଇ ସ୍ଲୋଗାନ ବାଜି କରିଥିଲେ । ଫଳରେ ପ୍ରଶ୍ନୋତ୍ତରକାଳ ମାତ୍ର ୩ ମିନିଟ୍ ଚାଲିବା ସମ୍ଭବ ହୋଇ ନଥିଲା । ବାଚସ୍ପତି ପ୍ରଦୀପ ଅମାତ ଗୃହର ଅସ୍ୱାଭାବିକ ପରିସ୍ଥିତି ଯୋଗୁଁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ଅପରାହ୍ଣ ୩ଟାରେ ଅଧିବେଶନ ଆରମ୍ଭ ହେବାପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସରକାରଙ୍କଠାରୁ ୩ ବିଷୟରେ ସ୍ପଷ୍ଟୀକରଣ ଲୋଡିଥିଲେ । ଏ ସମ୍ପର୍କରେ ବାଚସ୍ପତିଙ୍କ ରୁଲିଂ ଦାବି କରି କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବାରୁ ଗୃହକୁ ୩ଟା ୧୧ ମିନିଟ୍ରେ ୩୦ ମିନିଟ୍ ଲାଗି ମୁଲତବୀ ଘୋଷଣା କରିଥିଲେ । ଏହାପରେ ୩ଟା ୪୨ ମିନିଟ୍ରେ ବାଚସ୍ପତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ଅର୍ଥ ବିଭାଗ ସମ୍ପର୍କିତ ନିଷ୍ପତ୍ତିକୁ ଉପସ୍ଥାପନ କରିବା ଲାଗି ଡାକିଥିଲେ । ତେବେ କଂଗ୍ରେସ ବିଧାୟକମାନେ ରୁଲିଂ ଦାବି କରି ହଟ୍ଟଗୋଳ କରିବାରୁ ଗୃହର କାର୍ଯ୍ୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା । ଆଜି ପ୍ରଶ୍ନୋତ୍ତର କାଳ ଆରମ୍ଭ ହେବାମାତ୍ରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କର ଏକ ପ୍ରଶ୍ନର ଉତ୍ତର ଦେବାପାଇଁ ବାଚସ୍ପତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ଡାକିଥିଲେ । ଶ୍ରୀ ବେହେରା ଉତ୍ତର ରଖି କହିଥିଲେ ଯେ, ୨୦୧୫-୧୬ ଆର୍ଥିକ ବର୍ଷରୁ କେନ୍ଦ୍ର ସରକାର ୮ଟି ସ୍କିମ୍କୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଥିବାରୁ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇଛି । ଜାତୀୟ ଇ-ପ୍ରଶାସନ କାର୍ଯ୍ୟକ୍ରମ ଯୋଜନାର ଅନୁଦାନ ପାଣ୍ଠି, ଆରକ୍ଷୀ ବାହିନୀ ଅଧୁନିକୀକରଣ, ରାଜୀବ ଗାନ୍ଧି ପଞ୍ଚାୟତି ପ୍ରଶସ୍ତିକରଣ ଅଭିଯାନ, ରପ୍ତାନୀ କାରବାର ପାଇଁ ଭିତ୍ତିଭୂମି ଉନ୍ନୟନ ସହାୟତା, ବ୍ଲକ୍ସ୍ତରରେ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା, ଖାଦ୍ୟ ପ୍ରକି୍ରୟାକରଣ ଜାତୀୟ ମିଶନ ଓ ପର୍ଯ୍ୟଟନ କ୍ଷେତ୍ରରେ ଭିତ୍ତିଭୂମି ଅନୁଦାନ ଆଦି ଯୋଜନା ବନ୍ଦକରି ଦେଇଛନ୍ତି । ଏହାବ୍ୟତୀତ କେନ୍ଦ୍ର ସରକାର ଅନେକ ଗୁଡ଼ିଏ କେନ୍ଦ୍ରୀୟ ପ୍ରଗତି ଯୋଜନାରେ ରାଜ୍ୟକୁ ମିଳୁଥିବା କେନ୍ଦ୍ରୀୟ ଅଂଶ ଓ ରାଜ୍ୟ ଅଂଶକୁ ୬୦:୪୦ ଅନୁପାତ କରିବା ଦ୍ୱାରା ରାଜ୍ୟ ଅଂଶ ବୃଦ୍ଧି ପାଇଛି । ସେହିଭଳି କେନ୍ଦ୍ରୀୟ ଅନୁଦାନ ଆକାରରେ ମିଳୁଥିବା କେନ୍ଦ୍ରୀୟ ସହାୟତା ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିଶ କ୍ରମେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିର କେନ୍ଦ୍ର ଅଂଶ ଓ ରାଜ୍ୟ ଅଂଶ ଯଥାକ୍ରମେ ୯୦% ଓ ୧୦ ପ୍ରତିଶତ ହେବାରଥିଲା । କିନ୍ତୁ କେନ୍ଦ୍ର ସରକାର ଏହି ଅଂଶରେ ପରିବର୍ତ୍ତନ କରି ଜିଏସ୍ଟି ଲାଗୁ ହେବା ପର୍ଯ୍ୟନ୍ତ ପୂର୍ବ ନିର୍ଦ୍ଧାରିତ ଅନୁସାରେ କେନ୍ଦ୍ର ଅଂଶ ଓ ରାଜ୍ୟ ଅଂଶ ଯଥାକ୍ରମେ ୭୫ ଓ ୨୫ ପ୍ରତିଶତ ରଖିଛନ୍ତି । ୨୦୧୭ ଜୁଲାଇ ୧ ତାରିଖରୁ ଜିଏସ୍ଟି ଳାଗୁ ହେବାପରେ କେନ୍ଦ୍ର ସରକାର ୨୦୧୮-୧୯ ଆର୍ଥିକ ବର୍ଷରେ ଏଫ୍ଡିଆରଏସ୍ରେ କେନ୍ଦ୍ର ଅଂଶ ୯୦ ପ୍ରତିଶତ ହିସାବରେ ପ୍ରଦାନ କରୁଛନ୍ତି । କିନ୍ତୁ ବିଗତ ତିନି ଆର୍ଥିକ ବର୍ଷରେ ୭୫ ପ୍ରତିଶତ ହିସାବରେ ପ୍ରଦାନ କରିଥିଲେ । ତେବେ କେନ୍ଦ୍ର ସରକାର ବନ୍ଦ କରିଥିବା ଯୋଜନାଗୁଡ଼ିକ ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚାଲୁ ରଖିବା ପାଇଁ ସରକାର ନିଜସ୍ୱ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ପଶ୍ଚିମାଞ୍ଚଳ ବିକାଶ ପାଣ୍ଠି ବଦଳରେ ଗୋପବନ୍ଧୁ ଗ୍ରାମୀଣ ଯୋଜନା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯୋଜନା, ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ମିଶନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ସେହିଭଳି କେବିକେ ଯୋଜନା ଚାଲୁ ରଖିବା ପାଇଁ ବିଜୁ କେବିକେ ଯୋଜନା ଚାଲୁଥିବା ମନ୍ତ୍ରୀ କହିଥିଲେ ।
ମନ୍ତ୍ରୀ ତାଙ୍କ ଉତ୍ତର ରଖିଥିଲେ ହେଁ ବିଜେଡି ସଭ୍ୟମାନେ କେନ୍ଦ୍ର ସରକାରଙ୍କ ଅବହେଳା ପ୍ରସଙ୍ଗ ଉଠାଇ ନାରାବାଜି ଦେଇଥିଲେ । କେନ୍ଦ୍ର ସରକାରଙ୍କ ଦଳିତ ମାରଣ ନୀତି ଚଳିବ ନାହିଁ ବୋଲି ସ୍ଲୋଗାନ ଦେଇଥିଲେ । ଅପରପକ୍ଷରେ କଂଗ୍ରେସ ଓ ବିଜେପି ବିଧାୟକମାନେ ହଟ୍ଟଗୋଳ କରିବାରୁ ଗୃହକୁ ମୁଲତବୀ କରାଯାଇଥିଲା । ବାଚସ୍ପତି ଗୃହ ମୁଲତବୀ କରିବାପରେ ବଜେଡି ବିଧାୟକମାନେ ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ । ଅପରାହ୍ଣ ଅଧିବେଶନରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କହିଥିଲେ ଯେ କେନ୍ଦ୍ରାପଡାର ମାଳିପୁରରେ ଚାଷୀମାନେ ସତ୍ୟାଗ୍ରହ କରୁଥିବାବେଳେ ବିଜେଡି କର୍ମୀମାନେ ସେମାନଙ୍କ ଉପରେ ଦାଦାଗିରି ପ୍ରଦର୍ଶନ କରିଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସେହିଭଳି ସଚିବାଳୟରେ ସିବିଆଇ ପ୍ରବେଶ କରିଛି ବୋଲି ଗଣମାଧ୍ୟମରେ ପ୍ରକାଶିତ ହୋଇଛି । ସଚିବାଳୟକୁ ସିବିଆଇ ଆସିଥିଲା କି ନାହିଁ, କେଉଁ ମାମଲାରେ ସିବିଆଇ ଆସିଥିଲା । ସରକାର ସ୍ପଷ୍ଟୀକରଣ ଦେବା ଆବଶ୍ୟକ ଗୃହର ଜାଣିବାର ଅଧିକାର ମଧ୍ୟ ରହିଛି । ଘଟଣାର ସତ୍ୟାସତ୍ୟ ନେଇ ସରକାର ବିବୃତ୍ତି ଦିଅନ୍ତୁ । ଏହାଛଡା ଢେଙ୍କାନାଳରେ ବଟ୍ଲିଂ ପ୍ଲାଣ୍ଟ ଲାଗି କାହା ନିଦେ୍ର୍ଦଶରେ ଗଛକଟା ହୋଇଥିଲା ଏବଂ କେଉଁ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେ ସମ୍ପର୍କରେ ତଥ୍ୟ ଦିଅନ୍ତୁ ବୋଲି ସେ ଦାବି କରିଥିଲେ । ଉପରୋକ୍ତ ପ୍ରସଙ୍ଗଗୁଡିକରେ ବାଚସ୍ପତିଙ୍କ ରୁଲଂ ଦାବି କରି ବିରୋଧୀ ସଭ୍ୟମାନେ ହଟ୍ଟଗୋଳ କରିବାରୁ ଗୃହର କାର୍ଯ୍ୟକୁ ଆସନ୍ତାକାଲି ଯାଏ ମୂଲତବି କରାଯାଇଛି ।

ସେଆର କରନ୍ତୁ:



Powered by odothemes.com