konark1

ମୂର୍ତ୍ତି ଗାଏବ ହୋଇଛି

20

ଧରାପଡ଼ୁଛି ଏଏସ୍ଆଇର ‘କୋଣାର୍କ’ ମିଛ
କୋଣାର୍କ, ୧୮ା୧୧(ଅବନୀ ଭୂଷଣ ବାରିକ): ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ରକ୍ଷଣାବେକ୍ଷଣ ଆଳରେ ମୂର୍ତ୍ତି ଗାଏବ ହୋଇଥିବା ଅଭିଯୋଗ ଦିନକୁ ଦିନ ଶାଣିତ ହେବାରେ ଲାଗିଛି । ଅତୀତରେ ଯେଉଁ ସବୁ ସ୍ଥାନରେ ମୂର୍ତ୍ତି ଲଗାଯାଇଥିଲା, ଏବେ ସେଠି ତାହା ନଥିବା ଦେଖିବାକୁ ମିଳିଛି । ସୂର୍ଯ୍ୟମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା (ଏଏସ୍ଆଇ) ଅବହେଳା ପ୍ରଦର୍ଶନ କରୁଛି । କୋଣାର୍କ ସୂର୍ଯ୍ୟମନ୍ଦିରର ବିରଳ କୀର୍ତ୍ତିରାଜିକୁ ଧ୍ୱଂସ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଥିବା ଏବେ ଅଭିଯୋଗ ଆସିଛି । ତେବେ ମୂର୍ତ୍ତି ଚୋରି ଘଟଣାକୁ ଏଏସ୍ଆଇ କର୍ତ୍ତୃପକ୍ଷ ଅସ୍ୱୀକାର କଲା ପରେ ଆଜି ଏ ସଂପର୍କିତ ତଥ୍ୟଭିତ୍ତିକ ପ୍ରମାଣ ଉପସ୍ଥାପନ କରାଯାଇଛି ।
କୋଣାର୍କ ଆଞ୍ଚଳିକ ବିକାଶ ପରିଷଦ ସଭାପତି ସୁବାସ ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏ ସଂପର୍କିତ ଫଟୋ ପ୍ରଦର୍ଶନ କରିବା ସହ ତଥ୍ୟ ପ୍ରଦାନ କରିଛନ୍ତି । ତାଙ୍କ ସୂଚନା ଅନୁଯାୟୀ, ୧୯୬୫ରେ ଯେଉଁ ସ୍ଥାନରେ ମୂର୍ତ୍ତିଥିଲା ଏବେ ସେଠାରେ ଆଉ ମୂର୍ତ୍ତି ନାହିଁ । ସେହି ସ୍ଥାନଟି ଖାଲି ପଡ଼ିଛି । ଏଏସ୍ଆଇ କର୍ତ୍ତୃପକ୍ଷ ମୂର୍ତ୍ତି ଚୋରିକରି କେଉଁଠି ରଖିଛନ୍ତି ବୋଲି ସେ ପ୍ରଶ୍ନ କରିବା ସହ ଏଠାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି । ସେ କହିଛନ୍ତି ଯେ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ବାବଦରେ ଦୈନିକ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରାଯାଉଛି । ହେଲେ ମନ୍ଦିରର ରକ୍ଷଣାବେକ୍ଷଣ ଓ ପର୍ଯ୍ୟଟକମାନଙ୍କ ପାଇଁ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦିଆଯାଉନାହିଁ । ରକ୍ଷଣାବେକ୍ଷଣ ଅଭାବରୁ ମନ୍ଦିରର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ ମଧ୍ୟ ସୂକ୍ଷ୍ମ କାରୁକାର୍ଯ୍ୟ ନଷ୍ଟ ହେବାରେ ଲାଗିଛି । ନଷ୍ଟ ହୋଇଥିବା ସୂକ୍ଷ୍ମ କାରୁକାର୍ଯ୍ୟର ପଥର ବଦଳରେ ସାଦା ପଥର ଲଗାଯାଇ ସୂର୍ଯ୍ୟମନ୍ଦିରର ସୌନ୍ଦର୍ଯ୍ୟକୁ କ୍ଷୁଣ୍ଣ କରାଯାଉଛି । ଲୌହ ଶୃଙ୍ଖଳରେ ସୂର୍ଯ୍ୟମନ୍ଦିରକୁ ବନ୍ଧା ଯାଇଥିବାରୁ ବିଭିନ୍ନ ସ୍ଥାନରେ ମନ୍ଦିରରେ ବ୍ୟବହୃତ ହୋଇଥିବା ପଥରରେ ଓଡ଼ିଶାର ଶିଳ୍ପୀଙ୍କ ଦ୍ୱାରା ନିର୍ମିତ ହୋଇଥିବା ଅଜୟ କଳାକୃତିଗୁଡ଼ିକ ନଷ୍ଟ ହେବାରେ ଲାଗିଛି । ମୂର୍ତ୍ତି ଚୋରି ଘଟଣାର ସିବିଆଇ ତଦନ୍ତ କରାଯାଇ ପ୍ରକୃତ ତଥ୍ୟ ଲୋକଲୋଚନକୁ ଅଣାଯାଉ । ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
ଏଏସ୍ଆଇ କର୍ତ୍ତୃପକ୍ଷ ସମସ୍ୟା ପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଜୋରଦାର ଆନେ୍ଦାଳନ ହେବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ତରକୋରୋ ସମିତି ସଭ୍ୟ କାଶିନାଥ ନାୟକ ବରିଷ୍ଠ ନାଗରିକ ରମେଶ ଚନ୍ଦ୍ର ନାୟକ, ସମିତି ସଭ୍ୟ ସଂପଦ କୁମାର ଜେନା, ବିଶ୍ୱଜିତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com