AmritsarBombBLast

୩ ମୃତ, ୧ଠ ଗୁରୁତର

17

ନିରଙ୍କାରୀ ଭବନରେ ବିସ୍ଫୋରଣ
ଅମୃତସର, ୧୮ ।୧୧ : ପଞ୍ଜାବର ଅମୃତସରରେ ଏକ ଧାର୍ମିକ ଅନୁଷ୍ଠାନର ପ୍ରବଚନ କାର୍ଯ୍ୟକ୍ରମ ଚାଲିଥିବାବେଳେ ଆଜି ଦିନ ୧୨ଟା ସମୟରେ ବିସ୍ଫୋରଣ ଘଟି ୩ଜଣ ଲୋକଙ୍କ ମୃତୁ୍ୟ ହେବା ସହ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଦୁଇଟି ବାଇକ୍ରେ ଆସି ଦୁର୍ବୃତ୍ତମାନେ ନିରଙ୍କାରୀ ସନ୍ଥଙ୍କ ସଭା ଉପରକୁ ଗ୍ରେନେଡ୍ ମାଡ଼ କରିଥିଲେ । ଫଳରେ ଏହି ଆକ୍ରମଣରେ ୩ ଜଣଙ୍କର ମୃତୁ୍ୟ ହେବା ସହ ୧୦ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ପରେ ଲୋକମାନେ ଭୟରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ । ଗୁରୁତରମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହାସପାତାଳରେ ଭର୍ତ୍ତି କରାଯିବା ସହ ଘଟଣାସ୍ଥଳକୁ ସିଲ୍ କରି ପୁଲିସ ତଲାସୀ ଅଭିଯାନ ଜୋର୍ କରିଛି ।
ପଞ୍ଜାବ ପୁଲିସ ମହାନିଦେ୍ର୍ଦଶକ ସୁରେଶ ଆରୋରା କହିଛନ୍ତି ଯେ ଏହି ଘଟଣାରେ ସନ୍ତ୍ରାସବାଦ ହାତଥିବା ସନେ୍ଦହ କରାଯାଉଛି । କାରଣ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଉପରେ ଏହି ଆକ୍ରମଣ ହୋଇଛି । ଗୋଟିଏ ଗୋଷ୍ଠୀ ଉପରକୁ ଗ୍ରେନେଡ୍ ଫୋପାଡ଼ିବାର କୌଣସି କାରଣ ନଥାଏ । ତେଣୁ ଏହା ଏକ ଆତଙ୍କବାଦୀ କାର୍ଯ୍ୟ ହୋଇପାରେ । ତେବେ ତଦନ୍ତ ନସରିବା ଯାଏ କିଛି କହିହେବ ନାହିଁ । ବର୍ତ୍ତମାନ ସୁଦ୍ଧା ନିରଙ୍କାରୀ ଭବନ ଉପରେ ହୋଇଥିବା ଆକ୍ରମଣ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଅମୃତସରର ଅଡିଲୱାଲ ନିକଟସ୍ଥ ନିରଙ୍କାରୀ ଭବନ ଉପରେ ଏହି ଆକ୍ରମଣ କରାଯାଇଛି । ଯାହା ଆନ୍ତର୍ଜାତିକ ବିମାନବନ୍ଦରର ନିକଟତର । ଏଠାରେ ଏକ ଧାର୍ମିକ କାର୍ଯ୍ୟକ୍ରମ ଚାଲୁଥିବାବେଳେ ଏହି ଘଟଣା ଘଟିଛି । ପ୍ରାୟ ୨ ଶହରୁ ଅଧିକ ଭକ୍ତ ଏଠାରେ ଉପସ୍ଥିତ ଥିଲେ । ତେବେ ପରିସର ଭିତରେ କୌଣସି ସିସିଟିଭି ନଥିବା ଜଣାପଡ଼ିଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରେନ୍ଦ୍ର ସିଂହ ଆଇନଶୃଙ୍ଖଳାର ସମୀକ୍ଷା କରିଛନ୍ତି । ସେ କହିଛନ୍ତି ଯେ ସେଠାରେ ଆମେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛୁ । ଗୃହସଚିବ ଆଇନ୍ଶୃଙ୍ଖଳା ଡିଜିପି ଓ ଡିଜି ଗୁଇନ୍ଦା ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି ।
ଘଟଣା ପରେ ପଞ୍ଜାବରେ ହାଇଆଲର୍ଟ ଜାରି କରାଯିବା ସହ ଯାଞ୍ଚ ପ୍ରକି୍ରୟାକୁ ଜୋର୍ଦାର କରାଯାଇଛି । ୬ଜଣ ଆତଙ୍କବାଦୀ ଭାରତ ସୀମାରେ ପ୍ରବେଶ କରିଥିବା ପୂର୍ବରୁ କୁହାଯାଇଥିଲା । ଏଥିପାଇଁ ଆଜି ରାଜଧାନୀ ଦିଲ୍ଲୀ, ଗ୍ରେଟର ନୋଏଡାରେ ହାଇଆଲର୍ଟ ଜାରି କରାଯାଇଥିବା ଜଣାପଡ଼ିଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ସେଆର କରନ୍ତୁ:



Powered by odothemes.com