7---------

ବୀରଭୂମି ପଡ଼ିଆରେ କଟା ପାପୁଲି

17

କଳିଙ୍ଗନଗର (ଆପ୍ର): ରବିବାର ସକାଳେ ବୀରଭୂମି ପଡ଼ିଆର ବିଭିନ୍ନ ସ୍ଥାନରେ କିଛି କଟା ପାପୁଲି ବିକ୍ଷିପ୍ତ ଭାବେ ପଡ଼ିଥିବା ଦେଖିବାକୁ ମିଳିଛି । ତଦନ୍ତ ପରେ ତାହା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଟାଟା କାରଖାନା ପାଇଁ ହୋଇଥିବା ଗୁଳିକାଣ୍ଡରେ ମୃତୁ୍ୟବରଣ କରିଥିବା ବିସ୍ଥାପନ ବିରୋଧି ଜନମଞ୍ଚର ୫ ଆଦିବାସୀଙ୍କ ବୋଲି ଜଣାପଡ଼ିଥିଲା । ତେବେ ପରିଚୟ ଜାଣିବା ନିମନ୍ତେ ପ୍ରଶାସନ ସେମାନଙ୍କ ହାତ ପାପୁଲି କାଟି ରଖିଥିଲା । ବିସ୍ଥାପନ ବିରୋଧୀ ଜନମଞ୍ଚ ଆମ୍ବଗଡ଼ିଆ ନିକଟରେ ଥିବା କ୍ଲବ ଘରେ ଏହି କଟା ପାପୁଲିକୁ ସଂରକ୍ଷିତ କରି ଏକ ଚୌଉମୋଦ ବାକ୍ସ ମଧ୍ୟରେ ରଖାଯାଇଥିଲା । ମାତ୍ର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଏହି ବାକ୍ସ ଖୋଲି କଟା ପାପୁଲିକୁ ପକାଇଥିବା ବିସ୍ଥାପନ ବିରୋଧି ଜନମଞ୍ଚ ସନେ୍ଦହ କରୁଥିବା ଜଣାଇଛି ।
ଘଟଣାରୁ ପ୍ରକାଶ ଯେ, ୨୦୦୬ ଜାନୁୟାରୀ ୨ ତାରିଖ ଟାଟା କାରଖାନାକୁ ବିରୋଧ କରୁଥିବା ଆଦିବାସୀଙ୍କ ମଧ୍ୟରୁ ୧୩ ଜଣ ଆଦିବାସୀଙ୍କ ମୃତୁ୍ୟ ପୁଲିସ ଗୁଳିରେ ହୋଇଥିଲା । ଏହି କଟା ପାପୁଲିର ଡି.ଏନ୍.ଏ ଟେଷ୍ଟ କରି ପରିଚୟ ମିଳିବା ପରେ ଆଦିବାସୀମାନେ ତାଙ୍କ ପରିବାର ବର୍ଗଙ୍କ କଟା ପାପୁଲି ନେଇ ଅନ୍ତ୍ୟୋଷ୍ଟି କରିବେ ବୋଲି ପ୍ରଶାସନ ନିକଟରେ ବାରମ୍ବାର ଦାବି କରିଥିଲେ । କିନ୍ତୁ ପ୍ରଶାସନ ଆଦିବାସୀଙ୍କ ଦାବିକୁ କର୍ଣ୍ଣପାତ କରିନଥିଲେ । ଏଣୁ ପାପୁଲିଗୁଡିକୁ ପରିବାରବର୍ଗ ଗ୍ରହଣ ନକରି କ୍ଲବ ଘରେ ରଖିଥିଲେ । ତେବେ ରବିବାର ପାପୁଲିଗୁଡିକ ପଡ଼ିଆରେ ପଡ଼ିିଥିବା ଦେଖାଯିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ବିସ୍ଥାପନ ବିରୋଧୀ ଜନମଞ୍ଚ ସଭାପତି ଅମର ସିଂ ବାନାରା, ସମ୍ପାଦକ ରବୀନ୍ଦ୍ର ଜାରିକା ଏ ନେଇ ଡୁବୁରୀ ଥାନା ଅଭିଯୋଗ କରି ତଦନ୍ତ କରିଛନ୍ତି । ଏନେଇ ଗୁଳିକାଣ୍ଡରେ ମୃତୁ୍ୟବରଣ କରିଥିବା ଭଗବାନ ସୟଙ୍କ ମା’ ସିନି ସୟ ଅନ୍ୟ ଏକ ଅଭିଯୋଗ କରିଛନ୍ତି । ସିନି ସୟଙ୍କ କହିବାନୁଯାୟୀ, ଟାଟା କମ୍ପାନି ବିରୋଧୀ ଜନମଞ୍ଚର କିଛି ସଭ୍ୟଙ୍କୁ ପ୍ରଲୋଭିତ କରି ଏପରି ଅମାନବୀୟ କାଣ୍ଡ ରଚାଇଛନ୍ତି । ତେବେ ଘଟଣାର ତଦନ୍ତ ଦାବି ହୋଇଛି ।

ସେଆର କରନ୍ତୁ:



Powered by odothemes.com