14-11-2018=6

ଜୟନ୍ତୀ କହିଲେ, ନବୀନ ଶୁଣିଲେ

18

ଦିବ୍ୟାଙ୍ଗ ମହିଳା ଉଦ୍ୟୋଗୀଙ୍କ ସଫଳତାର କାହାଣୀ
ଭୁବନେଶ୍ୱର(ବୁ୍ୟରୋ): ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ଅଞ୍ଚଳର ଜୟନ୍ତୀ ଏକ୍କା ଜଣେ ସଫଳ ମହିଳା ଉଦ୍ୟୋଗୀ । ମିଶନ୍ ଶକ୍ତି ଜରିଆରେ ଆଜି ସେ ନିଜେ ସଶକ୍ତ ହେବା ସହ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ । ଦିବ୍ୟାଙ୍ଗ ହୋଇ ମଧ୍ୟ ସେ ସୃଷ୍ଟି କରିଛନ୍ତି ଉଦାହରଣ । ଜଣେ ଦୃଢ଼ମନା ଥିଲେ ସଫଳତାର ସ୍ୱାଦ ଯେ ନିଶ୍ଚିତ ମିଳିବ ଏଥିରେ ତିଳେ ମାତ୍ର ସନେ୍ଦହ ନାହିଁ । ଯାହାକୁ ଆୟୁଧ କରି ଜୟନ୍ତୀ ସଫଳତାର ଗୋଟିଏ ପରେ ଗୋଟିଏ ସିଡ଼ି ଚଢ଼ି ଚାଲିଛନ୍ତି । ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ଆୟୋଜିତ ମହିଳା ଉଦ୍ୟୋଗୀ କର୍ମଶାଳାରେ ଜୟନ୍ତୀ ତାଙ୍କ ସଫଳତାର କାହାଣୀ ସମସ୍ତଙ୍କୁ ଶୁଣାଇ ଯେତିକି ଚକିତ କରିଛନ୍ତି ସେତିକି ହସାଇଛନ୍ତି ମଧ୍ୟ । ତାଙ୍କ କଥାର ଶୈଳୀ ଏଭଳି ଥିଲା ଯେ, ଜଣେ ନ ହସି ରହିବା ଅସମ୍ଭବ । ଯେଉଁଥିରୁ ବାଦ୍ ପଡ଼ିନଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ମନ ଦେଇ ଜୟନ୍ତୀଙ୍କ କାହାଣୀ ଶୁଣୁଥିବା ବେଳେ ମଝିରେ ମଝିରେ ମୁରୁକି ହସୁଥିବା ଦେଖିବାକୁ ମିଳିଥିଲା ।
ଗାଉଁଲି ଅନ୍ଦାଜ୍ରେ ଜୟନ୍ତୀ ନିଜ ବକ୍ତବ୍ୟ ରଖୁଥିବା ବେଳେ ତାଙ୍କ କାହାଣୀ ଶୁଣିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଜୟନ୍ତୀଙ୍କ କାହାଣୀ ଏହିପରି… । ଦ୍ୱିତୀୟ ଶ୍ରେଣୀରେ ପାଠ ପଢ଼ିବା ବେଳେ ତାଙ୍କର ଗୋଟିଏ ଗୋଡ଼ ଅଚଳ ହୋଇଯାଇଥିଲା । ଫଳରେ ସେ ଆଉ ସ୍କୁଲ୍ ଯିବାକୁ ସକ୍ଷମ ହୋଇନଥିଲେ । ତାଙ୍କ ବାପା ସୁନ୍ଦରଗଡ଼ ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ବାଲିଶଙ୍କରା ଗାଁଠୁ ଛତିଶଗଡ଼ ମାତ୍ର ୩କିମି । ସେଠାରେ ସେ ଚିକିତ୍ସିତ ହେବା ପରେ ସମ୍ପୂର୍ଣ୍ଣ ଭଲ ହୋଇନଥିଲେ ମଧ୍ୟ କିଛିଟା କଷ୍ଟ ଲାଘବ ହୋଇପାରିଥିଲା । ସେ ଗୋଟିଏ ଗୋଡ଼ରେ ଚାଲି ଚାଲି ଗାଁ ସ୍କୁଲ୍ରେ ପଞ୍ଚମ ଯାଏଁ ପାଠ ପଢିଥିଲେ । ପରେ ଷଷ୍ଠରୁ ଦଶମ ଶେଣୀ ପର୍ଯ୍ୟନ୍ତ ସରକାରୀ ସେବା ବିଦ୍ୟାଳୟରେ ରହି ଶିକ୍ଷାଲାଭ କରିଥିଲେ । ହେଲେ କଲେଜ ଯାଇଥିଲେ ହେଁ ଯୁକ୍ତଦୁଇରେ ସେ ଉତ୍ତୀର୍ଣ୍ଣ ହୋଇପାରିନଥିଲେ । ପରେ ତାଙ୍କ ବାପା ବିବାହ ଜୟନ୍ତୀଙ୍କ ବିବାହ କରାଇ ଦେଇଥିଲେ । ୨ଠଠ୧ରେ ସେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ଗଠନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୧ଠ ହଜାର, ପରେ ୫ଠ ହଜାର ଟଙ୍କା ବ୍ୟାଙ୍କ୍ରୁ ଋଣ ଆଣି ବ୍ୟବସାୟ ଆରମ୍ଭ କରିଥିଲେ ଏବଂ ସଠିକ୍ ସମୟରେ ବ୍ୟାଙ୍କ୍ ଋଣ ପରିଶୋଧ କରିଥିଲେ । ୨ଠଠ୪ରେ ଗାଁ ସ୍କୁଲ୍ରେ ମଧ୍ୟାହ୍ନ ଭୋଜନ ପରିଚାଳନାର ଦାୟିତ୍ୱ ନେଇଥିଲେ । ଏଥିଲାଗି ବ୍ୟାଙ୍କ୍ରୁ ତାଙ୍କ ଗ୍ରୁପ୍ ଲକ୍ଷେ ଟଙ୍କା ଋଣ ଆଣିଥିଲା । ୨ଠଠ୬ରେ ବାଳକ ଓ ବାଳିକା ହାଇସ୍କୁଲ୍ରେ ମଧ୍ୟାହ୍ନ ଭୋଜନ ପରିଚାଳନାର କାର୍ଯ୍ୟ ଭାର ମିଳିଥିଲା । ଏଥିରେ ମଧ୍ୟ ସେ ସଫଳ ହୋଇଥିଲେ । ୨ଠଠ୭ରେ ୪ଟି ବ୍ଲକ୍ର ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଅଣ୍ଡା ଯୋଗାଇଥିଲେ । ଏଭଳି ଅନେକ ବ୍ୟବସାୟ ହାତକୁ ନେଇ ଜୟନ୍ତୀ ସଫଳତାର ସ୍ୱାଦ ଚାଖିଛନ୍ତି । ସେ ଏବେ ୧ଠ୮୨ ଗ୍ରୁପ୍ର ୧୫ଠଠଠ ମହିଳାଙ୍କୁ ନେଇ ଗଠିତ ମିଶନ୍ ଶକ୍ତି ମହାସଂଘର ସଭାପତି ଭାବେ ଦାୟିତ୍ୱ ନିର୍ବାହ କରୁଥିବା କହିଛନ୍ତି । ଜୟନ୍ତୀଙ୍କ କାହାଣୀକୁ ଉପସ୍ଥିତ ସମସ୍ତ ଅତିଥି ଓ ଅନ୍ୟ ଏସ୍ଏଚ୍ଜି ମହିଳାମାନେ ମନଧ୍ୟାନ ଦେଇ ଶୁଣୁଥିବା ବେଳେ କାହାଣୀ ସରିବା ପରେ ସଭିଏଁ ଛିଡ଼ା ହୋଇ ସମ୍ମାନ ଜଣାଇଥିଲେ ।

ସେଆର କରନ୍ତୁ:



Powered by odothemes.com