cm01

ଶିଳ୍ପପତିଙ୍କ ଅଭୂତପୂର୍ବ ଆଗ୍ରହ

13

ଶିଳ୍ପ ମହାକୁମ୍ଭର ତୃତୀୟ ଦିବସ
ଭୁବନେଶ୍ୱର, ୧୩ା୧୧(ବୁ୍ୟରୋ): ଶିଳ୍ପ ମହାକୁମ୍ଭ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ର ଦ୍ୱିତୀୟ ସଂସ୍କରଣରେ ଓଡ଼ିଶା ସରକାରଙ୍କୁ ଶିଳ୍ପପତିଙ୍କ ଠାରୁ ଅଭୂତପୂର୍ବ ପ୍ରତିକ୍ରିୟା ମିଳିଛି । ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପୁଞ୍ଜିପତିମାନେ ବିପୁଳ ନିବେଶ ଲାଗି ଆଗ୍ରହ ଦେଖାଇଛନ୍ତି । ଚଳିତ କନ୍କ୍ଲେଭ୍ରେ ୧୫ ବିବିଧ କ୍ଷେତ୍ରରେ ୪ଲକ୍ଷ ୧୯ ହଜାର ୫୭୪ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି । ଯାହା ରାଜ୍ୟରେ ଅତିରିକ୍ତ ୫ଲକ୍ଷ ୯୧ ହଜାର କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି ।
ଭୁବନେଶ୍ୱରସ୍ଥିତ ଜନତା ମୈଦାନ୍ରେ ଆୟୋଜିତ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨ଠ୧୮ ଉଦ୍ୟାପନୀ ସନ୍ଧ୍ୟାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ, ଏହି କନ୍କ୍ଳେଭ୍ରେ ଦେଶ ଓ ବିଦେଶରୁ ୫ହଜାର ୭୪ ଶିଳ୍ପସଂସ୍ଥାର କ୍ୟାପ୍ଟେନ୍ ଓ ପ୍ରତିନିଧି ଅଂଶଗ୍ରହଣ କରିଥିଲେ । ଏଥିସହ ରାଜ୍ୟର ବିଶାଳ ଶିଳ୍ପ ପ୍ରଦର୍ଶନୀକୁ ୩୧ ହଜାର ୮ଠ୬ଜଣ ପରିଦର୍ଶନ କରିଛନ୍ତି । ଜାପାନ୍ ଏହି କନ୍କ୍ଲେଭ୍ର କଣ୍ଟ୍ରି ପାର୍ଟନର୍ ରହିଛି । ରିଲାଏନ୍ସ, ଆଦିତ୍ୟ ବିର୍ଲା, ଟାଟା, ବେଦାନ୍ତ, ଜେଏସ୍ଡବ୍ଲୁ୍ୟ, ଜେଏସ୍ପିଏଲ୍ ଭଳି ବଡ଼ବଡ଼ କମ୍ପାନି ମେକ୍ ଇନ୍ ଓଡ଼ିଶା ମାଧ୍ୟମରେ ରାଜ୍ୟରେ ବିପୁଳ ପୁଞ୍ଜିନିବେଶ ଲାଗି ପ୍ରତିଶ୍ରୁତି ଦେଇଛନ୍ତି । ଚଳିତବର୍ଷ କନ୍କ୍ଲେଭ୍ର ଥିମ୍ ‘ଆଇ ଆମ୍ ଓଡ଼ିଶା’ ରଖାଯାଇଥିବା ବେଳେ ଏହାକୁ ବଡ଼ ସଫଳତା ମିଳିଛି । ଏଥିଲାଗି ମୁଖ୍ୟମନ୍ତ୍ରୀ ସମସ୍ତ କମ୍ପାନି ଓ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ଏହାବ୍ୟତୀତ କନ୍କ୍ଳେଭ୍ରେ ଭାଗ ନେଇଥିବା ୧୯ଟି ଦେଶର ପ୍ରତିନିଧିଙ୍କୁ ଶ୍ରୀ ପଟ୍ଟନାୟକ ଧନ୍ୟବାଦ୍ ଦେଇଥିଲେ । ଏହାବାଦ୍ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସଠିକ୍ ସମୟରେ ପୁଞ୍ଜି ନିବେଶ ଲାଗି ଭିତ୍ତି ସୁନିଶ୍ଚିତ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ଶିଳ୍ପ କ୍ୟାପ୍ଟେନ୍ଙ୍କ ସହ ଦୀର୍ଘସୂତ୍ରୀ ସହବନ୍ଧିତା ରକ୍ଷା କରି କାର୍ଯ୍ୟ ଆଗକୁ ବଢ଼ାଇବା ପାଇଁ ରାଜ୍ୟ ସରକାର ଟିମ୍ ଗଠନ କରିବେ ବୋଲି ସେ ସୂଚନା ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବିବିଧ କ୍ଷେତ୍ରରେ ପୁଞ୍ଜି ନିବେଶ ଲାଗି ସୁବିଧା ପ୍ରଦାନ କରିବା ଓ ଯୁବପିଢ଼ିଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଆମର ଲକ୍ଷ୍ୟ । ପୂର୍ବ ଭାରତର ମାନୁଫାକ୍ଚରିଂ ହବ୍ ଭାବେ ଓଡ଼ିଶା ମୁଣ୍ଡ ଟେକୁଛି । ଓଡ଼ିଶା ଶିଳ୍ପାୟନ ବିକାଶ ଯୋଜନା: ଭିଜନ୍ ୨ଠ୨୫କୁ ଦୃଷ୍ଟିରେ ରଖି ୨ଠ୧୬ରେ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ଆରମ୍ଭ ହୋଇଥିଲା । ରାଜ୍ୟର ଫୋକସ୍ କ୍ଷେତ୍ରରେ ୨ଲକ୍ଷ ୫ଠ ହଜାର କୋଟିର ନୂତନ ବିନିର୍ମାଣ ପୁଞ୍ଜି ପାଇଁ ଆକର୍ଷିତ କରି ୩ଠ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହାର ଉଦେ୍ଦଶ୍ୟ ଥିଲା । ଗତ ଦୁଇବର୍ଷ ହେଲା କେନ୍ଦ୍ର ସରକାରଙ୍କ ଦ୍ୱାରା ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାକୁ ଶ୍ରେଷ୍ଠ ବୋଲି ବିଚାର କରାଯାଉଛି । ସ୍କିଲ୍ଡ୍ ଇନ୍ ଓଡ଼ିଶାକୁ ଗ୍ଲୋବାଲ୍ ବ୍ରାଣ୍ଡ୍ ଭାବେ ଗଢ଼ିବା ହେଉଛି ଆମର ମିଶନ୍ । ଦକ୍ଷତା ବିକାଶ ମାଧ୍ୟମରେ ଯୁବପିଢ଼ିଙ୍କୁ ସଶକ୍ତ କରାଇବା ନେଇ ଆମେ ଗୁରୁତ୍ୱ ଦେଉଛୁ । ୫ବର୍ଷରେ ୧୧ଲକ୍ଷ ଯୁବକଯୁବତୀଙ୍କୁ କୁଶଳୀ କରାଇବା ଲାଗି ଆମର ଯୋଜନା ରହିଛି । ୨ଠ୧୪-୧୫ରୁ ଏହି ପ୍ରକି୍ରୟା ଆରମ୍ଭ ହୋଇଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୯ଲକ୍ଷ ୨୫ ହଜାର ଯୁବପିଢ଼ିଙ୍କୁ ପ୍ରଶିକ୍ଷିତ କରାଯାଇ ପାରିଛି । ଭୁବନେଶ୍ୱରରେ ୧୮ ମହଲା ବିଶିଷ୍ଟ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନା କରାଯାଇଛି । ଏହା ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଦ୍ୱାରା ପରିଚାଳିତ ହେବାକୁ ଥିବା ବେଳେ ସିଙ୍ଗାପୁରର ଆଇଟିଇଇଏସ୍ ବୈଷୟିକ ସହାୟତା ପ୍ରଦାନ କରିବ । ଓଡ଼ିଶାର ଯୁବପିଢ଼ିଙ୍କୁ କେବଳ ଶିଳ୍ପ ଲାଗି ପ୍ରସ୍ତୁତ ନକରି ସେମାନଙ୍କୁ ଭବିଷ୍ୟତର ଜ୍ଞାନକୌଶଳରେ ଦକ୍ଷ କରାଇବା ଆମର ଲକ୍ଷ୍ୟ ରହିଛି ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ ।
ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ର ତୃତୀୟ ସଂସ୍କରଣ ସଂକ୍ରାନ୍ତରେ ଘୋଷଣା କରିଥିଲେ । ଓଡ଼ିଶା ସରକାରଙ୍କ ଏହି ଦ୍ୱିବାର୍ଷିକ ଫ୍ଲାଗ୍ସିପ୍ କାର୍ଯ୍ୟକ୍ରମ ଆସନ୍ତା ୨ଠ୨ଠ ନଭେମ୍ବର ୩ଠ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସେ ସୂଚନା ଦେଇଥିଲେ । ଏହି ଅବସରରେ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ, ଶିଳ୍ପ ସଚିବ ସଞ୍ଜିବ ଚୋପ୍ରା, ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଓଏସ୍ଡି ଅଧ୍ୟକ୍ଷ ସୁବ୍ରତୋ ବାଗ୍ଚୀ, ଫ୍ୟାସନ୍ ଡିଜାଇନର ବିଭୁ ମହାପାତ୍ର, ଇଡ୍କୋ ସିଏମ୍ଡି ସଂଜୟ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com