BADA-SORISABILA-SCHOOL-BARANDA-RE-PILA

ବହୁ ଅଭିଯୋଗ ସତ୍ତ୍ୱେ ବାରଣ୍ଡାରେ ଚାଲିଛି ପାଠପଢା

14

ବଡ଼ସାହି (ଆପ୍ର): ବଣପାହାଡ ଘେରା ଆଦିବାସୀ ମୂଲକରେ ରହିଥିବା ପ୍ରାଥମିକ ବିଦ୍ୟାଳୟ କଠୋରୀ ଗୁଡିକର ଛାତପ୍ଲାଷ୍ଟର ଖସି ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ଓ ଅଭିଯୋଗ ସତ୍ତ୍ୱେ ବାରଣ୍ଡାରେ ବସି ପିଲା ପାଠପଢିବା ସର୍ବଶିକ୍ଷା ଅଭିଯାନର ଅନ୍ୟ ଏକ ନମୂନା ଦେଖିବାକୁ ମିଳିଛି । ବଡସାହି ବ୍ଲକ ଅନ୍ତର୍ଗତ ଟଙ୍ଗାଶୋଳ ପଞ୍ଚାୟତର ବଡସୋରିଷବିଲା ସରକାରୀ ପ୍ରାଥମିକ ବିଦ୍ୟାଳୟ ୧୯୫୪ରୁ ଚାଲୁ ରହିଛି । ୧ମ ରୁ ୫ମ ପର୍ଯ୍ୟନ୍ତ ଶ୍ରେଣୀରେ ସର୍ବମୋଟ ପିଲା ସଂଖ୍ୟା ୩୧ ହୋଇଥିବା ବେଳେ ବର୍ଷକ ପୂର୍ବରୁ ପିଲା ପଢୁଥିବା ଦୁଇଟି କଠୋରୀ ସହ କାର୍ଯ୍ୟାଳୟ ଛାତରୁ ପ୍ଲାଷ୍ଟର ଖସି ଲୁହାରୋଡ ଗୁଡିକ ଝୁଲିରହି ବିପଦକୁ ହାତ ଠାରି ସାରିଛି । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବ୍ୟତୀତ ପରିଚାଳନା କମିଟି ମଧ୍ୟ ସରକାରୀସ୍ତର ତଥା ଲୋକ ପ୍ରତିନିଧିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ମାତ୍ର ସମସ୍ତ କ୍ଷେତ୍ରରୁ ଆଜି ପର୍ଯ୍ୟନ୍ତ ନିରାଶ ହୋଇ ଦଣ୍ଡ ଭୋଗି ଚାଲିଛନ୍ତି କୁନି ବିଦ୍ୟାର୍ଥୀ ସମୂହ । ୪ର୍ଥ ଶ୍ରେଣୀର ଛାତ୍ର ମହେନ୍ଦ୍ର ମାରାଣ୍ଡି ଓ ବାଲ ମୁର୍ମୁ ଏବଂ ୩ୟ ଶ୍ରେଣୀ ଛାତ୍ରୀ ଲିପିକା ମାର୍ଣ୍ଡି, ୨ୟ ଶ୍ରେଣୀ ଛାତ୍ରୀ ସାଲଗେ ସୋରେନ ଏବଂ ୧ମ ଶ୍ରେଣୀ ଛାତ୍ରୀ ସୁନିତା ମୁର୍ମୁ ପ୍ରମୁଖ ତାଙ୍କ ନିରୀହ ମୁହଁରେ କେତେବେଳେ କେମିତି ଗଛ ମୂଳରେ ବସି ପାଠ ପଢୁଛୁ ବୋଲି ପ୍ରକାଶ କରିଛନ୍ତି । ପରିଚାଳନା କମିଟି ଚେୟାରମ୍ୟାନ ସୁନାରାମ ମୁର୍ମୁ ଏନେଇ ବାରିପଦା ବିଧାୟକ ତଥା ଉପ-ବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କୁ ବ୍ୟକ୍ତିଗତ ଭେଟିବା ସହ ବିଦ୍ୟାଳୟ ବାବଦରେ ଆଲୋଚନା କରିଥିଲେ ବି ସବୁସ୍ତରରେ ବିଫଳ ହୋଇଛୁ ବୋଲି ମତ ଦେଇଛନ୍ତି । ପ୍ରଶାସନିକ ସ୍ତରରେ ନିଦ୍ରାଭଙ୍ଗ ହେଉନଥିବା ସ୍ଥଳେ ଆମ ଅଞ୍ଚଳର ଲୋକ ପ୍ରତିନିଧି ଶ୍ରୀ ମାରାଣ୍ଡିଙ୍କୁ ଅଭିଯୋଗ ପରେ ମଧ୍ୟ ଏକ ଆଦିବାସୀ ଅଞ୍ଚଳର ଶିକ୍ଷାନୁଷ୍ଠାନକୁ ଅଣଦେଖା କରିବା ପଛରେ ରହିଥିବା କାରଣ ଜଣାପଡୁନାହିଁ ବୋଲି ଚେୟାରମ୍ୟାନ ଶ୍ରୀ ମୁର୍ମୁ ମନ୍ତବ୍ୟ ଦେଇଛନ୍ତି । ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଲତା ଦାଶ ଓ ସହକାରୀ ଶିକ୍ଷୟିତ୍ରୀ ନର୍ମଦା ମହାନ୍ତ ବି ସରକାରୀ ସ୍ତରରେ ଲିଖିତ ଅଭିଯୋଗ କରିବାକୁ ବହୁଦିନ ବିତିଥିଲେ ହେଁ କୌଣସି ପ୍ରତିକ୍ରିୟା ଜଣାପଡୁ ନାହିଁ ବୋଲି ଜଣାଇଛନ୍ତି । ସେହିଭଳି ବଡସାହି ବିଡିଓ ରବିନ୍ଦ୍ର ପ୍ରଧାନଙ୍କ ସହ ଯୋଗାଯୋଗ ହୋଇପାରି ନଥିବା ବେଳେ ବର୍ତ୍ତମାନ ପଞ୍ଚାୟତର ସରପଞ୍ଚ ମାନଙ୍କୁ ବିଦ୍ୟାଳୟ ମରାମତି ଦାୟିତ୍ୱ ଦିଆଯାଇଛି ବୋଲି ଘଟଣାକୁ ନେଇ ବ୍ଲକ ଶିକ୍ଷାଧିକାରୀ ଦେବବ୍ରତ ବାରିକ ପ୍ରକାଶ କରିଛନ୍ତି । ତେବେ ଆଗାମୀ ନିର୍ବାଚନ ପୂର୍ବରୁ ବିଦ୍ୟାଳୟ ଛାତ ନୂତନ ନହେଲେ ଆନେ୍ଦାଳନାତ୍ମକ ପନ୍ଥା ଅନୁସରଣ କରିବୁ ବୋଲି ଅବିଭାବକ ଓ ଗ୍ରାମବାସୀ ମତାମତ ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com