MUGUPUR-SWASTY-KENDRA,-CHANAPDI

ମୁଗୁପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ଠପ୍

13

ଛେନାପଦୀ(ଆପ୍ର): ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ସରକାର ପ୍ରତିଦିନ ନୂଆ ନୂଆ ଯୋଜନା କରୁଛନ୍ତି ଏବଂ ନିକଟରେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ହାଟଡିହି ବ୍ଲକ ର ମୁଗୁପୁର ଠାରେ ୧୯୮୫ ମସିହାରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଆଖପାଖ ୪ଟି ପଞ୍ଚାୟତର ଜନସାଧାରଣ ନିର୍ଭର କରିଥାନ୍ତି । କିନ୍ତୁ ଦୀର୍ଘ ବର୍ଷ ହେଲା ଏଠାକୁ କୌଣସି ଡାକ୍ତର ଆସୁନାହାଁନ୍ତି । ଫଳରେ ଗରିବ ଶ୍ରେଣୀର ଲୋକମାନେ ବହୁ ହଇରାଣ ହେଉଛନ୍ତି । ଆନନ୍ଦପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ ଅଟୋଭଡା ୩୦୦ ଟଙ୍କା ଦେବାକୁ ପଡୁଛି । ଦୀର୍ଘ ବର୍ଷ ହେଲା ଡାକ୍ତର ପଦବୀ ଖାଲି ପଡିଥିଲେ ମଧ୍ୟ ଜଣେ ଫାମାସିଷ୍ଟଙ୍କ ଭରଷାରେ ଡାକ୍ତରଖାନା ଚାଲୁଥିଲା । ସେ ସାଧାରଣ ଜ୍ୱର, ଝାଡା ପାଇଁ କିଛି ଔଷଧ ଦେଇ କାମ ଚଳାଉଥିଲେ । ବିଡମ୍ବନାର ବିଷୟ ଏହିକି ଯେ ଉଚ୍ଚ ପଦାଧିକାରୀଙ୍କ ଖାମଖିଆଲୀ ମନୋଭାବ ଯୋଗୁ ସମ୍ପୃକ୍ତ ଫାମାସିଷ୍ଟଙ୍କୁ ୫ ମାସ ହେଲା ଡେପୁଟେସନରେ ଶାଳନିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଛନ୍ତି । ଯାହା ଫଳରେ ଏଠାରେ ରୋଗୀସେବା ସମ୍ପୁର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ବର୍ତ୍ତମାନ ଜଣେ ହୋମିଓପାଥିକ ଡାକ୍ତର ଓ ଆଟେଣ୍ଡାଣ୍ଟଙ୍କ ଭରଷାରେ ସ୍ୱାସ୍ଥ୍ୟକେନ୍ଦ୍ର । ସମ୍ପୃକ୍ତ ହୋମିଓପାଥିକ ଡାକ୍ତର ସପ୍ତାହକୁ ୨ ଦିନ ଆସି କିଛି ସମୟ ରହି ପଳେଇ ଯାଉଛନ୍ତି । ରୋଗୀ ଗଲେ ସେ ତାଙ୍କର ଅସହାୟତା ପ୍ରକାଶ କରି କହୁଛନ୍ତି ସ୍ୱାସ୍ଥ୍ୟକେନ୍ଦ୍ରରେ କିଛି ହୋମିଓପାଥିକ ଔଷଧ ନାହିଁ ଏବଂ ଏଲୋପାଥିକ ଔଷଧ ବିଷୟରେ ସେ ସମ୍ପୁଣ୍ଣ ଅନଭିଜ୍ଞ ତେଣୁ ରୋଗୀମାନେ ନିରାଶ ହୋଇ ଭାଗ୍ୟକୁ ଆଦରି ଘରକୁ ଫେରୁଛନ୍ତି । ଅନ୍ୟ ଦିନ ମାନଙ୍କରେ ଜଣେ ଆଟେଡାଣ୍ଟ କେବଳ ଧର୍ମକୁ ଆଖି ଠାର ସଦୃଶ କିଛି ସମୟ ଡାକ୍ତରଖାନା ଖୋଲି ବନ୍ଦ କରି ପଳାଇଯାଉଛନ୍ତି । ବର୍ତ୍ତମାନ ସ୍ୱାସ୍ଥ୍ୟକେନ୍ଦ୍ରରୁ କୌଣସି ସାପ୍ତାହିକ ଓ ମାସିକିଆ ରିପୋଟ ମଧ୍ୟ ଯାଇପାରୁ ନାହିଁ । ଏଥି ସହିତ ଆବଶ୍ୟକୀୟ ଔଷଧ ର ଇଣ୍ଡେଣ୍ଟ ମଧ୍ୟ ଯାଇପାରୁ ନାହିଁ । ଯାହା ଫଳରେ ଏଠାରେ ସାଧାରଣ ଜ୍ୱର ପାଇଁ ମଧ୍ୟ ଔଷଧ ଟିଏ ମିଳୁନାହିଁ । ଏହି ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ଡାକ୍ତରଙ୍କ ରହିବା ପାଇଁ ଘର ସହିତ ସମସ୍ତ ଆବ୍ୟଶ୍ୟକୀୟ ସୁବିଧା ସୁଯୋଗ ଥିଲେ ମଧ୍ୟ ଦୀର୍ଘ ବର୍ଷ ଧରି କାହିଁକି ଏଠାରେ କୌଣସି ଡାକ୍ତରଙ୍କୁ ନିଯୁକ୍ତ ଦିଆଯାଉନାହିଁ ତାହା ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଞ୍ଚଳର ଅଧିକାଂଶ ଅଧିବାସୀ ଗରିବ ଏବଂ କୃଷକ ଶ୍ରେଣୀର ହୋଇଥିବାରୁ ଡାକ୍ତରଖାନାର କୌଣସି ସୁବିଧା ନପାଇଁ ଭାଗ୍ୟକୁ ଆଦରି ରୋଗଶୋକରେ ଘରେ ପଡି ରହୁଛନ୍ତି । ପ୍ରଶାସନ ଓ ଉଚ୍ଚକର୍ତ୍ତୃପକ୍ଷଙ୍କ ଖାମଖିଆଲି ଓ ବେପରୁଆ ମନୋଭାବକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ସ୍ଥାନୀୟ ଲୋକପ୍ରତିନିଧି ଓ ଜନସାଧାରଣ ଚେତାବନୀ ଦେଇଛନ୍ତି । ଯଥାଶୀଘ୍ର ଜଣେ ସ୍ଥାୟୀ ଡାକ୍ତର ଓ ଫାମାସିଷ୍ଟ ନିଯୁକ୍ତ ଦେଇ ସ୍ୱାସ୍ଥ୍ୟସେବା ପ୍ରଦାନ ନକଲେ ଆଗାମୀ ଦିନରେ ଛେନାପଦୀ ଠାରେ ଭଦ୍ରକ ଆନନ୍ଦପୁର ରାଜ୍ୟ ରାଜପଥକୁ ଅବରୋଧ କରିବାପାଇଁ ଜନସାଧାରଣ ଚେତାବନୀ ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com