CABINET-BRIFFING-(4)

ନଦୀ ଅବବାହିକାରେ ସବୁଜ ବଳୟ

15

୧ଠ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ
ଭୁବନେଶ୍ୱର, ୯ା୧୧(ବୁ୍ୟରୋ): ମହାନଦୀ ଏବଂ ଏହାର ଉପନଦୀ ତେଲ୍ ଓ ଇବ୍ ନଦୀ ଉପକୂଳର ଉଭୟ ପାଶ୍ୱର୍ରେ ୧ କି.ମି. ପ୍ରଶସ୍ତର ସବୁଜ ବଳୟ ସୃଷ୍ଟି କରିବା ପାଇଁ ବ୍ୟାପକ ବୃକ୍ଷରୋପଣ କରିବାକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ପୂର୍ବରୁ ମହାନଦୀ ଅବବାହିକାରେ ବୃକ୍ଷରୋପଣ ପାଇଁ ଗଠିତ ସବୁଜ ମହାନଦୀ ମିଶନ ଭଳି ଏହି ନଦୀ ଓ ଶାଖା ନଦୀ ପାଶ୍ୱର୍ରେ ବୃକ୍ଷରୋପଣ କରାଯିବ । ଏହି ୫ ବର୍ଷିଆ ଯୋଜନାରେ ମୋଟ୍ ୪,୪୮ କୋଟି ଟଙ୍କା ବିନିଯୋଗ କରାଯିବ । ଏହାଦ୍ୱାରା ଜଳ ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯାଇପାରିବ । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଏହି ମିଶନର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ । ସେହିଭଳି କ୍ୟାବିନେଟ୍ର ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ପୌରାଞ୍ଚଳଗୁଡିକରେ ଷ୍ଟ୍ରିଟ୍ ଲାଇଟ୍ରେ ଲଗାଯାଇଥିବା ସାଧାରଣ ବଲବ୍ ପରିବର୍ତ୍ତେ ଏଲ୍ଇଡି ଲାଇଟ୍ ଲଗାଯିବ । ଏଥିପାଇଁ ସମୁଦାୟ ୨୬୯ କୋଟି ୮୩ ଲକ୍ଷ ଟଙ୍କା ବିନିଯୋଗ କରାଯିବ । ସେହିଭଳି ୧୦୦ ଶଯ୍ୟା ବିଶିଷ୍ଟ କଳାହାଣ୍ଡି ଭେଷଜ ମହାବିଦ୍ୟାଳୟ ନିର୍ମାଣ ନିମନ୍ତେ ମଞ୍ଜୁରୀ ମିଳିଛି । ଏଥିସହିତ କଟକସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ସ୍ନାତକୋତ୍ତର ଶିଶୁ ସଂସ୍ଥାନରେ ବହୁମୁଖୀ ବ୍ୟବହାରିକ କମ୍ପ୍ଲେକ୍ସ ଓ ପିଜି ଛାତ୍ରାବାସ ନିର୍ମାଣ ନିମନ୍ତେ ଟେଣ୍ଡର ପ୍ରକ୍ରିୟାକୁ କ୍ୟାବିନେଟ୍ରେ ମଞ୍ଜୁରୀ ମିଳିଥିବା ବେଳେ ଶିଳ୍ପ ବିଭାଗର ୫ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ଲାଭ କରିଥିବା ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି ।
ଶୁକ୍ରବାର ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ର ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପାଢୀ କହିଥିଲେ ଯେ ୨୦୧୮-୧୯ ବର୍ଷ ଲାଗି ମହାନଦୀ ଓ ଏହାର ଉପନଦୀ ତେଲ୍ ଓ ଇବ୍ ନଦୀ ଉପକୂଳର ଉଭୟ ପାଶ୍ୱର୍ରେ ୧ କି.ମି. ପ୍ରଶସ୍ତର ଏକ ସବୁଜ ବଳୟ ସୃଷ୍ଟି କରାଯିବ । ୨୦୧୯-୨୦ରେ ପର୍ଯ୍ୟାୟକ୍ରମେ ବୈତରଣୀ, ବ୍ରାହ୍ମଣୀ, ଋଷିକୂଲ୍ୟା ଏବଂ ଏହାର ଶାଖା ଓ ଉପନଦୀର ଉଭୟ ପାଶ୍ୱର୍ରେ ବ୍ୟାପକ ବୃକ୍ଷରୋପଣ କରିବା ଲାଗି ସ୍ଥିର କରାଯାଇଛି । ଏହି ଯୋଜନା ୨୦୧୮-୧୯ ଆର୍ଥôକ ବର୍ଷଠାରୁ ଆରମ୍ଭ କରାଯାଇ ଆସନ୍ତା ୫ ବର୍ଷ (୨୦୨୨-୨୩ ) ମଧ୍ୟରେ ୧୦ ହଜାର ହେକ୍ଟର ବୃକ୍ଷ ପୁନଃସୃଜନ, ୩୦ ହଜାର ହେକ୍ଟର ପ୍ରାକୃତିକ ବୃକ୍ଷ ପୁନଃସୃଜନ, ୧୩୦୦ ହେକ୍ଟର ବାଉଁଶ ଗଛ ରୋପଣ କରାଯିବାର ପ୍ରସ୍ତାବ ରହିଛି । ଏହି ଯୋଜନା ଲାଗି ମୋଟ୍ ୪୪୮ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି । ରାଜ୍ୟସ୍ତରରେ ସବୁଜ ମହାନଦୀ ମିଶନର ଉନ୍ନତି ଓ କାର୍ଯ୍ୟକାରିତା ଲାଗି ଗଠନ ହୋଇଥିବା କମିଟିରେ ମୁଖ୍ୟ ସଚିବ ଅଧ୍ୟକ୍ଷ ଥିବାବେଳେ ୧୨ ଜଣିଆ କମିଟି ଦ୍ୱାରା ଏହି ଯୋଜନା ପରିଚାଳିତ ହେବ । ଏହାର ନିୟମିତ ମାସିକ, ତ୍ରୟମାସିକ ଓ ବାର୍ଷିକ ନିରୀକ୍ଷଣ ରାଜ୍ୟ ସବୁଜ ମହାନଦୀ କମିଟି, ଜିଲ୍ଲାସ୍ତରୀୟ ସବୁଜ ମହାନଦୀ କମିଟି ଓ ପଞ୍ଚାୟତ ସମିତି ସ୍ତରୀୟ ସବୁଜ ମହାନଦୀ ମିଶନ କମିଟି ଦ୍ୱାରା ତଦାରଖ କରାଯିବ । ଏହାକୁ ଆଜି ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି ବୋଲି ଶ୍ରୀ ପାଢୀ କହିଥିଲେ ।
ସେହିଭଳି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଶକ୍ତି ସଂରକ୍ଷଣ ଓ ଆଲୋକ ବ୍ୟବସ୍ଥା କରାଯିବ । ଭୁବନେଶ୍ୱର ବ୍ୟତୀତ ରାଜ୍ୟର ଅନ୍ୟ ୧୧୩ ପୌରାଞ୍ଚଳରେ ନୂତନ ଆଲୋକ ପ୍ରକଳ୍ପମାନ ସ୍ଥାପନ କରାଯିବା ଲାଗି କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି । ଏହା ସରକାରୀ-ଘରୋଇ ସହଭାଗିତାରେ କାର୍ଯ୍ୟକାରୀ ହେବ । ଏହି ୧୧୩ ଟି ପୌରସଂସ୍ଥା ୫ଟି କ୍ଲଷ୍ଟରରେ ବିଭକ୍ତ କରାଯାଇ ରାଜ୍ୟର ସମସ୍ତ ୩ଠଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି । କାର୍ଯ୍ୟନିର୍ବାହୀ ପରାବର୍ଶଦାତାଙ୍କ ଦ୍ୱାରା ୪ଟି ମହାନଗର ନିଗମ ଓ ୩୪ଟି ଅନ୍ୟ ପୌରସଂସ୍ଥାରେ କରାଯାଇଥିବା ନମୁନା ସର୍ଭେ ଅନୁଯାୟୀ ଏହି ପ୍ରକଳ୍ପରେ ମୋଟ୍ ୨୬୯ କୋଟି ୮୩ ଲକ୍ଷ ଟଙ୍କା ବ୍ୟୟ ହେବ ଏବଂ ଏହି ପ୍ରକଳ୍ପର ପରିଚାଳନା ଓ ରକ୍ଷଣାବେକ୍ଷଣ ଲାଗି ୫ଠ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି । ସେହିଭଳି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଗତ ହୋଇଥିବା ଦୁଇଟି ପ୍ରସ୍ତାବକୁ ମଧ୍ୟ ରାଜ୍ୟ କ୍ୟାବିନେଟ୍ ମୋହର ମିଳିଛି । ସେଗୁଡ଼ିକ ମଧ୍ୟରେ କଟକସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ସ୍ନାତକୋତ୍ତର ଶିଶୁ ସଂସ୍ଥାନ ଠାରେ ଏକ ବହୁମୁଖୀ ବ୍ୟବହାରିକ କମ୍ପ୍ଲେକ୍ସ ଓ ସ୍ନାତକୋତ୍ତର ଛାତ୍ରାବାସ ନିର୍ମାଣ ନିମନ୍ତେ ଠିକା ପ୍ରସ୍ତାବକୁ ଅନୁମୋଦନ ମିଳିଛି । କଳାହାଣ୍ଡି ଠାରେ ୧ଠଠ ଶଯ୍ୟା ବିଶିଷ୍ଟ ମେଡିକାଲ୍ କଲେଜ ନିର୍ମାଣ ନିମନ୍ତେ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି । ଏତଦ୍ବ୍ୟତୀତ ଶିଳ୍ପ ବିଭାଗ ପକ୍ଷରୁ ଆଗତ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଥିବା ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି । ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ଏହି ପ୍ରସ୍ତାବ ସଂକ୍ରାନ୍ତରେ ଘୋଷଣା କରାଯିବ ବୋଲି ସେ କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com