bolangir-BYPASS-(3)

୫୧ କୋଟି କମିଲା କେନ୍ଦ୍ରୀୟ ମଞ୍ଜୁରୀ

17

ବଲାଙ୍ଗୀର ବାଇପାସ୍
ବଲାଙ୍ଗୀର (ଆପ୍ର): ବଲାଙ୍ଗୀର ସହର ମଧ୍ୟଦେଇ ଯାଇଥିବା ଦୁଇଟି ରାଜପଥ ଏନ୍ଏଚ-୨୬ ଓ ଏନ୍ଏଚ-୫୭ରେ ଅନେକ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଛି । ତେଣୁ ସହର ଚାରିପାଖରେ ବାଇପାସ୍ ନିର୍ମାଣ ଦାବିରେ ଅନେକଥର ଆନେ୍ଦାଳନ ହେଲାଣି । କିନ୍ତୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଟଣାଓଟରାରେ ଦିନ ଗଡ଼ି ଚାଲିଥିଲା । ଏହାକୁ ନେଇ ବିଧାନସଭା ଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି କଥା ଉଠିଥିଲା । ଗତ ୫ବର୍ଷ ହେଲା ମାଧିଆପାଲି ଠାରୁ ବିଜାଖମନ ପର୍ଯ୍ୟନ୍ତ ବଲାଙ୍ଗୀର ଏନ୍ଏଚ୍ ଡିଭିଜନ ପକ୍ଷରୁ ହେବାକୁ ଥିବା ବାଇପାସ୍ ରାସ୍ତାକୁ ନେଇ ଆକଳନ ଚାଲିଥିଲା ।
ଗତ ୨୦୧୩ରେ ଜାତୀୟ ରାଜପଥ ବିଭାଗ ଏଥିପାଇଁ ୪୦କୋଟି ଟଙ୍କା ଦେଇଥିଲେ । କିନ୍ତୁ ଜମି ଅଧିଗ୍ରହଣରେ ସମୟ ଗଡ଼ିବା ସାଙ୍ଗକୁ ଅଟକଳ ପରିମାଣ ବି ବଢ଼ିଥିଲା । ଜମିର ସର୍ଭେ ସମୟରେ ଅନିୟମିତତା କରାଯାଇଥିବାରୁ ଅଟକଳ ପରିମାଣ ବହୁପରିମାଣରେ ବଢ଼ିଥିବା କହି କେନ୍ଦ୍ର ଜାତୀୟ ରାଜପଥ ବିଭାଗ ଫାଇଲକୁ ଫେରାଇ ଦେଇଥିଲା । ସେତେବେଳେ ୨୪୧ କୋଟିର ଅଟକଳ କରାଯାଇଥିଲା । କିନ୍ତୁ ଫାଇଲ୍ ଫେରିଲା ପରେ ଏହାକୁ କାଣ୍ଟଛାଣ୍ଟ କରି ୧୯୦ କୋଟିର ଅଟକଳ କରି କେନ୍ଦ୍ରକୁ ପଠାଯାଇଥିଲା । ବଲାଙ୍ଗୀର ଏକ୍ସନ କମିଟି ଓ ନାଗରିକ କମିଟି ଭୁବନେରଶ୍ୱରରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଆଲୋଚନା କରିଥିଲେ । ଫଳରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ କେନ୍ଦ୍ର ସଡ଼କ ପରିବହନ ଓ ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠିଲେଖି ଅଟକଳକୁ ଅନୁମୋଦନ କରିବାକୁ ନିବେଦନ କରିଥିଲେ । କେନ୍ଦ୍ର ସଡ଼କ ପରିବହନ ଓ ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ଅନୁରୋଧକୁ ରକ୍ଷା କରି ଅଟକଳକୁ ଅନୁମୋଦନ କରି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠିର ଉତ୍ତର ଦେଇଛନ୍ତି । ଜମି ଅଧିଗ୍ରହଣ ପାଇଁ ୧୯୦ କୋଟି ଟଙ୍କା ଅନୁମୋଦିତ ହୋଇଥିବାରୁ ବଲାଙ୍ଗୀରରେ ଖୁସିର ଲହରୀ ଖେଳିଯାଇଛି । ବହୁବର୍ଷର ଅପେକ୍ଷାର ଅନ୍ତ ଘଟିଲା ବୋଲି ବଲାଙ୍ଗୀରବାସୀ କହିଛନ୍ତି । ତେବେ ଏହି ବାଇପାସ୍ ଜମି ଅଧିଗ୍ରହଣରେ ତଞ୍ଚକତା ହୋଇଥିବା ଅଭିଯୋଗ କରି ବଲାଙ୍ଗୀର ଏକ୍ସନ କମିଟି ପକ୍ଷରୁ ଭିଜିଲାନ୍ସ ବିଭାଗ ପାଖରେ ତଦନ୍ତ ପାଇଁ ଦାବି କରାଯାଇଛି ।
ପ୍ରକାଶଯୋଗ୍ୟ, ବଲାଙ୍ଗୀରର ଜଣେ ରାଜନେତାଙ୍କ ସମର୍ଥକମାନେ କିଛି ପ୍ରଶାସନିକ ଅଧିକାରୀଙ୍କ ସହିତ ମିଶି ଜମିର ବେଞ୍ଚମାର୍କ ଭେଲୁ୍ୟଠାରୁ ମଧ୍ୟ ଅଧିକ ଜମିର ମୂଲ୍ୟାୟନ କରିଛନ୍ତି ତେଣୁ ଅଟକଳ ପରିମାଣ ବହୁ ପରିମାଣରେ ବଢ଼ିଥିôବା ଅଭିଯୋଗ ହେଉଛି । ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଆଜି ମଧ୍ୟ ଦାବି ହେଉଛି । ମାଧିଆପାଲି ଠାରୁ ବିଜାଖମନ ପର୍ଯ୍ୟନ୍ତ ୧୨କିମି ରାସ୍ତାକୁ ବାଇପାସ୍ କରି ଯୋଡ଼ିବାକୁ ଜମି ଚିହ୍ନଟ ହୋଇଛି । କିନ୍ତୁ ଜମିର ମୂଲ୍ୟାୟନ ବହୁ ପରିମାଣରେ ବଢ଼ି ଯାଇଛି । ପ୍ରଶାସନିକ ଅଧିକାରୀ ଓ ଜମି ମାଫିଆଙ୍କ ଦ୍ୱାରା ଏହି ତଞ୍ଚକତା କରାଯାଇଥିବା କୁହାଯାଉଛି । ଯେଉଁମାନଙ୍କ ଜମିର ମୂଲ୍ୟାୟନରେ ତଞ୍ଚକତା ହୋଇଛି ସେମାନେ ସବୁ ସ୍ଥାନୀୟ ଜଣେ ନେତାଙ୍କ ସମର୍ଥକ । ଫଳରେ ସେହିନେତା ଜମି ତଞ୍ଚକତା କରାଇ ପ୍ରକଳ୍ପକୁ ବିପଥଗାମୀ କରାଇବାକୁ ହୀନ ଉଦ୍ୟମ କରିଛନ୍ତି ବୋଲି ଏକ୍ସନ କମିଟି ଅଭିଯୋଗ କରିଆସୁଛି । ତେବେ ପ୍ରଥମ ଅଟକଳରୁ ଏବେ ସଂଶୋଧିତ ଅଟକଳରେ ୫୧କୋଟି ଟଙ୍କାର ତାରତମ୍ୟ ରହିଛି । ତେଣୁ ଏହି ପ୍ରକଳ୍ପରେ ଆହୁରି ଅନେକ ଅନିୟମିତତା ରହିଥିବା ସନେ୍ଦହ ପ୍ରକାଶ ପାଉଛି । ସେପଟେ ମାଧିଆପାଲି ଠାରୁ ଲର୍କିପାଲି ପର୍ଯ୍ୟନ୍ତ ଇଡ୍କୋ ୬କିଲୋମିଟର ରାସ୍ତାକୁ ନିର୍ମାଣ କରିସାରିଛି । କିନ୍ତୁ ବାକି ଲର୍କିପାଲି ଠାରୁ ପାଟଣାଗଡ଼ ରୋଡ୍ ଓ ସେଠାରୁ ମେଡିକାଲ କଲେଜ ଦେଇ ଟିଟିଲାଗଡ଼କୁ ଛୁଇଁବାକୁ ଥିବା ରାସ୍ତାକୁ ପୂର୍ତ୍ତବିଭାଗ କରିବାର ରହିଛି । ତାପାଇଁ ସର୍ଭେ ସରିଯାଇଛି ଓ ଜଙ୍ଗଲ ଜମି ପାଇଁ ଆବେଦନ କରାଯାଇଛି । ତେଣୁ ରାଜ୍ୟ ସରକାର ଏହି ରାସ୍ତା ପାଇଁ ମଧ୍ୟ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।

ସେଆର କରନ୍ତୁ:



Powered by odothemes.com