Manu-Saurav

ମନୁ-ସୌରଭଙ୍କ କନିଷ୍ଠ ବିଶ୍ୱ ରେକର୍ଡ

10

ଏସୀୟ ଏୟାରଗନ୍
କୁଏତ ସିଟି, ୯ା୧୧ (ଏଜେନ୍ସି): ଯୁବ ବନ୍ଧୁକଚାଳକ ମାନୁ ଭାକର୍ ଓ ସୌରଭ ଚୌଧୁରୀଙ୍କ ଯୋଡ଼ି ଶୁକ୍ରବାର ଏକାଦଶ ଏସୀୟ ଏୟାର୍ଗନ୍ ଚାମ୍ପିଅନ୍ସିପ୍ର ୧୦ ମିଟର ଏୟାର ପିସ୍ତଲ୍ ମିଶ୍ରିତ ଦଳଗତ ବର୍ଗରେ ନୂଆ କନିଷ୍ଠ ବିଶ୍ୱ ରେକର୍ଡ କରିବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଟୁର୍ଣ୍ଣାମେଣ୍ଟର ଶେଷ ଦିନ ଭାରତୀୟ ଯୋଡ଼ି ଫାଇନାଲ୍ରେ ୱାଙ୍ଗ୍ ଝିୟୋଉ ଓ ହାଙ୍ଗ୍ ଶୁକୀଙ୍କ ଚୀନା ଯୋଡ଼ିକୁ ହରାଇଥିଲେ ।
ଭାରତର କନିଷ୍ଠ ବନ୍ଧୁକଚାଳକ ଦଳ ଚାମ୍ପିଅନ୍ସିପ୍ରେ ଚାରିଟି ସ୍ୱର୍ଣ୍ଣ ସମେତ ମୋଟ୍ ୧୧ଟି ପଦକ ଜିତିଛି । ଯୁବ ଅଲିମ୍ପିକ୍ କ୍ରୀଡ଼ା ବିଜୟିନୀ ମାନୁ ଓ ସୌରଭ ଫାଇନାଲ୍ରେ ୪୮୫.୪ ପଏଣ୍ଟ ହାସଲ କରି ସର୍ବାଗ୍ରେ ରହିଥିଲେ । ଅନ୍ୟପଟେ ଚୀନା ଯୋଡ଼ି ୪୭୭.୯ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲା । ଚୀନ୍ର ଅନ୍ୟ ଏକ ଦଳ କାଂସ୍ୟପଦକ ପାଇଥିଲା । ଭାରତର ଅଭିଦନ୍ୟା ପାଟିଲ୍ ଓ ଅନମୋଲ ଜୈନଙ୍କ ଯୋଡ଼ି ଚତୁର୍ଥ ସ୍ଥାନରେ ରହିଥିଲେ ।
ମନୁ ଓ ସୌରଭ ଯୋଗ୍ୟତା ପର୍ଯ୍ୟାୟରେ ୮୦୦ରୁ ୭୬୨ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲ୍କୁ ଉନ୍ନୀତ ହୋଇଥିଲେ । ଅଭିଦନ୍ୟା ଓ ଅନମୋଲ୍ ୭୬୦ ସ୍କୋର୍ ସହ ତୃତୀୟ ସ୍ଥାନରେ ରହିଥିଲେ ।
ଦୁଇଦିନରେ ସୌରଭଙ୍କ ଏହା ତୃତୀୟ ସ୍ୱର୍ଣ୍ଣ ପଦକ । ସେ ଗୁରୁବାର ୧୦ମି. ଏୟାର୍ ପିସ୍ତଲ୍ରେ ଦଳ ଓ ବ୍ୟକ୍ତିଗତ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ମନୁ ଦଳଗତ ବର୍ଗରେ ରୌପ୍ୟ ପଦକ ପାଇଥିଲେ ।

ସେଆର କରନ୍ତୁ:



Powered by odothemes.com