NADI-PATHA-RU-BALI-CHORI,-jhumpura-(4)

ଅଭିଯୋଗ ପରେ ବି କର୍ତ୍ତୃପକ୍ଷ ନିରବ

10

 ମୋରଡା ନଦୀ ପଠାରୁ ବାଲି ଚୋରି
ଝୁମ୍ପୁରା (ଆପ୍ର): ଝୁମ୍ପୁରା ତହସିଲ ଅନ୍ତର୍ଗତ ୬ଟି ରାଜସ୍ୱ ସର୍କଲର ଗ୍ରାମାଞ୍ଚଳରେ ରହିଥିବା ନଦୀ-ନାଳ ପଠା, ଗ୍ରାମ୍ୟ ହୁଡି ଗୁଡିକରୁ ବେଧଡକ ଲଘୁ ଖଣିଜ (ବାଲି, ପଥର, ମୋରମ) ଚୋରି ହେବାରେ ଲାଗିଛି । ପୁଣି ବାଲିବନ୍ଧ, ଗୁଣ୍ଡୁଣିଆଁ, ଉଖୁଣ୍ଡା ଭଳି କେତେକ ପଞ୍ଚାୟତରେ ବେନିୟମ ବାଲି ଡିପୋ କରାଯାଇ ବାଲି ମାଫିଆମାନେ ନିଜର ବେପାର ପସରା ମେଲାଇ ଦେଇଛନ୍ତି । ଲିଜ ପାଇଁ ଚିହ୍ନଟ ହୋଇ ନଥିବା ନଦୀ, ନାଳର କ୍ୱାରୀ ଗୁଡିକରୁ ସନ୍ଧ୍ୟାରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ବେଧଡକ ବାଲି ଉତ୍ତୋଳନ ଚାଲିଛି । ପ୍ରଭାଶାଳୀ ବ୍ୟକ୍ତି ବିଶେଷ, କୁଜି ନେତାଙ୍କ ସମ୍ପର୍କିୟ ମାନେ ଏହି ବାଲି କାରବାରରେ ସମ୍ପୃକ୍ତ ରହିଥିବା ଜଣା ପଡିଥିବା ବେଳେ, କେତେକ ରାଜସ୍ୱ ସର୍କଲରେ ରାଜସ୍ୱ ନିରୀକ୍ଷକ ତଥା ରାଜସ୍ୱ ସର୍କଲର କର୍ମଚାରୀ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସମ୍ପୃକ୍ତ ଥିବା କୁହାଯାଇଛି ।
ମଲଦା ରାଜସ୍ୱ ସର୍କଲ ଅନ୍ତର୍ଗତ ବସନ୍ତପୁର ଗ୍ରାମ ପଞ୍ଚାୟତର ଜଙ୍ଗଲାଞ୍ଚଳରେ ଅବସ୍ଥିତ ବସନ୍ତପୁର ଗ୍ରାମ ପଞ୍ଚାୟତରେ ପ୍ରବାହିତ ହେଉଥିବା ମୋରଡା ନଦୀ ପଠାରୁ ଦିନରାତି ବେଧଡକ ବେନିୟମ ଭାବେ ବାଲି ଚୋରା ଚାଲାଣ ହେଉଛି । ଦୀର୍ଘଦିନ ହେଲା ବାଲି ଚୋରାରେ ଶହ ଶହ ଟ୍ରିପ ଚାଲାଣ ହେଉଥିବା ବେଳେ, ବାଲି ଉତ୍ତୋଳନ କରୁଥିବା ଶ୍ରମିକ ମାନଙ୍କୁ ଅଳ୍ପ କିଛି ପାରିଶ୍ରମିକ ଦେଇ, ବାଲି ମାଫିଆମାନେ ବେଶ୍ ଲାଭବାନ ହେଉଛନ୍ତି । ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ମଲଦା ରାଜସ୍ୱ ନିରୀକ୍ଷକଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଛି, ହେଲେ ମଲଦା ରାଜସ୍ୱ ନିରୀକ୍ଷକ ଆଶ୍ଚର୍ଯ୍ୟ ଜନକ ଭାବେ ଚୁପ ବସିଥିବା ନେଇ ଗ୍ରାମବାସୀ ସନେ୍ଦହ ପ୍ରକାଶ କରିଛନ୍ତି । ବାଲି ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ବେଳେ, ଓଲଟି ଅଭିଯୋଗକାରୀ ଙ୍କ ନାମ ବାଲି ମାଫିଆମାନେ ଜାଣି ପାରୁଛନ୍ତି । ଫଳରେ ଅଭିଯୋଗକାରୀ ନିରିହ ଗ୍ରାମବାସୀ ବାଲିମାଫିଆଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ଏହି ଭଳି ଅନେକ ଘଟଣା ପୂର୍ବରୁ ଘଟି ସାରିଛି । ଏ ସମସ୍ତ ଅଭିଯୋଗ ଉପରେ ପଚାରିବାରୁ ମଲଦା ରାଜସ୍ୱ ନିରୀକ୍ଷିକା ସୋନାଲି ସେଠୀ କହିଲେ, କାମରେ ବ୍ୟସ୍ତ ଥିବାରୁ ସେ ପାଖକୁ ଧ୍ୟାନ ଦିଆଯାଇ ପାରିନାହିଁ, ପଦକ୍ଷେପ ନିଆଯିବ । ସେହିପରି ତହସିଲଦାର ଜନକ ନାୟକ ସମ୍ପୃକ୍ତ ଅଞ୍ଚଳରେ ଚଢାଉ କରାଯିବ ବୋଲି କହିଥିଲେ ।

ସେଆର କରନ୍ତୁ:



Powered by odothemes.com