begunia-(3)

ମାଓବାଦୀ ସନେ୍ଦହର ପର୍ଦ୍ଦାଫାଶ

13

ବେଗୁନିଆ (ଆପ୍ର): ବେଗୁନିଆ ବ୍ଲକ ଅନ୍ତର୍ଗତ ଦେଉଳି ଗ୍ରାମର ଜନସାଧାରଣ ନିକଟସ୍ଥ ଗୋଜମୁଣ୍ଡିଆ ପାହାଡରେ ଦୁଇମାସ ହେବ ରହୁଥିବା ଜଣେ ଅଚିହ୍ନା ଯୁବକକୁ ମାଓବାଦୀ ସନେ୍ଦହରେ ଧରି ପୁଲିସକୁ ହସ୍ତାନ୍ତର କରିଥିଲେ । ପ୍ରକୃତରେ ସେ ମାଓବାଦୀ ନା ମାନସିକ ବିକୃତ ତାହା ଜଣାପଡି ନଥିଲେ ମଧ୍ୟ ପୁଲିସ ତାକୁ ଅଟକ ରଖି ଘଟଣାର ଅନୁସନ୍ଧାନ କରିଥିଲା । ସଂପୃକ୍ତ ଯୁବକଠାରୁ ପ୍ରକାଶ ଯେ, ତାର ଘର ନୂଆପଡ଼ା ଜିଲ୍ଲା, ବୋଡେନ ଥାନା ଅନ୍ତର୍ଗତ ପଟାଙ୍ଗୀ ଗ୍ରାମରେ ଓ ତା’ର ନାମ ସୁରେଶ ପହଁରିଆ (୨୦) । ସେ ଦୁଇମାସ ହେବ ଦୁଇଜଣ ସଶସ୍ତ୍ର ମାଓବାଦୀଙ୍କୁ ରୋଷେଇ କରିବା ସହ ବଜାର ସଉଦା କରିଥାଏ । ସବୁଦିନ ପରି ଗୁରୁବାର ଦିନ ଗୋଟାଏରେ ଦେଉଳି ଛକରୁ ଚୁଡା,ଚିନି ଓ ବିସ୍କୁଟ କିଣୁଥିବା ବେଳେ ସ୍ଥାନୀୟ ଲୋକ ଏହି ଅପରିଚିତ ଲୋକକୁ ଦେଖି ସନେ୍ଦହ କରି ତା ପଛରେ ଅନୁସରଣ କରିଥିଲେ । ସଂପୃକ୍ତ ଯୁବକ ସ୍ଥାନୀୟ ଲୋକ ପିଛାକରୁଥିବା ଜାଣି ସେ ଦୌଡି ପଳାଇଥିଲା । ଲୋକମାନେ ଦୌଡି ତାକୁ କାବୁକରି ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ସନ୍ଦିଗ୍ଧ ଯୁବକକୁ ଥାନାକୁ ଆଣି ଖୋର୍ଦ୍ଧା ଏସ୍ପି ଦିପ୍ତୀ ରଞ୍ଜନ ରାୟ ଓ ଏସଡିପିଓ ଯୁଗଳ କିଶୋର ଦାଶ ଯୁବକର ବୟାନ ନେଇଥିଲେ । କମ୍ସଂଖ୍ୟାରେ ପୁଲିସ ଥିବାରୁ ସର୍ଚ୍ଚ ଅପରେସନ ପାଇଁ ଏସଓଜି ଯବାନଙ୍କ ସହାୟତା ଲୋଡ଼ିଥିଲେ । ଗୁରୁବାର ରାତି ୨ଟାରେ ୩ ପ୍ଲାଟୁନ ଏସଓଜି ଯବାନ ପହଞ୍ଚିବା ପରେ ସେମାନଙ୍କୁ ଧରି ଏସପି, ଏସଡିପିଓ, କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ପହଞ୍ଚି ଗୋଜିମୁଣ୍ଡିଆ ଉପରେ ଲୋକଦେଖାଣିଆ ଅପରେସନ ଜାରି ରଖିଥିଲେ । ଶେଷରେ ସେମାନେ ଶୁକ୍ରବାର ଦିନ ୧୧ଟାରେ ଅନୁଷ୍ଠିତ ଏକ ସମ୍ବାଦଦାତା ସମ୍ମିଳନୀରେ କହିଥିଲେ ଯେ ସୁରେଶ କରଜରେ ବୁଡିଥିବା ହେତୁ ଗ୍ରାମରେ କାମଧନ୍ଦା ନପାଇ ଆନ୍ଧ୍ର ପ୍ରଦେଶର ଏକ ଇଟାଭାଟିରେ କାମ କରିବା ପାଇଁ ଯାଇଥିଲା । ସେଠାରୁ ସେ ଓ ତାର ଦୁଇଜଣ ବନ୍ଧୁ ଆସି ଏହି ଜଙ୍ଗଲର ଏକ ଗୁମ୍ଫାରେ କିଛିଦିନ ହେବ ରହିଆସୁଥିଲେ । କିନ୍ତୁ ଗତକାଲି ତେଜରାତି ଦୋକାନରୁ ସଉଦା ଆଣିବା ପାଇଁ ଆସିଥିବା ବେଳେ ଲୋକଙ୍କ ହାବୁଡରେ ପଡିଯାଇଥିଲେ । ଲୋକମାନେ ଗୋଡାଇବାରେ ମାଡ ଭୟରେ ସେ ଜଙ୍ଗଲ ଭିତରକୁ ଦୌଡି ପଳାଇଥିଲା ବୋଲି ସ୍ୱୀକାର କରିଛି । ସେ ପଶ୍ଚିମାଞ୍ଚଳ ଭାଷା କହୁଥିବାରୁ କଥାଗୁଡିକ ଅସ୍ପଷ୍ଟ ଥିବାରୁ ମାଓବାଦୀ ସନେ୍ଦହରେ ଅଟକ ରଖାଯାଇଥିଲା । ତା’ର ସାଙ୍ଗମାନେ ଉକ୍ତ ଯାଗା ପରିତ୍ୟାଗ କରି ଚାଲିଯାଇଥିବା ସୂଚନା ମିଳିଛି । ସୁରେଶ ରହୁଥିବା ଯାଗାରୁ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ବ୍ୟତୀତ ଅନ୍ୟ କିଛି ଜିନିଷ ପୁଲିସ ପାଇନଥିଲା । ଯଥା ଶୀଘ୍ର ସମସ୍ୟାର ସମାଧାନ କରାଯାଇ ଲୋକଲୋଚନକୁ ଅଣାଯିବ ବୋଲି ଆଇଜି କହିଥିଲେ । ପୁଲିସ ସୁରେଶକୁ ନିଜ ଘରେ ପହଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଛି । ଏବେ ବି ସ୍ଥାନୀୟ ଅଞ୍ଚଳବାସୀ ମାଓବାଦୀ ଘଟଣାଟି ପ୍ରଚାରିତ ହେବା ପରେ ଭୟରେ ଘରୁ ବାହାରିବାକୁ ସାହାସ କରୁନାହାନ୍ତି ।

ସେଆର କରନ୍ତୁ:



Powered by odothemes.com