GRUHA-PAIBA-DABI-RE-BHINNA-KSHYAMA-NKA-BLOCK-SAMMUKHA-RE-DHARANA-5

ଗୃହ ଯୋଗାଇଦେବା ଦାବିରେ ଭିନ୍ନକ୍ଷମଙ୍କ ଧାରଣା

15

ବନ୍ତ,୯ ।୧୧(ଆପ୍ର): ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ବାଲିଗଢିଆ ଗ୍ରାମର ଅସହାୟ ଭିନ୍ନକ୍ଷମ ମନ୍ମଥ ବିଶ୍ୱାଳଙ୍କୁ ଗୃହ ଯୋଗାଇ ଦେବା ଦାବୀରେ ଶୁକ୍ରବାର ଭିନ୍ନକ୍ଷମ ମାନଙ୍କ ପକ୍ଷରୁ ବ୍ଳକ ସମ୍ମୁଖରେ ଧାରଣା ଦିଆଯାଇଛି ।
ପ୍ରକାଶ ଯେ କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଓ ଭିନ୍ନକ୍ଷମମାନଙ୍କୁ ବିଭିନ୍ନ ଯୋଜନାରେ ପକ୍କାଘର ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ମାତ୍ର ତାହା ପ୍ରଶାସନିକ ସ୍ତରରେ କାର୍ଯ୍ୟକାରୀ କରାଯିବାରେ ଅବହେଳା ପ୍ରଦର୍ଶନ କରାଯାଉଛି । ଏହାର ନଜିର ବାଲିଗଢିଆ ଗ୍ରାମର ପ୍ରଫୁଲ୍ଲ ବିଶ୍ୱାଳଙ୍କ ଦୃଷ୍ଟିହୀନ ପୁଅ ମନ୍ମଥ ବିଶ୍ୱାଳଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଗତ ତା-୧୩-୧୨-୨୦୦୬ ମସିହାରେ କାର୍ଯ୍ୟାଦେଶ ସଂଖ୍ୟା ୨୦୧୫ ମୂଳେ ମନ୍ମଥ ବିଶ୍ୱାଳ ଇନ୍ଦିରା ଆବାସ ଯୋଜନାରେ ଘରଟିଏ ପାଇଥିଲେ । ନିୟମ ଅନୁଯାୟୀ ସେତେବେଳେ କାର୍ଯ୍ୟାଦେଶ ପାଇବା ପରେ ହିତାଧିକାରୀଙ୍କୁ ଅଗ୍ରୀମ ୫ ହଜାର ଟଙ୍କା ଦିଆଯିବା କଥା । ଏହି ଅଗ୍ରୀମ ଅର୍ଥ ପାଇବା ନେଇ ସେତେବେଳେ ସେ ବହୁବାର ବ୍ଳକକୁ ଦୌଡିଥିଲେ । ମାତ୍ର ତାଙ୍କୁ ସେତେବେଳେ ଅଗ୍ରୀମ ଅର୍ଥ ମିଳି ନଥିଲା । ଫଳରେ ସେ ଆଉ ଘରଟିକୁ ତିଆରି କରି ପାରିନଥିଲେ । ସରକାରଙ୍କ ନିୟମ ଅନୁଯାୟୀ ଯେଉଁ ହିତାଧିକାରୀ ମାନେ ସେତେବେଳେ ଘର ତିଆରି କରି ପାରିନଥିଲେ ସେମାନଙ୍କୁ ନୂଆ କରି କାର୍ଯ୍ୟାଦେଶ ପ୍ରଦାନ କରାଯିବାର ବ୍ୟବସ୍ଥା ଥିଲା । ଏହି ନିୟମ ଅନୁଯାୟୀ ସେ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହୋଇ ନୂତନ କାର୍ଯ୍ୟାଦେଶ ପାଇଁ ଆବେଦନ କରିଥିଲେ । ଦୀର୍ଘ ୧୨ ବର୍ଷ ମଧ୍ୟରେ ସେ ବହୁବାର ପଞ୍ଚାୟତ ଠାରୁ ବ୍ଲକ ଏବଂ ଜିଲ୍ଲା ଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଘରଟିଏ ପାଇବା ପାଇଁ ଆବେଦନ କରିଚାଲିଛନ୍ତି । ଏପରିକି ଏଥିନେଇ ସେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଶେଷରେ ସେ ଗତ ତା-୨୦-୩-୨୦୧୭ ରିଖରେ ଡବ୍ଲୁ୍ୟ.ପି(ସି) ନଂ-୪୨୭୮/୨୦୧୭ ମୂଳେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ । ଉଚ୍ଚ ନ୍ୟାୟାଳୟ ସଂପୃକ୍ତ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ୧୫ ଦିନ ମଧ୍ୟରେ ଘରଟିଏ ଯେଗାାଇ ଦେବା ପାଇଁ ଭଦ୍ରକ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ବିଡିଓ ବନ୍ତଙ୍କୁ ନିଦେ୍ର୍ଦଶ ଦେଇଥିଲେ । ମାତ୍ର ଏହା ମଧ୍ୟରେ ଦେଢ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଗତ ତା-୩-୪-୨୦୧୮ ରିଖରେ ଘର ଖଣ୍ଡିଏ ପାଇବା ଚିନ୍ତାରେ ପତ୍ନୀ ତାଙ୍କର ମୃତୁ୍ୟ ବରଣ କରିଛନ୍ତି । ତୁରନ୍ତ ତାଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବା ଦାବୀରେ ସେ ଆଜି ବ୍ଳକ ସମ୍ମୁଖରେ ଧାରଣାରେ ବସିଛନ୍ତି । ତାଙ୍କୁ ସମର୍ଥନ ଜଣାଇ ଓଡିଶା ଭିନ୍ନକ୍ଷମ ମଞ୍ଚ ଭଦ୍ରକ ଶାଖା ପକ୍ଷରୁ ସଭାପତି ଚିନ୍ତାମଣି ରାଉତ, କାର୍ଯ୍ୟକାରୀ ସଭାପତି ସୁବାଷ ଚନ୍ଦ୍ର ଧଳ, ଉପସଭାପତି ପ୍ରଭାତ କୁମାର ପରିଡା, ସଂପାଦକ ବେଣୁଧର ପଣ୍ଡା, ଲୋକ ସଂପର୍କ ଅଧିକାରୀ ନାରାୟଣ ରାଉତ, କୋଷାଧ୍ୟକ୍ଷ ପ୍ରଭାତ କୁମାର ପଣ୍ଡା, ନାରୀ ନେତ୍ରୀ ବୈଜୟନ୍ତୀ ବେହେରା, ଭଗବତୀ ଦାସ, ଶମ୍ଭୁନାଥ ବେହେରା, ନିରୁପମା ନାଥ, ବିଶ୍ୱଜ୍ୟୋତିର୍ମୟୀ ଜେନା, ସେକ୍ ରମଜାନ୍, ଅର୍ଫାନ ଖାନ୍, ବିକାଶ ରଞ୍ଜନ ଦେବତା, ପ୍ରଦୀପ କୁମାର ବେହେରା, ସତ୍ୟଭାମା ପୃଷ୍ଟି, ଲକ୍ଷ୍ମୀରାଣୀ ପୃଷ୍ଟି, ସୁରେଶ ଚନ୍ଦ୍ର ଦେବତା, ରମେଶ ଚନ୍ଦ୍ର ଜେନା, ଲକ୍ଷ୍ମଣ ଓଝା, ଦୀନବନ୍ଧୁ ସାହୁ, ପ୍ରମୋଦ ଜେନା, ଚନ୍ଦ୍ରମଣି ଜେନାଙ୍କ ସମେତ ବହୁ ଭିନ୍ନକ୍ଷମ ଧାରଣାରେ ବସିଛନ୍ତି । ଅପରପକ୍ଷେ ବିଡିଓ ରେବେକା ବିଲୁଂଗ କହିଛନ୍ତି, ଭିନ୍ନକ୍ଷମ ମନ୍ମଥଙ୍କୁ ଗୃହ ଯୋଗାଇ ଦେବା ନେଇ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଦନ୍ତ କରି ସାରିବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ଗତ ସେପ୍ଟେମ୍ବର ୧୨ ତାରିଖରେ ଅନୁମୋଦନ ପାଇଁ ଡିଆରଡିଏକୁ ପଠାଯାଇଛି । ଅନୁମୋଦନ ହୋଇ ଆସିବା ପରେ ତାଙ୍କୁ ତୁରନ୍ତ ଗୃହ ଯୋଗାଇ ଦିଆଯିବ ବୋଲି ବିଡିଓ କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com