SACHETATANA-AVIJAAN-,-KJR---Asish-Sarma-at-Keonjhar-Eradicate-Begggary-From--Nation-(1)

ଶିଶୁଙ୍କୁ ଭିକ୍ଷାବୃତ୍ତିରୁ ଦୂରେଇବା ଲାଗି ସଚେତନତା ଅଭିଯାନ

4

କେନ୍ଦୁଝର(ଆପ୍ର): ଶିଶୁଙ୍କୁ ଭିକ୍ଷାବୃତ୍ତିରୁ ନିବୃତ୍ତ କରିବା ପାଇଁ ସଚେତନତା କରିବା ପାଇଁ ନିଆରା ଅଭିଯାନ ଆରମ୍ଭ କରିଛନ୍ତି ଦିଲ୍ଲୀର ୨୯ ବର୍ଷିୟ ଯୁବକ ଆଶିଷ ଶର୍ମା । ଭାରତକୁ ଶିଶୁ ଭିକ୍ଷୁକମୁକ୍ତ କରିବା ପାଇଁ ଭାରତ ଭ୍ରମଣରେ ବାହାରିଛନ୍ତି ସେ । ରାସ୍ତାରେ ଭିକ୍ଷାବୃତ୍ତି କରୁଥିବା ଶିଶୁଙ୍କୁ ଭିକ୍ଷା ନଦେବା ପାଇଁ ଅଭିଯାନ ଆରମ୍ଭ କରି ସବୁ ସ୍ତରରେ ଏହାକୁ ବନ୍ଦ କରିବା କରିବା ପାଇଁ ସରକାରୀ ଅଧିକାରୀ, ବେସରକାରୀ ସଂଗଠନ, ପୁଲିସ ଅଧିକାରୀ ଏବଂ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ଭେଟୁଛନ୍ତି । ଗତ ୨୦୧୭ ଅଗଷ୍ଟ ୨୨ରୁ ଜାମ୍ମୁକାଶ୍ମୀରରୁ ପଦଯାତ୍ରା ଅଭିଯାନ ଆରମ୍ଭ କରିଥିଲେ । ରାସ୍ତାରେ ଚାଲି ଚାଲି ଯିବା ସମୟରେ ଶିଶୁ ଭିକ୍ଷୁକଙ୍କୁ ଟଙ୍କା ନଦେଇ ଏହାର ବିକଳ୍ପ କରିବାକୁ ବାଟ ଦେଖାଉଛନ୍ତି ଆଶିଷ । ଏଥିପୂର୍ବରୁ ଦିଲ୍ଲୀରେ ୯ଜଣ ଭିକ୍ଷାବୃତ୍ତି କରୁଥିବା ଶିଶୁଙ୍କୁ ଉଦ୍ଧାର କରି ଥଇଥାନ କରିବାରେ ସହାୟତ ହୋଇଥିଲେ । ମେଡିକାଲ ଇଞ୍ଜିନିୟର ପାଠ ପଢିବା ପରେ ସେ ଏକ କମ୍ପାନୀରେ ଚାକିରୀ କରିଥିଲେ । ଦେଶରେ ଭିକ୍ଷା ମାଗୁଥିବା ଶିଶୁଙ୍କ ଅବସ୍ଥା ଆଶିଷଙ୍କୁ ଅତିମାତ୍ରାରେ ଆନେ୍ଦାଳିତ କରିଥିଲା । ଏହାପରେ ସେ ଚାକିରୀ ଛାଡି ଶିଶୁଭିକ୍ଷୁଙ୍କୁ ମୁକ୍ତ କରିବା ପାଇଁ ଲୋକମାନଙ୍କୁ ସଚେତନତା କରିବାର ନିଷ୍ପତ୍ତି ନେଇ ଭାରତଭ୍ରମଣରେ ଦୁଃସାହସିକ ଯାତ୍ରାରେ ବାହାରିଛନ୍ତି । ଭିକ୍ଷାବୃତ୍ତି ରୋକିବା ପାଇଁ ସଚେତନ କରାଇବାକୁ ସେ ଚାଲି ଚାଲି କାଶ୍ମୀରରୁ ଆସି ଗୁରୁବାର କେନ୍ଦୁଝର ଠାରେ ପହଞ୍ଚିଛନ୍ତି । ଏହି ଅବସରରେ ସେ କେନ୍ଦୁଝର ସହରର ବଚପନ ପ୍ଲେ ସ୍କୁଲ,ଏକାଡେମିକ ହାଇଟ୍ସ ସ୍କୁଲ, ଆଟୋପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଯାଇ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ଭିକ୍ଷାବୃତ୍ତି ରୋକିବାକୁ ଭିକ୍ଷା ନଦେବାକୁ ଅବଗତ କରାଇଛନ୍ତି । ଲମ୍ବା ଯାତ୍ରାରେ ସ୍ୱାସ୍ଥ୍ୟ ଖରାପ ଏବଂ ଦୁର୍ଘଟଣା ସତ୍ତ୍ୱେ ଯାତ୍ରା ବନ୍ଦ କରିନାହାଁନ୍ତି । ୧୭ହଜାର କିଲୋମିଟର ଚାଲିବାର ଲକ୍ଷ୍ୟ ରଖିଛନ୍ତି ଆଶିଷ । ଏଥିସହିତ ଦୁଆନ୍ ନାମକ ଏକ ମୋବାଇଲ ଆପ୍ ପ୍ରସ୍ତୁତ କରିଛନ୍ତି । ଏହି ଆପ୍ ଜରିଆରେ ଶିଶୁ ସୁରକ୍ଷା ସହିତ ଭିକ୍ଷା ମାଗୁଥିବା ଶିଶୁଙ୍କ ଥଇଥାନରେ ସହାୟକ ହେବ ବୋଲି ସେ ପ୍ରକାଶ କରିଛନ୍ତି । ଇତିମଧ୍ୟରେ ସେ ଜମ୍ମୁ, ହିମାଚଳପ୍ରଦେଶ, ପଞ୍ଜାବ, ଚଣ୍ଡିଗଡ, ହରିୟାଣା, ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର, ଗୋଆ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ସିକ୍କିମ, ଆସାମ ଆଦି ୨୭ଟି ରାଜ୍ୟର ୧୧୭୩୮ କିଲୋମିଟର ବୁଲି ଏବେ ଓଡ଼ିଶାରେ ପହଞ୍ଚିଛନ୍ତି । ଭିକ୍ଷାବୃତ୍ତିରେ ଶିଶୁମାନଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ସେ ଉଦ୍ବେଗ ପ୍ରକାଶ କରିବା ସହ ଏଥିପାଇଁ ସମାଜ ଦାୟୀ ବୋଲି କହିଛନ୍ତି । ଭିକ ମାଗିବାକୁ ଆସିଲା ବେଳେ ଶିଶୁମାନଙ୍କୁ ପଇସା ଦେଇ ଆମେ ତାଙ୍କୁ ଭିକ୍ଷାବୃତ୍ତି ପାଇଁ ପ୍ରବର୍ତ୍ତାଇଥାଉ । ଯଦି ଆମେ ପଇସା ନଦେବା ତେବେ ଭିକ ମାଗିବା ଧିରେ ଧିରେ ବନ୍ଦ ହୋଇଯିବ ବୋଲି ସେ ପ୍ରକାଶ କରିଛନ୍ତି । ସେ ସ୍ୱାମୀ ବିବେକାନନ୍ଦ, ଭଗତ ସିଂ ଏବଂ ପୂର୍ବତନ ରାଷ୍ଟ୍ରପତି ଅବଦୁଲ କାଲାମଙ୍କ ଆଦର୍ଶରେ ଅନୁପ୍ରାଣୀତ ବୋଲି କହନ୍ତି । ଦୀର୍ଘଯାତ୍ରାରେ ହେଉଥିବା ଖର୍ଚ୍ଚ ତାଙ୍କର ଦୁଇଜଣ ବନ୍ଧୁ ସାହାଯ୍ୟ କରୁଥିବା ବେଳେ ଭାରତରେ ଶିଶୁମାନଙ୍କ ଭିକ୍ଷାବୃତ୍ତି ବନ୍ଦ ନହେବା ଯାଏ ତାଙ୍କ ଚେଷ୍ଟା ଜାରି ରହିବ ବୋଲି ଆଶିଷ ଶର୍ମା ପ୍ରକାଶ କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com