WORD-CUP-MASKAT-OLLY

ଓଡ଼ିଶା ହକି ବିଶ୍ୱକପ୍ର ମାସ୍କଟ ଓଲିକୁ ସ୍ୱାଗତ ସମ୍ବର୍ଦ୍ଧନା

3

କେନ୍ଦୁଝର(ଆପ୍ର): ଗୌରବମୟ ଓଡ଼ିଶା ହକି ବିଶ୍ୱକପ୍ର ମାସ୍କଟ “ଓଲି”କୁ କେନ୍ଦୁଝର ଜିଲ୍ଲାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ମି. ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଶିଷ ଠାକ୍ରେ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ହୃଷିକେଶ ନାଏକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରାମରାଇ ମୁନ୍ଦୁୟା, ଲୋକସଭା ସାଂସଦ ଶକୁନ୍ତଳା ଲାଗୁରୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପି.କେ ପରିଡ଼ାଙ୍କ ସମେତ ଜିଲ୍ଲାର ବିଭିନ୍ନ ବର୍ଗର ଜନସାଧାରଣଙ୍କ ତରଫରୁ “ଓଲି’ କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବା ସହିତ ହକି ବିଶ୍ୱକପ୍ର ସଫଳତା କାମନା କରିଥିଲେ ।
ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ହୃଷିକେଶ ନାଏକ ଉଦ୍ବୋଧନ ଛଳରେ କହିଥିଲେ ଯେ, ଭାରତରେ ହକିର ସମୃଦ୍ଧ ପରମ୍ପରା ରହିଛି ଏବଂ ସେଥିରେ ଓଡ଼ିଶା ବିଶେଷ କରି ସୁନ୍ଦରଗଡ଼ ଜିଲ୍ଲାର ହକି ଖେଳାଳିମାନେ ସମଗ୍ର ବିଶ୍ୱରେ ହକିର ସୁନାମ ଓ ଗାରିମା ବର୍ଦ୍ଧନ କରି ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି । ମାସ୍କଟ “ଓଲି” ଓଡ଼ିଶା ହକି ବିଶ୍ୱକପ୍ର ବାର୍ତ୍ତାକୁ ଜିଲ୍ଲା ଜିଲ୍ଲା ବୁଲି ସଚେତନତା ସୃଷ୍ଟି କରୁଥିବାରୁ ଓଡ଼ିଶା ହକି ବିଶ୍ୱକପ୍ର ଆକର୍ଷଣ ବୃଦ୍ଧି ପାଉଛି ବୋଲି କହିଥିଲେ । ଓଡ଼ିଶାରେ ବିଶ୍ୱସ୍ତରୀୟ ହକି ବିଶ୍ୱକପ୍ ଆୟୋଜନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସେ ସାଧୁବାଦ୍ ଜଣାଇଥିଲେ । ଜିଲ୍ଲାପାଳ ଶ୍ରୀ ଠାକରେ ଜିଲ୍ଲାବାସୀଙ୍କୁ ବାର୍ତ୍ତା ଦେଇ କହିଥିଲେ ଯେ, ଓଡ଼ିଶାର ସ୍ମାର୍ଟସିଟି ଐତିହ୍ୟ ସମ୍ପନ୍ନ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ଠାରେ ହକି ବିଶ୍ୱକପ୍ ଆୟୋଜନ କରିବାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଉଦ୍ୟମ ଓଡ଼ିଶାବାସୀଙ୍କୁ ଗର୍ବିତ କରିଛି । ଗତ କିଛି ବର୍ଷ ହେଲା ଆର୍ନ୍ତଜାତୀୟ କ୍ରୀଡ଼ା ସମାରୋହ ଆୟୋଜନ କରି ଭୁବନେଶ୍ୱର ରାଜ୍ୟର କ୍ରୀଡ଼ା ରାଜଧାନୀ ଏବଂ ସମଗ୍ର ବିଶ୍ୱର କ୍ରୀଡ଼ା ହବ୍ ପାଲଟିଛି ବୋଲି କହିଥିଲେ । ହକି ବିଶ୍ୱକପ୍ ଆୟୋଜନ କ୍ରୀଡ଼ା ସହିତ ଓଡ଼ିଶାର ସଂସ୍କୃତି, ଐତିହ୍ୟ, ସାହିତ୍ୟ, ପର୍ଯ୍ୟଟନ ଓ ଜନସାଧାରଣଙ୍କୁ ଯୋଡ଼ିବାର ଯେଉଁ ଅନନ୍ୟ ପ୍ରୟାସ କରିଛି ତାହା ଓଡ଼ିଶାବାସୀଙ୍କ ପାଇଁ ଚିରସ୍ମରଣୀୟ ହୋଇ ରହିବ । ଓଡ଼ିଶାକୁ ବିଶେଷ କରି ସୁନ୍ଦରଗଡ଼କୁ ହକିର ଏନ୍ତୁଡ଼ିଶାଳ ଭାବେ ବର୍ଣ୍ଣନା କରି ଓଡ଼ିଶାରେ ଆହୁରି ଅଧିକ ବିଶ୍ୱସ୍ତରୀୟ ଖେଳାଳି ସୃଷ୍ଟି କରିବାରେ ପ୍ରେରଣା ଯୋଗାଇବ ବୋଲି କହିଥିଲେ । ହକି ବିଶ୍ୱକପ ପ୍ରତିଟି କ୍ରୀଡ଼ାପ୍ରେମୀ ଓ ଜନସାଧାରଣଙ୍କ ମଧ୍ୟରେ ହୃତ୍ସ୍ପନ୍ଦନ ସୃଷ୍ଟି କରୁଛି ଏବଂ ପ୍ରତିଟି ବ୍ୟକ୍ତିର ପ୍ରତିଟି ହୃତ୍ସ୍ପନ୍ଦନ ହକି ପ୍ରତି ଏବଂ ଭାରତୀୟ ହକି ଦଳ ପ୍ରତି ସମର୍ପିିତ କରିବା ପାଇଁ ଜିଲ୍ଲାପାଳ ନିବେଦନ କରିଥିଲେ । ସମଗ୍ର ଓଡ଼ିଶାରେ ହକି ବିଶ୍ୱକପ୍ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ପାଇଁ “ଓଲି” ଗାଁରୁ ସହର ପରିକ୍ରମା କରୁଛି ଏବଂ ସମସ୍ତେ ସଚେତନ ହୋଇ ହକି ଓ କ୍ରୀଡ଼ା ପ୍ରତି ଭଲ ପାଇବା, ଅନୁରାଗ ରଖିଲେ କ୍ରୀଡ଼ାର ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି କହିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଞ୍ଜୀବ ବାରିକ ସମ୍ବର୍ଦ୍ଧନା ସମାରୋହର ସଂଯୋଜନା କରିଥିଲେ । ଜିଲ୍ଲା କ୍ରୀଡ଼ା ଅଧିକାରୀ ରମେଶ ଚନ୍ଦ୍ର ପାଢୀ ସମ୍ବର୍ଦ୍ଧନା ସମାରୋହ ଆୟୋଜନ ଓ ପରିଚାଳନା କରିଥିଲେ । ପରେ ଲୋକ ନୃତ୍ୟ ଓ ଆନନ୍ଦ ଉଲ୍ଲାସର ମାହୋଲ ଭିତରେ ମାସ୍କଟ “ଓଲି” ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହିତ ହକି ବିଶ୍ୱକପ୍ ପାଇଁ ସମସ୍ତେ ନିଜର ହୃତ୍ସ୍ପନ୍ଦନ ଦେବା ପାଇଁ ସଚେତନତା ସୃଷ୍ଟି କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟର ଅଧିକାରୀ, କର୍ମଚାରୀ, ବୁଦ୍ଧିଜୀବୀ, ଗଣମାଧ୍ୟମର ପ୍ରତିନିଧି, ଛାତ୍ରଛାତ୍ରୀ, ଶିକ୍ଷାବିତ୍, ବିଜୁ ଯୁବ ବାହିନୀ, କଳାକାର, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ବିପୁଳ ସଂଖ୍ୟାରେ ଜନସାଧାରଣ ଅଂଶଗ୍ରହଣ କରିଥିଲେ ।

ସେଆର କରନ୍ତୁ:



Powered by odothemes.com