IMG-20181108-WA0020

ଯବାନଙ୍କ ସହ ୫ ମୃତ

21

ବିସ୍ଫୋରଣରେ ବସ୍ ଉଡ଼ାଇଲେ ନକ୍ସଲ
ମାଲକାନଗିରି, ୮ା୧୧(ଆପ୍ର): ଛତିଶଗଡର ଦାନ୍ତେୱାଡାରେ ପୁଣି ନକ୍ସଲମାନେ ତାଣ୍ଡବ ରଚିଛନ୍ତି । ଏକ ବସ୍କୁ ଲ୍ୟାଣ୍ଡମାଇନ୍ ଦ୍ୱାରା ନକ୍ସଲମାନେ ଉଡାଇଦେବାରୁ ଜଣେ ସୁରକ୍ଷାକର୍ମୀଙ୍କ ସହ ୫ ଜଣଙ୍କ ମୃତୁ୍ୟ ହୋଇଛି । ୨ ଯବାନ ମଧ୍ୟ ଆହତ ହୋଇଛନ୍ତି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ସେମାନେ ଏଭଳି ହିଂସାକାଣ୍ଡ ଭିଆଇଛନ୍ତି । ତେବେ ଯେଉଁଠି ସେମାନେ ଏହି କାଣ୍ଡ କରିଛନ୍ତି, ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାରୁ ୧୦୦ କି.ମି. ଦୂରରେ ଏକ ର୍ୟାଲିକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।
କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସ୍ଏଫ୍)ର ଏକ ବସ୍ରେ ଯବାନମାନେ ଖାଦ୍ୟ ଆଣି ଫେରୁଥିଲେ । ଏହି ସମୟରେ ନକ୍ସଲମାନେ ଲ୍ୟାଣ୍ଡମାଇନ୍ ଯୋଗେ ବିସ୍ଫୋରଣ ଘଟାଇଥିଲେ । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ବସ୍ଟି ଖଣ୍ଡବିଖଣ୍ଡିତ ହୋଇଯାଇଥିଲା । ଇଞ୍ଜିନ୍ ଓ ବସ୍ର ଅନ୍ୟ ଅଂଶଗୁଡିକ ବିକ୍ଷିପ୍ତଭାବେ ଏଣେତେଣେ ପଡିଥିଲା । ସୁରକ୍ଷାକର୍ମୀଙ୍କ ସହ ଏହି ବସ୍ରେ ଥିବା ୪ ଜଣ ସାଧାରଣ ଲୋକଙ୍କ ମୃତୁ୍ୟ ହୋଇଛି । ତେବେ ଆହତ ହୋଇଥିବା ୨ ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବଚେଲି ନିକଟସ୍ଥ ପାର୍ବତ୍ୟ ଅଞ୍ଚଳରେ ସିଆଇଏସ୍ଏଫ୍ମାନଙ୍କ କ୍ୟାମ୍ପ୍ ରହିଛି । ସେମାନେ ଏକ ଘରୋଇ ବସ୍ରେ ନିକଟସ୍ଥ ବଜାରକୁ ଖାଦ୍ୟପେୟ ସାମଗ୍ରୀ ଆଣିବା ପାଇଁ ଯାଇଥିଲେ । ଦାନ୍ତେୱାଡା ଏସ୍ପି ଅଭିଶେକ ପଲ୍ଲବ କହିଛନ୍ତି ଯେ ଏହି ବିସ୍ଫୋରଣଟି ପାର୍ବତ୍ୟ ରାସ୍ତାର ୬ ନମ୍ବର ବୁଲାଣି ନିକଟରେ ଘଟିଛି । ସହିଦ ହୋଇଥିବା ସିଆଇଏସ୍ଏଫ୍ ଯବାନ ଟି ମୁଖୋପାଧ୍ୟାୟ ବୋଲି ଚିହ୍ନଟ ହୋଇଛି । ସେହିଭଳି ମୃତୁ୍ୟବରଣ କରିଥିବା ସାଧାରଣ ଲୋକେ ହୋଉଛନ୍ତି- ରମେଶ ପାଠକ, ରୋସନ ସାହୁ, ସୁଶୀଲ ବନ୍ଜାରେ ଓ ଜୋହମ । ବସ୍ତର ଅଞ୍ଚଳରେ ମୁତୟନ ହୋଇଥିବା ସୁରକ୍ଷା କର୍ମୀଙ୍କୁ ଏସ୍ଓପିକୁ କଡାକଡିଭାବେ ପାଳନ କରିବାକୁ କୁହାଯାଇଛି । ସେମାନଙ୍କୁ ଗାଡି ବ୍ୟବହାର ଲାଗି ମନା କରାଯାଇଥିଲାବେଳେ ରାସ୍ତାରେ ଖୋଲାଖୋଲି ବିଚରଣ କରିବା ପାଇଁ ମଧ୍ୟ ମନା କରାଯାଇଛି । ତେବେ ଏହି ଘଟଣା ଆମ ପକ୍ଷରୁ କିଛି ତ୍ରୁଟି ଥିବା ଯୋଗୁଁ ଘଟିଛି ।
ବସ୍ତର ଅଞ୍ଚଳରେ ଏହା ହେଉଛି ତୃତୀୟ ବୃହତ ଘଟଣା । କିଛିଦିନ ପୂର୍ବେ ନକ୍ସଲମାନେ ବିଜେପୁରର ସିଆର୍ପିଏଫ୍ର ବୁଲେଟ୍ପ୍ରୁଫ୍ ବଙ୍କର୍ରେ ବିସ୍ଫୋରଣ କରିଥିଲେ । ସେହିଭଳି ନିକଟରେ ନକ୍ସଲମାନେ ୪ ସୁରକ୍ଷା କର୍ମୀଙ୍କ ସହ ଦୂରଦର୍ଶନର ଜଣେ କ୍ୟାମେରାମ୍ୟାନ୍ଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଜଗଦଲପୁର ଆସୁଛନ୍ତି । ତାଙ୍କ ଗସ୍ତର ଦିନକ ପୂର୍ବରୁ ନକ୍ସଲମାନେ ଏଭଳି ହିଂସା ଘଟାଇ ପ୍ରଶାସନକୁ ଚ୍ୟାଲେଞ୍ଜ ଦେଇଛନ୍ତି । ହିଂସାକାଣ୍ଡ ପରେ ଅଧିକ ପୁଲିସ୍ ଫୋର୍ସ ସେଠାକୁ ଯାଇଛନ୍ତି ଓ ନିକଟସ୍ଥ ଜଙ୍ଗଲରେ କୁମ୍ବିଂ ଅପରେସନ୍ ଚାଲିଛି । ସୂଚନାଯୋଗ୍ୟ, ନଭେମ୍ବର ୧୨ରେ ମାଓ ଅଧୁ୍ୟଷିତ ବସ୍ତର ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ହେଉଛି । ଏହି ଅଞ୍ଚଳର ସମସ୍ତ ନିର୍ବାଚନମଣ୍ଡଳୀରେ ନକ୍ସଲମାନଙ୍କ ପ୍ରଭାବ ରହିଛି । ସେମାନେ ନିର୍ବାଚନକୁ ବର୍ଜନ କରିବା ଲାଗି ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com