IN-FRONT-OF-NALCO-(7)

ଓଡ଼ିଆଙ୍କୁ ନିଯୁକ୍ତି ଦେଉନି କେନ୍ଦ୍ରୀୟ ଉଦ୍ୟୋଗ

19

ଭୁବନେଶ୍ୱର, ୮ ।୧୧(ବୁ୍ୟରୋ): ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ(ପିଏସ୍ୟୁ) ରହିଛି । ଏହି କ୍ଷେତ୍ରରେ ବିଗତ ୪ ବର୍ଷରେ ଯୁବକଯୁବତୀଙ୍କ ନିଯୁକ୍ତି ଅତ୍ୟନ୍ତ ନୈରାଶ୍ୟଜନକ । କେନ୍ଦ୍ରୀୟ ପିଏସ୍‌ୟଗୁଡିକ ଓଡ଼ିଶାରୁ କୋଟି କୋଟି ଟଙ୍କା ଲାଭ ଆକାରରେ ନେଉଥିଲା ବେଳେ ଓଡ଼ିଶାର ଯୁବଶକ୍ତିଙ୍କ ପ୍ରତି ଉଦାସୀନ ମନୋଭାବ ପୋଷଣ କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଏହାର ପ୍ରତିବାଦରେ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଆଜି ସମ୍ବଲପୁରର ଏମ୍‌ସିଏଲ୍‌ ଅଫିସ୍‌, ରାଉରକେଲାର ଆର୍‌ଏସ୍‌ପି କାର୍ଯ୍ୟାଳୟ, ପାରାଦୀପର ଆଓସିଏଲ୍ ଅଫିସ୍ ଏବଂ ଭୁବନେଶ୍ୱର ଆଇଓସିଏଲ୍, ପୂର୍ବତଟ ରେଳ ସଦନ, ନାଲ୍କୋ, ଏମ୍ସିଏଲ୍ ଅଫିସ୍ ସମ୍ମୁଖରେ ୨ଘଣ୍ଟିଆ ଧାରଣା ଦିଆଯାଇଛି ।
ବିକ୍ଷୋଭରେ ବିଜେଡି ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ସଞ୍ଜୟ ଦାସବର୍ମା ସାମିଲ ହୋଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଶ୍ରୀ ଦାସବର୍ମା କହିଛନ୍ତି ଯେ, ରାଜ୍ୟର ବେଳାଭୂମିର ଉନ୍ନତି କ୍ଷେତ୍ରରେ କେନ୍ଦ୍ର ଅନୁଦାନ ଦେଉନି । ୨୦୧୪ ମସିହାରେ ମୋଦି ସରକାର ଦେଶରେ ପ୍ରତିବର୍ଷ ୨ କୋଟି ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ସେ ପ୍ରତିଶ୍ରୁତି ପ୍ରତାରଣା ସଦୃଶ୍ୟ । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବେ ବୋଲି ନିର୍ବାଚନୀ ଇସ୍ତାହାରରେ ବିଜେପି ପ୍ରକାଶ କରିଥିଲା । ଚତୁର୍ଦ୍ଦଶ ଅର୍ଥ କମିଶନ ଆଳ ଦେଖାଇ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ କେନ୍ଦ୍ର ସରକାର ସିଧାସଳଖ ମନା କରି ଦେଇଛନ୍ତି । ଓଡ଼ିଶାରୁ କେନ୍ଦ୍ରୀୟ ପିଏସ୍ୟୁ ଜରିଆରେ ବିଭିନ୍ନ ଖଣି ସମ୍ପଦରୁ ପ୍ରଚୁର ରାଜସ୍ୱ ନେଉଥିବାବେଳେ ତା’ ତୁଳନାରେ ରାଜ୍ୟର ଯୁବକଯୁବତୀଙ୍କୁ ନିଯୁକ୍ତି ଦେଉ ନାହାନ୍ତି । ରାଜ୍ୟରେ ଥିବା କେନ୍ଦ୍ରୀୟ ପିଏସ୍ୟୁରେ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ନ ଦେଲେ ଆଗାମୀ ଦିନରେ ଆନେ୍ଦାଳନକୁ ଜୋର୍ଦାର କରାଯିବ ବୋଲି ଶ୍ରୀ ଦାସବର୍ମା କହିଛନ୍ତି ।
ଧାରଣା ସ୍ଥଳରେ ଉପସ୍ଥିତ ନେତୃମଣ୍ଡଳୀ କହିଛନ୍ତି ଯେ, ଓଡ଼ିଶାରେ ୩୦ରୁ ଊଦ୍ଧ୍ୱର୍ କେନ୍ଦ୍ରୀୟ ପିଏସ୍‌ୟୁ ସଂସ୍ଥା ଥିଲାବେଳେ ଓଡ଼ିଆ ଯୁବକ ଯୁବତୀଙ୍କ ପାଇଁ ସେଥିରେ ନିଯୁକ୍ତି ସୁଯୋଗ ନାହିଁ । କେନ୍ଦ୍ର ସରକାର ଏହି ପିଏସ୍‌ୟୁମାନଙ୍କରେ ଅନ୍ୟ ରାଜ୍ୟରୁ ଯୁବକଯୁବତୀଙ୍କୁ ନିଯୁକ୍ତି ଦେଉଥିଲା ବେଳେ ଓଡ଼ିଶାର ଯୁବଶକ୍ତି ପ୍ରତି ଧ୍ୟାନ ଦେଇନାହାନ୍ତି । କେନ୍ଦ୍ରୀୟ ପିଏସ୍‌ୟୁମାନେ ଓଡ଼ିଶାରୁ କୋଟି କୋଟି ଟଙ୍କା ଲାଭ ଆକାରରେ ନେଉଛନ୍ତି । ନାଲ୍‌କୋ କମ୍ପାନୀ ଚଳିତ ବର୍ଷ ତା’ର ରାଜସ୍ୱ ଦ୍ୱିଗୁଣିତ କରି ୧୩୪୨ କୋଟି ଟଙ୍କାରେ ପହଞ୍ଚଥିଲା ବେଳେ ଓଡ଼ିଆ ଯୁବଶକ୍ତିଙ୍କ ପାଇଁ କୌଣସି ନୂତନ ନିଯୁକ୍ତି ସୃଷ୍ଟି କରିନାହିଁ । ୨୦୧୭-୧୮ ଆର୍ଥôକ ବର୍ଷରେ ଆଇଓସିଏଲ୍‌ ୮୨୪୫ କୋଟି ଟଙ୍କା ଲାଭ କରିଥିବା ବେଳେ ଏଚ୍‌ପିସିଏଲ୍‌ ୨୬୫୯ କୋଟି ଟଙ୍କା ଏବଂ ବିପିସିଏଲ୍‌ ୩୧୦୨ କୋଟି ଟଙ୍କା ଲାଭ କରିଥିବା ସତ୍ତ୍ୱେ ଓଡ଼ିଆ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ଯୋଗାଇ ନଦେବା କେନ୍ଦ୍ର ସରକାରଙ୍କର ଯୁବ ବିରୋଧୀ ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି । ପାରାଦୀପ ଠାରେ ଇଣ୍ଡିଆନ୍‌ ଅଏଲ କର୍ପୋରେସନ୍‌ କାରଖାନାରେ ଓଡ଼ିଆ ଯୁବକଯୁବତୀଙ୍କୁ ଚାକିରି ଦିଆଯାଉନାହିଁ । ଏହି ପ୍ରଶ୍ନ କେବଳ ବିଜୁ ଜନତା ଦଳର ନୁହେଁ, ଏହି ସମାନ ପ୍ରଶ୍ନ ଭାରତୀୟ ଜନତା ପାର୍ଟିର ନେତାମାନେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଚାରିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ତାହାର ଜବାବ ପାଇପାରିନାହାନ୍ତି । ଏହି କେନ୍ଦ୍ରୀୟ ପିଏସ୍‌ୟୁଗୁଡିକରେ ଯେଉଁ ଖାଲିସ୍ଥାନ ଅଛି, ସେଥିରେ ଓଡ଼ିଶାର ଯୁବକଯୁବତୀଙ୍କ ନିଯୁକ୍ତି ମିଳୁ ବୋଲି ଦାବି କରିଥିଲେ ।
ଭୁବନେଶ୍ୱରରେ ହୋଇଥିବା ବିକ୍ଷୋଭରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ କୁମାର ମହାନ୍ତି, ପ୍ରଭାତ ରଞ୍ଜନ ବିଶ୍ୱାଳ, ଦେବଶିଷ ସାମନ୍ତରାୟ, ପୂର୍ବତନ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ, ରାଜ୍ୟ ସଂପାଦକ ବିଜୟ ନାୟକ, ମେୟର ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର, ମୁଖପାତ୍ର ସୁଲୋଚନା ଦାସ, ପାନେଲିଷ୍ଟ ସୁଲତା ଦେଓ, ଯୁବ ବିଜେଡି ଉପଦେଷ୍ଟା ଅମରେଶ ଜେନା, ସୁନୀଲ ପ୍ରଧାନ, ଉପ-ସଭାପତି ଦୁର୍ଗା ସାମନ୍ତରାୟ, ପ୍ରକାଶ ତ୍ରିପାଠୀ ପ୍ରମୁଖ ସାମିଲ ହୋଇଥିଲେ । ସେହିପରି ସମ୍ବଲପୁରରେ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ଓ ରାଉରକେଲାରେ ବିଧାୟକ ସୁବ୍ରତ ତରାଇଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିସହ ପାରାଦୀପ ଠାରେ ଆଇଓସିଏଲ୍ ଅଫିସ୍ ସମ୍ମୁଖରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପ୍ରତାପ ଜେନା, ବିଧାୟକ ପ୍ରଶାନ୍ତ ମୁଦୁଲି, ସାଂସଦ କୁଳମଣୀ ସାମଲ, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ବିଜେଡି ନଗର ସଭାପତି ସୁମନ୍ତ ବିଶ୍ୱାଳ ପ୍ରମୁଖ ଧାରଣାରେ ଅଂଶଗ୍ରହଣ କରିଥିଲେ ।

ସେଆର କରନ୍ତୁ:



Powered by odothemes.com