rbi0004

ବୋର୍ଡ ନିଷ୍ପତ୍ତିକୁ ଅପେକ୍ଷା

18

ବିପଜ୍ଜନକ ହେଉଛି ଆର୍ବିଆଇ-ସରକାର ବିବାଦ
ନୂଆଦିଲ୍ଲୀ, ୮ା୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ବାକ୍ୟୁଦ୍ଧର ଅବସାନ ନଭେମ୍ବର ୧୯ରେ ଅନୁଷ୍ଠିତ ହେବାକୁ ଥିବା ଆର୍ବିଆଇ ବୋର୍ଡ ବୈଠକରେ ହେବ । ଏ ସମ୍ପର୍କରେ ସୃଷ୍ଟି ହୋଇଥିବା ବିଭିନ୍ନ କଳ୍ପନା ଜଳ୍ପନାର ଅନ୍ତଃ ଘଟିବାର ସମ୍ଭାବନା ରହିଛି । ତେବେ କେନ୍ଦ୍ର ସରକାର ଯେଉଁଭଳି ଭାବରେ ଆର୍ବିଆଇ ଉପରେ ଏକ ଶକ୍ତ ହାତୁଡିରେ ପ୍ରହାର କରୁଛନ୍ତି ସେ ସମ୍ପର୍କରେ ବୋର୍ଡର ନିଷ୍ପତ୍ତି କ’ଣ ହେବ ତାହା ଉପରେ ସଭିଙ୍କ ନଜର ରହିଛି । ଅପରପକ୍ଷରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ କହିଛନ୍ତି ଯେ କେନ୍ଦ୍ର ସରକାର ଆର୍ବିଆଇ ଆଇନ-୧୯୩୪ର ଧାରା ୭ ବ୍ୟବହାର କରି କେନ୍ଦ୍ରୀୟ ବ୍ୟାଙ୍କରେ ଜମା ଥିବା ପୁଞ୍ଜିରୁ ୧ ଲକ୍ଷ କୋଟି ଟଙ୍କା ସରକାରୀ ଖାତାକୁ ନେବା ପାଇଁ ଚାପ ପକାଉଛନ୍ତି । ଆର୍ବିଆଇକୁ କରାୟତ କରି ନିଅଣ୍ଟିଆ ଆର୍ଥôକ ସ୍ଥିତିରୁ ମୁକୁଳିବାକୁ ଉଦ୍ୟମ କରୁଛନ୍ତି । ଏଭଳି ପଦକ୍ଷେପ ବିପଦପୂର୍ଣ୍ଣ ବୋଲି ସେ ଚେତାଇଦେଇଛନ୍ତି ।
ସରକାରଙ୍କ ପକ୍ଷରୁ ବୋର୍ଡରେ ଥିବା ସଦସ୍ୟମାନଙ୍କୁ କରାୟତ କରାଯାଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ୍ ପଟେଲ୍ଙ୍କ ଉପରେ ଚାପ ପକାଇବାର ଯୋଜନା କରାଯାଉଛି । ନଭେମ୍ବର ୧୯ ବୈଠକରେ ସହମତି ଭିତ୍ତିରେ ଏକ ସନ୍ତୋଷଜନକ ସମାଧାନ ନେଇ ସମସ୍ତେ ଆଶା କରୁଥିବାବେଳେ ଏହା ହେବା ନେଇ ସନେ୍ଦହ ପ୍ରକାଶ ପାଇଛି । ତେବେ ଯାହା ଦୀର୍ଘମିଆଦୀ କ୍ଷେତ୍ରରେ ଆର୍ଥôକ ଓ ବଜାର ପାଇଁ ଅନୁକୂଳ ନୁହେଁ । ଯଦି ବୋର୍ଡ ଆର୍ବିଆଇ ଗଭର୍ଣ୍ଣରଙ୍କ ଉପରେ ଏକ ନିଷ୍ପତ୍ତି ଲଦିଦିଏ, ତାହେଲେ ଏହା ଆର୍ବିଆଇ ଇତିହାସରେ ପ୍ରଥମ ଘଟଣା ହେବ । ବୋର୍ଡ ଆର୍ବିଆଇ କାର୍ଯ୍ୟରେ ରାଜନୈତିକ କାର୍ଯ୍ୟକର୍ତ୍ତାଭାବେ ହସ୍ତକ୍ଷେପ କରିବ । ପୂର୍ବତନ ଆର୍ବିଆଇ ଗଭର୍ଣ୍ଣର ରଘୁରାମ ରାଜନ ଏ ସମ୍ପର୍କରେ ସୂଚନା ଦେଇ ବୋର୍ଡ ଆର୍ବିଆଇର କାର୍ଯ୍ୟଧାରାରେ ବାଧ୍ୟତାମୂଳକଭାବେ ହସ୍ତକ୍ଷେପ କରି ଭୁଲ୍ ନକରିବାକୁ ଚେତାଇଦେଇଛନ୍ତି । ବୋର୍ଡ କେବଳ ବିଭିନ୍ନ ନୀତି ଉପରେ ନିଷ୍ପତ୍ତି ନେଇଥାଏ । ଆର୍ବିଆଇରେ ଥିବା ଜମା ପୁଞ୍ଜି ଉପରେ ହସ୍ତକ୍ଷେପ କେବେ କରାଯାଇନଥାଏ । ତେବେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ୩.୫ ଲକ୍ଷ କୋଟି ଟଙ୍କା ପୁଞ୍ଜିକୁ ସରକାରଙ୍କ ଆକାଉଣ୍ଟକୁ ନେବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଆର୍ବିଆଇ ବାଲାନ୍ସସିଟ୍ ଅନୁଯାୟୀ ୨.୫ ଲକ୍ଷ କୋଟି ଟଙ୍କା କଣ୍ଟିଜେନ୍ସିରେ ଗଚ୍ଛିତ ରହିଛି । ତେବେ ୩.୫ ଲକ୍ଷ କୋଟି ଟଙ୍କା କେଉଁଠୁ ଆସିଲା, ତାହା ନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି ହେଲାଣି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଅର୍ଥ ମନ୍ତ୍ରାଳୟ ନିର୍ବାଚନ ବର୍ଷ ହୋଇଥିବା ଆର୍ବିଆଇ କାର୍ଯ୍ୟକର୍ତ୍ତାଙ୍କ ଉପରେ ଚାପ ପକାଇ ଟଙ୍କା ନେଉଛନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି । ଏଥିଲାଗି ଜନସାଧାରଣ ଓ ଜାତୀୟ ସ୍ୱାର୍ଥ ନିହିତ ରହିଛି ବୋଲି ସରକାର ଦର୍ଶାଉଛନ୍ତି । ତେବେ ଜାତୀୟ ସ୍ୱାର୍ଥଟି କାର୍ଯ୍ୟକ୍ରମରେ ପରିପ୍ରକାଶ ହୋଇଥାଏ । ତାହା ଲୁକ୍କାୟିତ ହୋଇନଥାଏ । ବିମୁଦ୍ରୀକରଣ ଏହାର ଏକ ଉଦାହରଣ ।
ଏକ ସାମ୍ବାଦିକ ସମ୍ମିଳନୀରେ ଚିଦାମ୍ବରମ୍ କହିଛନ୍ତି ଯେ ନିର୍ବାଚନ ବର୍ଷ ହୋଇଥିବାରୁ ସରକାର ଅଧିକ ଖର୍ଚ୍ଚ କରିବାକୁ ଚାହୁଁଛନ୍ତି । ମାତ୍ର ସବୁ ଆଡୁ ରାସ୍ତା ବନ୍ଦ ହୋଇଯାଇଛି । ଚାପରେ ଥିବାରୁ ସେମାନେ ଆର୍ବିଆଇ ଜମାରୁ ୧ ଲକ୍ଷ କୋଟି ଟଙ୍କା ନେବାକୁ ଚାହୁଁଛନ୍ତି । ଆସନ୍ତା ୧୯ ତାରିଖରେ ହେବାକୁ ଥିବା ବୈଠକରେ ବୋର୍ଡର କିଛି ହାତଗଣତି ମନୋନୀତ ସଭ୍ୟଙ୍କ ଦ୍ୱାରା ସରକାର ଦେଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଆର୍ବିଆଇ ଯଦି ସରକାରଙ୍କ ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରେ କିମ୍ବା ଆର୍ବିଆଇ ଗଭର୍ଣ୍ଣର ଇସ୍ତଫା ଦିଅନ୍ତି, ତାହେଲେ ଉଭୟ ବିପଦପୂର୍ଣ୍ଣ । ସରକାରଙ୍କ ସହ ଆର୍ବିଆଇର ଅନେକ ପ୍ରସଙ୍ଗରେ ମତଭେଦ ରହିଛି । ନୀରବ ମୋଦି ମାମଲାକୁ ଯେଉଁଭଳି ଭାବରେ କେନ୍ଦ୍ରୀୟ ବ୍ୟାଙ୍କ ପରିଚାଳନା କଲା ଏବଂ ତୁରନ୍ତ ପଦକ୍ଷେପ ନେଲାନାହିଁ, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ସେହିଭଳି ଅଣବ୍ୟାଙ୍କିଂ ସଂସ୍ଥାଗୁଡିକର ସମସ୍ୟା ରହିଛି ବୋଲି ସେ କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com