21-chikiti-mukula-padichi-sonpur-balabhumi

ମୁକୁଳାପଡ଼ିଛି ସୁନପୁର ବେଳାଭୂମି

17

ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ) : ଗଞ୍ଜାମ ଜିଲ୍ଲା ସୁନପୁର ବେଳାଭୂମିର ସୁରକ୍ଷା ନେଇ ଏକ ବିରାଟ ପ୍ରଶ୍ନ ଛିଡ଼ା ହୋଇ ରହିଛି । ଏହା ସରକାରଙ୍କ ସୁରକ୍ଷାନୀତିର ଅସଲ ଚରିତ୍ର ପଦାରେ ପକାଇଛି । ମାନଚିତ୍ରରେ ସୁନପୁର ବେଳାଭୂମି ପ୍ରମୁଖ ସ୍ଥାନ ନେଇଥିବାବେଳେ ଏବେ ମୁକୁଳା ହୋଇ ପଡ଼ିରହିଛି । ସୁନପୁରଠାରେ ବେଳାଭୂମି ଥାନାର ଉଦ୍ଘାଟନ ଉତ୍ସବରେ ଓଡ଼ିଶା ପୁଲିସ ଡିଜି ଆବଶ୍ୟକୀୟ ଉପକରଣ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇ ଯାଇଥିଲେ । ମାତ୍ର ତାହା ପାଣିର ଗାର ହୋଇ ରହିଯାଇଛି ।
ବାହ୍ୟଶତ୍ରୁଙ୍କ ପ୍ରବେଶକୁ ପ୍ରତିହତ ଲାଗି ସୁରକ୍ଷାର ଆବଶ୍ୟକତା ରହିଛି । ଉପକୂଳ ଅଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ପାଇଁ ସାମୁଦ୍ରିକ ଥାନାଗୁଡ଼ିକ ରହିଛି । କିନ୍ତୁ ଏଠାରେ ଉପଯୁକ୍ତ ଉପକରଣ ଏବଂ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯାଇନାହିଁ । ଜଣେ ଥାନା ଅଧିକାରୀ ଅଛନ୍ତି । ସେ ପୁଣି ଗୋଳନ୍ଥରା ଥାନାର ଅତିରିକ୍ତ ଦାୟିତ୍ୱରେ । ଜଣେ ଏସ୍ଆଇ ଏବଂ ୩ ଜଣ କନେଷ୍ଟବଳଙ୍କୁ ନେଇ ଯାହା କରିହେବ ତାହା ସ୍ପଷ୍ଟ ଅନୁମେୟ । କାଁ ଭାଁ ପାଟ୍ରୋଲିଂ କରାଯାଉଥିଲେ ମଧ୍ୟ ଆବଶ୍ୟକୀୟ ଉପକରଣ ଅଭାବ ଯୋଗୁଁ ମୁକୁଳା ହୋଇପଡ଼ିଛି ବେଳାଭୂମି । ଅନାଧିକାର ପ୍ରବେଶକୁ ରୋକିବା ପାଇଁ ବିଭାଗ ବିଫଳ ଥିବା ଯୋଗୁଁ ବାହାର ରାଜ୍ୟର ବୋଟ ମନଇଚ୍ଛା ପଶି ଆସୁଛନ୍ତି । ଡିଜି ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଥିବାବେଳେ ବେଳାଭୂମି ଥାନା ଅଧିକାରୀ ନିଜର ଅସହାୟତା ପ୍ରକାଶ କରିଛନ୍ତି । ସୁରକ୍ଷାରେ ଢିଲା ଯୋଗୁଁ ସମୁଦ୍ରରେ ମାଳ ମାଳ ବୋଟ ଘୂରିବୁଲୁଛି । ସାମୁଦ୍ରିକ ବୋଟ ମୁହାଣରେ ସବୁଦିନ ଅଜଣା ବୋଟ ଲାଗୁଥିବାରୁ ଅଜଣା ଆତଙ୍କ ଖେଳିଯାଇଛି ଅଞ୍ଚଳରେ । ଅନ୍ୟପକ୍ଷରେ ବେଳାଭୂମିରେ ଅଘଟଣକୁ ନେଇ କାହାର ନଜର ନଥିବାବେଳେ ନାଁ ଅଛି କଟକଣା ନା ସଚେତନତା । ବନ ବିଭାଗ ତରଫରୁ ଯେଉଁ ସଚେତନ ପାଇଁ ଫ୍ଲେକ୍ସ ଲାଗିଥିଲା ତାହା କେବେଠାରୁ ଉଭାନ ହୋଇଗଲାଣି । ବିଶେଷକରି ପୁଲିସ ବାହିନୀର ସୁରକ୍ଷା ଦିଗରେ ପଦକ୍ଷେପ ଦୃଶ୍ୟମାନ ହେଉନାହିଁ । ସୁନପୁର ସାମୁଦ୍ରିକ ଥାନା ଅଧିକାରୀ ବସନ୍ତ ସେଠୀ କହିଛନ୍ତି ଯେ, ଷ୍ଟାଫ୍ ଅଭାବ ସତ୍ତ୍ୱେ ଯାହା ସମ୍ଭବ ତାହା ଆମେ କରି ଚାଲିଛୁ । ଅପରପକ୍ଷରେ ତାଙ୍କୁ ଅତିରିକ୍ତ ଗୋଳନ୍ଥରା ଥାନା ଦାୟିତ୍ୱ ଦିଆଯାଇଛି । ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବାରୁ ବେଳାଭୂମିରେ ଭିଡ଼ ଜମିବାରେ ଲାଗିଛି । ଅଶାନ୍ତ ପରିବେଶରେ ଯୁବପିଢ଼ି ସମୁଦ୍ରରେ ସ୍ନାନ ମଧ୍ୟ କରୁଥିବାର ଦେଖିବାକୁ ମିଳିଛି । ଏଠାରେ ଲାଇନ ଗାର୍ଡ ବ୍ୟବସ୍ଥା କରାଯାଇନାହିଁ । ପର୍ଯ୍ୟଟନ ଋତୁ ଆସୁଥିବାରୁ ସୁରକ୍ଷା ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି ।

ସେଆର କରନ୍ତୁ:



Powered by odothemes.com