8-11-2018=1

ଛାତ୍ରଛାତ୍ରୀଙ୍କୁ ରିହାତି, ଭିନ୍ନକ୍ଷମଙ୍କୁ ମାଗଣା

22

ଭୁବନେଶ୍ୱର: ଓଡ଼ିଶା ନୌବାଣିଜ୍ୟ ସଂଗ୍ରହାଳୟ କଟକର ଚତୁର୍ଥ ପରିଚାଳନା ପରିଷଦର ବୈଠକ ଗୁରୁବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଗ୍ରହାଳୟର ବିକାଶ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।
ଆଲୋଚନାରୁ ଜଣାଯାଇଛି ଯେ ଓଡ଼ିଶା ନୌବାଣିଜ୍ୟ ସଂଗ୍ରହାଳୟ କଟକ ସହରର ଏକ ଲୋକପ୍ରିୟ ଦର୍ଶନୀୟ ସ୍ଥାନ ଭାବରେ ବିକଶିତ ହୋଇପାରିଛି । ସଂଗ୍ରହାଳୟକୁ ଦର୍ଶକମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି । ଏହି ସଂଗ୍ରହାଳୟ ଆମ ନୌବାଣିଜ୍ୟ ପରମ୍ପରାର ଗୌରବମୟ ସ୍ମୃତି ବହନ କରୁଛି । ତେଣୁ ଛାତ୍ରଛାତ୍ରୀମାନଙ୍କୁ ସେ ସଂପର୍କରେ ସଚେତନ କରିବା ନିମନ୍ତେ କଟକ ସହରର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ନୌବାଣିଜ୍ୟ ସଂଗ୍ରହାଳୟର ସୂଚନା ପତ୍ରିକା ବଣ୍ଟନ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ସଂଗ୍ରହାଳୟରେ ଥିବା ଏସ୍ଏଫ୍ଏକ୍ସ ଏବଂ ଆକ୍ୱାରିଅମ ପରିଦର୍ଶନରେ ଆସୁଥିବା ୧୪ ବର୍ଷରୁ କମ୍ ବୟସ ଛାତ୍ରଛାତ୍ରୀଙ୍କୁ ଟିକଟରେ ୫୦ ପ୍ରତିଶତ ରିହାତି ଏବଂ ଭିନ୍ନକ୍ଷମମାନଙ୍କୁ ସଂପୂର୍ଣ୍ଣ ମାଗଣାରେ ପରିଦର୍ଶନ ସୁବିଧା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ ।
ଅନ୍ୟାନ୍ୟ ବିଷୟମାନଙ୍କ ମଧ୍ୟରେ ଆକ୍ୱାରିଅମର ସଂପ୍ରସାରଣ, ମିରର ମାଜେ ପ୍ରତିଷ୍ଠା ବିଭିନ୍ନ ଛୁଟି ଦିନ ମାନଙ୍କରେ ନୌବାଣିଜ୍ୟ ସଂଗ୍ରହାଳୟର କର୍ମଚାରୀମାନେ କାର୍ଯ୍ୟ କରୁଥିବାରୁ ସେମାନେ ବର୍ଷକୁ ୨୧ ଦିନର ଦରମା ଦେବା ଏବଂ କର୍ମଚାରୀ ମାନଙ୍କର ଦରମା ପୁନଃନିର୍ଦ୍ଧାରଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।
ଏତଦ୍ବ୍ୟତୀତ ନୌବାଣିଜ୍ୟ ସଂଗ୍ରହାଳୟ ସମ୍ମୁଖରେ ମହାନଦୀ ତଟର ସ୍ୱତନ୍ତ୍ର ବିକାଶ ଓ ସୌନ୍ଦର୍ଯ୍ୟ କରିବା ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ।
ଏହି ବୈଠକରେ କଟକ ସାଂସଦ, କଟକ ସହର ଓ ଟାଙ୍ଗୀ ଚୌଦ୍ୱାର ବିଧାୟକଙ୍କ ସମେତ ଉନ୍ନୟନ କମିଶନର, ଜଳସଂପଦ ବିଭାଗର ପ୍ରମୁଖ ସଚିବ ଓ କଟକ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com