make-in-odisha-conclave--2018--press-meet-(5)

ଶିଳ୍ପାୟନ ଯାତ୍ରାରେ ହେବ ଅଭୁଲା ସ୍ମୃତି

18

୧୧ରୁ ‘ମେକ୍ ଇନ୍ ଓଡ଼ିଶା’ କନ୍କ୍ଲେଭ୍
ଭୁବନେଶ୍ୱର(ବୁ୍ୟରୋ): ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୧୮ ଫ୍ଲାଗ୍ସିପ୍ ଦ୍ୱିବାର୍ଷିକ ଗ୍ଲୋବାଲ ନିବେଶକ ସମ୍ମିଳନୀ ନଭେମ୍ବର ୧୧ରୁ ୧୫ ଯାଏଁ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । ଓଡ଼ିଶାର ଶିଳ୍ପାୟନ ଯାତ୍ରାରେ ଏହି କନ୍କ୍ଲେଭ୍ ଏକ ଅଭୁଲା ସ୍ମୃତି ଏବଂ ଏହା ରାଜ୍ୟରେ ପୂର୍ବରୁ ଦେଖି ନ ଥିବା ଭଳି ଆକାରରେ ହେବ । ଚଳିତ ଥର କନ୍କ୍ଲେଭରେ ଅନେକ କିଛି ପ୍ରଥମ ଥର ପାଇଁ ହେବାକୁ ଯାଉଥିବା ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ସୂଚନା ଦେଇଛନ୍ତି ।
ଗୁରୁବାର ଜୟଦେବ ଭବନ ପରିସରରେ ଥିବା ଗୀତଗୋବିନ୍ଦ ସମ୍ମଳନୀ କକ୍ଷରେ ଅନୁଷ୍ଠିତ ସମ୍ବାଦିକ ସମ୍ମଳନୀରେ ଶ୍ରୀ ଦାସ କହିଥିଲେ ଯେ, ଅନ୍ୟ ରାଜ୍ୟ ଦ୍ୱାରା ଆୟୋଜିତ ହେଉଥିବା ନିବେଶକ ସମ୍ମଳନୀ ତୁଳନାରେ ମେକ୍ ଇନ ଓଡିଶା କନକ୍ଲେଭ-୨୦୧୮ ୪ ଦିନରୁ ଅଧିକ ସମୟ ପାଇଁ ଆୟୋଜିତ ହେବ । ଆସନ୍ତାକାଲିର ଓଡିଶା ନିର୍ମାଣ ଦିଗର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା ପାଇଁ ଏହାକୁ ଅନନ୍ୟ ପ୍ଲାଟଫର୍ମ ଭାବେ ଡିଜାଇନ କରାଯାଇଛି । ରାଜ୍ୟ ସରକାରଙ୍କ ୧୫ଟି ବିଭାଗ, ବହୁ ସଂଖ୍ୟକ ନିବେଶକ, ସରକାରୀ ଅଧିକାରୀ ଓ ସାଧାରଣ ଜନତାଙ୍କ ସମାଗମ ଏହାକୁ ରାଜ୍ୟର ସର୍ବବୃହତ୍ ବ୍ୟବସାୟିକ କାର୍ଯ୍ୟକ୍ରମରେ ପରିଣତ କରିବ । ନଭେମ୍ବର ୧୨ରେ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୧୮ର ଆଲୋଚନାଚକ ସମ୍ମଳନୀର ଆଲୋଚନାଚକ୍ର ଅଧିବେସନରେ ପରବର୍ତ୍ତୀ ପିଢିର ନେତୃତ୍ୱଙ୍କୁ ପ୍ରେରଣା ଦେବା ଲାଗି ବିଜ୍ନେସ ଲିଡରସିପ୍ ସମିଟ୍ ରେ ରିଲାଏନ୍ସ କମ୍ପାନୀର ମୁଖ୍ୟ ମୁକେଶ ଅମ୍ବାନି ଷ୍ଟାର ବକ୍ତା ଭାବେ ଯୋଗ ଦେବେ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ।
ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଦର୍ଶକମାନଙ୍କୁ ଜଣାଇବା ଉଦେ୍ଦଶ୍ୟରେ ନଭେମ୍ବର ୧୧ରେ କୋଷ୍ଟାଲ ଫନ୍ ରନ୍, ହେରିଟେଜ୍ ୱାକ୍, ଗଲ୍ଫ ଟୁର୍ଣ୍ଣାମେଣ୍ଟ୍ ଏବଂ ଆଦିବାସୀ ସଂଗ୍ରହାଳୟ ଏବଂ କଳାଭୂମି (ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ) ପରିଦର୍ଶନ ଭଳି ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ଯୋଜନା କରାଯାଇଛି । ନଭେମ୍ବର ୧୨ରେ ପ୍ଲେନାରୀ ଅଧିବେଶନ ଉଦ୍ଘାଟନ ବେଳେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି ଏବଂ ତାଙ୍କ ଟିମ୍ ଦ୍ୱାରା ରାଜ୍ୟର ଇତିହାସ ଓ ସଂସ୍କୃତି ଉପରେ କଳାତ୍ମକ ଅନୁବାଦ ପ୍ରଦର୍ଶନ ହେବ । ରାଉରକେଲା ଜନ୍ମିତ ଏବଂ ଆମେରିକାଭିତ୍ତିକ ପ୍ରଖ୍ୟାତ ଫ୍ୟାଶନ୍ ଡିଜାଇନର୍ ବିଭୂ ମହାପାତ୍ର କ୍ରିଏଟିଭ୍ ଅର୍ଥନୀତି ଉପରେ ଅଭିଭାଷଣ ପ୍ରଦାନ କରିବେ, ଯାହାକି ରାଉରକେଲାରୁ ନୁ୍ୟୟର୍କ ଯାଏଁ ତାଙ୍କର ବ୍ୟକ୍ତିଗତ ଯାତ୍ରାକୁ ବର୍ଣ୍ଣନା କରିବ ଏବଂ ଆମେରିକାରେ ନିଜର ଏକ ପ୍ରମୁଖ ଫ୍ୟାସନ ବ୍ରାଣ୍ଡ ତିଆରି ଉପରେ ସୂଚନା ଦେବ । ଓଡ଼ିଶା ଥିମ୍ ପାଭିଲିୟନ୍: ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେବ ‘ଦେଓମାଳୀ’ ନାମକ ଓଡ଼ିଶା ଥିମ୍ ପାଭିଲିୟନ୍, ଯେଉଁଥିରେ ବୃତ୍ତାକାର ଗମ୍ବୁଜରେ ବିଭିନ୍ନ ସମ୍ଭାବନାକୁ ପ୍ରଦର୍ଶନ କରାଯିବ । ଭାରତରେ ପ୍ରଥମ ଥର ପାଇଁ ଏହି ଗମ୍ବୁଜ ନିର୍ମାଣ କରାଯାଉଛି ଏବଂ ଏହା ରାଜ୍ୟର ଫୋକସ୍ କ୍ଷେତ୍ର ଏବଂ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀକୁ ପ୍ରକଳ୍ପ କରିବ । ଏହାବ୍ୟତୀତ ଏଠାରେ ‘କାଇନେଟିକ୍ ଇନ୍ଷ୍ଟାଲେସନ୍’ ଭଳି ବ୍ୟାପକ କଟିଙ୍ଗ୍-ଏଜ୍ ଟେକ୍ନୋଲୋଜିର ବ୍ୟବହାର ହୋଇଛି, ଯାହାକି ଦର୍ଶକଙ୍କୁ ୧୦୮ ଗୋଲକର ସୁନ୍ଦର ଏକୀକରଣ ଚମକ୍ରାରିତା ଦେଖାଇବ । ଷ୍ଟାର୍ଟଅପ୍ ଟକ୍ ଷ୍ଟାର୍ଟ ଅପ୍ ଏବଂ ଆକାଂକ୍ଷୀ ଉଦ୍ୟୋଗୀଙ୍କ ପାଇଁ ଏକ ପ୍ଲାଟଫର୍ମ ହେବ, ଯେଉଁଥିରେ ସେମାନେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ନିବେଶକ, ମେଣ୍ଟର ଓ ଉଦ୍ୟୋଗୀଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇବେ । ଏଥିରେ ହେବାକୁ ଥିବା ପ୍ୟାନେଲ୍ ଆଲୋଚନାଚକ୍ରରେ ପ୍ରମୁଖ ଓଡ଼ିଆ ଉଦ୍ୟୋଗୀ ଅମରେନ୍ଦ୍ର ସାହୁ, ସହପ୍ରତିଷ୍ଠାତା ଓ ସିଇଓ, ନେଷ୍ଟଆୱେ, ରାହୁଲ ଦାଶ, ସହପ୍ରତିଷ୍ଠାତା ଓ ସିଇଓ, ପରପ୍ଲ, ଶ୍ରୀକୁମାର ମିଶ୍ର, ପ୍ରତିଷ୍ଠାତା ଓ ଏମ୍ଡି, ମିଲ୍କ ମନ୍ତ୍ର, ସୁବ୍ରତ କର, ସହପ୍ରତିଷ୍ଠାତା ଓ ସିଇଓ, ଭିଡୋଲି ପ୍ରମୁଖ ଭାଗ ନେବାକୁ ସହମତି ପ୍ରକାଶ କରିଛନ୍ତି ।
ସେହିଭଳି ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜିବ ଚୋପ୍ରା ସୂଚନା ଦେଇ କହିଥିଲେ ଯେ,ପ୍ରଥମ ଥର ପାଇଁ ରାଜ୍ୟରେ ଓଡ଼ିଶା ସିଏସ୍ଆର୍ ପୁରସ୍କାର ପ୍ରଦାନ କରାଯିବ । ରାଜ୍ୟର ସାମାଜିକ-ଆର୍ଥିକ ବିକାଶ ଦିଗରେ ଓଡ଼ିଶାରେ ପରିଚାଳିତ କମ୍ପାନିଗୁଡ଼ିକର ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ଦିଆଯିବ । ନଭେମ୍ବର ୧୨ରେ ୩ଟି କମ୍ପାନିକୁ ଶ୍ରେଷ୍ଠ ଷ୍ଟଲ୍ ପୁରସ୍କାର ପ୍ରଦାନ କରାଯିବ । ସୋସିଆଲ୍ ମିଡିଆରେ ‘ଆଇ ଆମ୍ ଓଡ଼ିଶା’ ଅଭିଯାନ ସଫଳତାପୂର୍ବକ ଶେଷ ହେବାପରେ ଓଡ଼ିଶାଭିତ୍ତିକ ୭ ଜଣ ସଫଳ ଉଦ୍ୟୋଗୀ ସେମାନଙ୍କ କେସ୍ ଷ୍ଟଡି ପ୍ରଦାନ କରିବେ । ୩ ଜଣ ବିଜେତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ‘ଓଡ଼ିଶା ଗୌରବ’ ଭାବେ ସମ୍ମାନିତ କରାଯିବ । ଅପରପକ୍ଷରେ ଯେହେତୁ ଜାପାନ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୧୮ର କଣ୍ଟ୍ରି ପାର୍ଟନର ରହିଛି, ନଭେମ୍ବର ୧୨ରେ ଜାପାନଭିତ୍ତିକ କମ୍ପାନିଗୁଡ଼ିକ ପାଇଁ ଏକ ସମର୍ପିତ ଅଧିବେଶନ ରହିଛି । ଜାପାନିଜ୍ କମ୍ପାନିଗୁଡ଼ିକୁ ଏଥିରେ ଓଡ଼ିଶାର ମାନୁଫାକ୍ଚରିଂ କ୍ଷେତ୍ରରେ ରହିଥିବା ନିବେଶ ସୁଯୋଗ ସମ୍ପର୍କରେ ପ୍ରଦର୍ଶନ କରାଯିବ । ଏଥିରେ ମିତ୍ସୁବିସି ହେଭି ଇଣ୍ଡଷ୍ଟ୍ରିଜ୍, ମାରୁବେନି, ଜେଏଫ୍ଇ ଷ୍ଟିଲ୍, ନିସିନ୍ ଫୁଡ୍, ମିତ୍ସୁଇ ଏବଂ ତାକାହାତା ପ୍ରେସିସନ୍ ଭଳି କମ୍ପାନି ଅଂଶଗ୍ରହଣ କରିବେ । ଏହାଛଡ଼ା ରାଜ୍ୟରେ ପ୍ରଥମ ଥର ପାଇଁ ସ୍ମାର୍ଟ ଓଡ଼ିଶା ହାକାଥନ୍ ଆୟୋଜନ ହେବ । ଏଥିପାଇଁ ୨୯୩ ଜଣ ବିଦ୍ୟାର୍ଥୀ ଚୟନ ହୋଇଛନ୍ତି ଏବଂ ସେମାନଙ୍କୁ ୯୩ଟି ଟିମ୍ କରାଯାଇଛି । ୩୬ ଘଣ୍ଟିଆ ସ୍ମାର୍ଟ ଓଡ଼ିଶା ହାକାଥନ୍ର ବିଜେତାଙ୍କୁ ନଭେମ୍ବର ୧୫ରେ ପୁରସ୍କୃତ କରାଯିବ । ଗତ ୨୦୧୬ ମେକ ଇନ ଓଡିଶା କନକ୍ଲେଭ ଜରିଆରେ ୧୨୪ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି । ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୬୪ ଟି ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ଏବଂ ତିନୋଟି ପ୍ରକଳ୍ପ ସମ୍ପର୍ଣ୍ଣ ଉତ୍ପାଦନକ୍ଷମ ହୋଇଛି । ଏହି ସମ୍ବାଦିକ ସମ୍ମଳନୀରେ ଇଡକୋ- ସିଏମଡି ସଞ୍ଜୟ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com