୫୦ ଲକ୍ଷ ଟଙ୍କାର ବ୍ରାଉନ୍ସୁଗର୍ ଜବତ

33

ବାଲେଶ୍ୱର,୨୮ ।୬(ଆପ୍ର): କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ୨୮ ତାରିଖ ସକାଳେ ସହଦେବଖୁଣ୍ଟା ଅଞ୍ଚଳରେ ଚଢ଼ାଉ କରି ୫୦ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନ୍ସୁଗର୍ ସମେତ ଜଣକୁ ଗିରଫ କରିଛି । ସହଦେବଖୁଣ୍ଟା ଅରଡ଼ ବଜାରରେ ବ୍ରାଉନସୁଗର କାରବାର ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ଟିମ୍ ୨୭ ତାରିଖ ରାତିରେ ବାଲେଶ୍ୱର ପହଞ୍ଚିଥିଲା । ଅବକାରୀ କମିଶନର ପ୍ରଶାନ୍ତ କୁମାର ସେନାପତି ଓ ଡେପୁଟି କମିଶନର ମୃଣାଳକାନ୍ତି ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗଠିତ ୨୦ ଜଣିଆ ଟିମ୍ ୨୮ ତାରିଖ ସକାଳେ ଉକ୍ତ ଅଞ୍ଚଳରେ ଅତର୍କିତ ଚଢ଼ାଉ କରି ଅରଡ଼ବଜାରର ଶେଖ୍ ଜବୁଲଙ୍କ ପୁଅ ଶେଖ୍ ଆକବର(୨୪)ଙ୍କୁ ଧରିଥିଲା । ତାଙ୍କ ଘରୁ ୫୦୦ ଗ୍ରାମ୍ ଓଜନର ବ୍ରାଉନ୍ସୁଗାର୍, ନଗଦ ୯ ହଜାର ଟଙ୍କା, ଇଲେକ୍ଟ୍ରାନିକ୍ସ ଓଜନ ମେସିନ୍, ୭ଟି ବିଭିନ୍ନ କମ୍ପାନିର ମୋବାଇଲ, ପ୍ୟାକିଂ ସାମଗ୍ରୀ, ଆଧାର କାର୍ଡ଼ ଓ ପ୍ୟାନ୍କାର୍ଡ଼ ପ୍ରଭୃତିକୁ ଅବକାରୀ ଟିମ୍ ଜବତ କରିଛି । ଜବତ ବ୍ରାଉନ୍ସୁଗରର ଆନୁମାନିକ ମୂଲ୍ୟ ୫୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବାଂଲାଦେଶ, ପଶ୍ଚିମବଙ୍ଗର ଖଡ଼ଗପୁର, କୋଲକାତା ପ୍ରଭୃତି ଅଞ୍ଚଳରୁ ଏଜେଣ୍ଟଙ୍କ ଜରିଆରେ ଏହି ବ୍ରାଉନ୍ସୁଗାର ବାଲେଶ୍ୱର ଆସୁଥିବା ବେଳେ ଏଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଚାଲାଣ କରାଯାଉଛି ବୋଲି ଅବକାରୀ ଅଧିକାରୀମାନେ ପ୍ରକାଶ କରିଛନ୍ତି ।
ବାଲେଶ୍ୱର ସହରରେ ବଢ଼ି ଚାଲିଥିବା ବ୍ରାଉନସୁଗାର କାରବାର ପ୍ରତି ଅବଲୋକନ କଲେ ଜଣାଯାଏ, ଗତ ୩ ବର୍ଷ ମଧ୍ୟରେ ଜିଲ୍ଲା ପୁଲିସ ଓ ଅବକାରୀ ବିଭାଗ ପ୍ରାୟ ୩୦ ଜଣଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ଏକ କେଜିରୁ ଅଧିକ ଅର୍ଥାତ କୋଟିଏରୁ ଊଦ୍ଧ୍ୱର୍ ଟଙ୍କାର ବ୍ରାଉନ୍ସୁଗାର ଜବତ ହୋଇଛି । ବିନା ପ୍ଲାନିଂରେ ଚଢ଼ାଉ ହେଉ ନଥିବାରୁ ସହରକୁ ନିଶା କାରବାରରୁ ମୁକ୍ତ ରଖିବା ଅସମ୍ଭବ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

ସେଆର କରନ୍ତୁ:



Powered by odothemes.com