Saina

ସାଇନା ଫାଇନାଲ୍ରେ, ଶ୍ରୀକାନ୍ତଙ୍କ ବିଦାୟ

21

ଡେନ୍ମାର୍କ ଓପନ୍ ବ୍ୟାଡ୍ମିଣ୍ଟନ
ଓଡେନ୍ସ (ଡେନ୍ମାର୍କ), ୨୦ା୧୦ (ଏଜେନ୍ସି): ଡେନ୍ମାର୍କ ଓପନ୍ରେ ଭାରତୀୟ ତାରକା ସାଇନା ନେହୱାଲ୍ଙ୍କ ଆଧିପତ୍ୟ ବଳବତ୍ତର ରହିଛି ଏବଂ ସେ ମହିଳା ଏକକ ଫାଇନାଲ୍ରେ ପ୍ରବେଶ କରିଛନ୍ତି । ଅନ୍ୟପଟେ ଦେଶର ଶୀର୍ଷ ମାନ୍ୟତାଧାରୀ ପୁରୁଷ ସଟ୍ଲର୍ କିଦାମ୍ବୀ ଶ୍ରୀକାନ୍ତ ସେମିଫାଇନାଲ୍ରେ ବିଶ୍ୱ ବିଜେତାଙ୍କ ଠାରୁ ପରାଜିତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି ।
ଅଲିମ୍ପିକ୍ ରୌପ୍ୟ ପଦକଧାରିଣୀ ସାଇନା ସେମିଫାଇନାଲ୍ ମୁକାବିଲାରେ ଇଣ୍ଡୋନେସିଆର ଗ୍ରେଗୋରିଆ ମାରିସ୍କା ତୁନ୍ଜୁଙ୍ଗ୍ଙ୍କୁ ୨୧-୧୧, ୨୧-୧୨ରେ ସହଜରେ ପରାସ୍ତ କରିଥିଲେ । ୨୦୧୨ ବିଜୟିନୀ ଦ୍ୱିତୀୟ ଥର ଟୁର୍ଣ୍ଣାମେଣ୍ଟର ମୁକୁଟ ପର୍ଯ୍ୟାୟରେ ପହଞ୍ଚିଛନ୍ତି, ଯେଉଁଠି ସେ ଚାଇନିଜ୍ ତାଇପେର ତାଇ ଜୁ ୟିଙ୍ଗ୍ଙ୍କୁ ଭେଟିବେ । ଏହି ତାଇପେ ଖେଳାଳିଙ୍କ ଠାରୁ ସାଇନା ଏସିଆଡ୍ ସେମିଫାଇନାଲ୍ରେ ହାରିଯାଇଥିଲେ ।
ବିଶ୍ୱର ୧୦ମ ଖେଳାଳି ପ୍ରଥମରୁ ଆକ୍ରମଣାତ୍ମକ ଶୈଳୀରେ ଖେଳିଥିଲେ ଏବଂ ପ୍ରଥମ ଗେମ୍ର ଆଦ୍ୟଭାଗରେ ୪-୧ରେ ଆଗରେ ଥିଲେ । ବିରତି ବେଳକୁ ସେ ଅଗ୍ରଣୀକୁ ୧୧-୫ରେ ପହଞ୍ଚାଇଥିଲେ । ସାଇନାଙ୍କ ଆଧିପତ୍ୟ ଲଢ଼େଇକୁ ଏକତରଫା କରିଦେଇଥିଲା ଯେତେବେଳେ ସେ ସ୍କୋର୍କୁ ୧୬-୬ ସ୍ଥିତିକୁ ଆଣିଥିଲେ । ଇଣ୍ଡୋନେସୀୟ ଖେଳାଳି ତିନି ଗେମ୍-ପଏଣ୍ଟ ବଞ୍ଚାଇଥିଲେ, ହେଲେ ୧୦ ପଏଣ୍ଟ ବ୍ୟବଧାନରେ ୧୧-୨୧ରେ ଗେମ୍ ହାରିଯାଇଥିଲେ । ଏହି ଗେମ୍ ମାତ୍ର ୧୩ ମିନିଟ୍ ଚାଲିଥିଲା ।
ସାଇନା ପ୍ରଥମ ତିନି ପଏଣ୍ଟ ଜିତିବା ସହ ଦ୍ୱିତୀୟ ଗେମ୍ ଆରମ୍ଭ ହୋଇଥିଲା । ଏହାସତ୍ତ୍ୱେ ବିଶ୍ୱର ୧୯ତମ ଖେଳାଳି ତୁନ୍ଜୁଙ୍ଗ୍ ସ୍କୋର୍କୁ ୭-୭ ସ୍ଥିତିକୁ ଆଣିବାରେ ସଫଳ ହୋଇଥିଲେ । କିନ୍ତୁ ସାଇନା ପୁନର୍ବାର ଅଗ୍ରଣୀ ଲାଭ କରି ବିରତି ବେଳକୁ ସ୍କୋର୍କୁ ୧୧-୮କୁ ଆଣିବାରେ ସଫଳ ହୋଇଥିଲେ । ବିରତି ପରେ ଭାରତୀୟଙ୍କ ଅଟକାଇବା ଇଣ୍ଡୋନେସୀୟଙ୍କ ପକ୍ଷେ ସମ୍ଭବ ହୋଇ ନ ଥିଲା । ସାଇନା ୧୮-୧୧ ଏବଂ ଏହାପରେ ୨୧-୧୨ ଅଗ୍ରଣୀ ନେଇ ଗେମ୍ ହାତେଇଥିଲେ ।
ଶନିବାର ପୁରୁଷ ଏକକର ଅନ୍ତିମ-୪ ମୁକାବିଲାରେ ପୂର୍ବତନ ଏକ ନମ୍ବର ଖେଳାଳି ଶ୍ରୀକାନ୍ତ ଜାପାନ୍ର କେଣ୍ଟୋ ମୋମୋତାଙ୍କ ଠାରୁ ୧୬-୨୧, ୧୨-୨୧ରେ ହାରିଯାଇଥିଲେ । ଜାପାନୀ ଖେଳାଳି ସ୍ପଷ୍ଟରୂପେ ଦିନର ଉତ୍ତମ ଖେଳାଳି ଥିଲେ ଏବଂ ଦୁଇଟିଯାକ ଗେମ୍କୁ ସହଜରେ ଜିତିଥିଲେ । ଶ୍ରୀକାନ୍ତଙ୍କ ଆହ୍ୱାନ ଦୁର୍ବଳ ଥିଲା । ବିଶେଷକରି ଦ୍ୱିତୀୟ ଗେମ୍ରେ ତାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ଉଭୟଙ୍କ ମଧ୍ୟରେ ଏହା ୧୨ତମ ଲଢ଼େଇ ଥିଲା । ଶନିବାରର ବିଜୟ ସହ ମୋମୋତା ୯-୩ ଜୟ-ପରାଜୟ ରେକର୍ଡ ସହ ତାଙ୍କ ଆଧିପତ୍ୟ କାଏମ୍ ରଖିଛନ୍ତି ।
ପ୍ରଥମ ଗେମ୍ର ଆଦ୍ୟଭାଗରେ ଶ୍ରୀକାନ୍ତ ୩-୫ରେ ପଛରେ ଥିଲେ, କିନ୍ତୁ ଏହାପରେ କ୍ରମାଗତ ୪ ପଏଣ୍ଟ ଜିତି ୭-୫ରେ ଆଗରେ ରହିଥିଲେ । ତେବେ ବିଶ୍ୱ ବିଜେତା ପ୍ରତ୍ୟାବର୍ତ୍ତନ କରି ମଧ୍ୟାନ୍ତର ସୁଦ୍ଧା ଏକ ପଏଣ୍ଟ ବ୍ୟବଧାନରେ ୧୧-୧୦ରେ ଅଗ୍ରଣୀ ଲାଭ କରିଥିଲେ । ବିରତି ପରେ ଜାପାନୀ ଅଗ୍ରଣୀକୁ ୧୫-୧୧ ଓ ଏହାପରେ ୨୦-୧୩କୁ ବୃଦ୍ଧି କରିଥିଲେ । ଶ୍ରୀକାନ୍ତ ୩ ଗେମ୍ ପଏଣ୍ଟ ବଞ୍ଚାଇ ମ୍ୟାଚ୍କୁ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରୟାସ କରିଥିଲେ ହେଁ ବ୍ୟବଧାନ ଅଧିକ ଥିବାରୁ ୧୬-୨୧ରେ ଗେମ୍ ହାରିଯାଇଥିଲେ ।
ଦ୍ୱିତୀୟ ଗେମ୍ରେ ଶ୍ରୀକାନ୍ତଙ୍କ ପାଇଁ ପରିସ୍ଥିତି ଆହୁରି ଜଟିଳ ହୋଇଯାଇଥିଲା । ମୋମୋତା ବିରତି ବେଳକୁ ୧୧-୭ରେ ଆଗରେ ଥିଲେ । ଭାରତୀୟଙ୍କୁ ପ୍ରତ୍ୟାବର୍ତ୍ତନ ପାଇଁ ବିଶେଷ ସୁଯୋଗ ମିଳି ନ ଥିଲା । ସ୍କୋର୍ବୋର୍ଡ ଜାପାନୀଙ୍କ ସପକ୍ଷରେ ୧୬-୧୦ରେ ପହଞ୍ଚିଥିଲା, ଯାହାଫଳରେ ବ୍ୟବଧାନ ହ୍ରାସ କରିବା ଶ୍ରୀକାନ୍ତଙ୍କ ପାଇଁ କଷ୍ଟସାଧ୍ୟ ହୋଇଯାଇଥିଲା । ଶେଷରେ ୨୧-୧୨ରେ ଗେମ୍ ଜିତି ମୋମୋତା ଫାଇନାଲ୍ରେ ପ୍ରବେଶ କରିଥିଲେ ।

ସେଆର କରନ୍ତୁ:



Powered by odothemes.com