Chief-Minister-Shri-Naveen-Patnaik-discussion-reviewing-on-relief-and-restoration-work-at-Secretariat

୧୬ ଜିଲ୍ଲାର ୫୭ ଲକ୍ଷ ପ୍ରଭାବିତ

107

‘ତିତଲୀ’, ବନ୍ୟାର କ୍ଷୟକ୍ଷତି ରିପୋର୍ଟ ପ୍ରଦାନ
ଭୁବନେଶ୍ୱର, ୧୫ା୧୦(ବୁ୍ୟରୋ): ଭୟଙ୍କର ବାତ୍ୟା ତିତ୍ଲୀ ପ୍ରଭାବରେ ୧୬ ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛି । ଗଜପତି ଜିଲ୍ଲାରେ ସର୍ବାଧିକ କ୍ଷତି ଆକଳନ କରାଯାଇଥିବା ବେଳେ ମୃତୁ୍ୟ ସଂଖ୍ୟା ମଧ୍ୟ ଅଧିକ ରହିଥିବା ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର କ୍ଷୟକ୍ଷତି ରିପୋର୍ଟରେ ଦର୍ଶାଇଛି । ସୋମବାର ବିଭିନ୍ନ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତି ଆକଳନ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । ଏଥିରେ ୧୧୪ ବ୍ଲକ୍ର ୭ ହଜାର ୪୦୨ ଗାଁ ଓ ୫୭ ଲକ୍ଷ ୮ହଜାର ୩୯୭ ଲୋକ ପ୍ରଭାବିତ ହୋଇଛନ୍ତି । ରାଜ୍ୟ ସକରାରଙ୍କ ପକ୍ଷରୁ ୩ ଲକ୍ଷ ୬୦ ହଜାର ୩୫୩ ଲୋକଙ୍କୁ ୧୬୧୪ଟି ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆଜି ୪୧ ଟି ଆଶ୍ରୟସ୍ଥଳୀକୁ ୮ହଜାର ୮୮୯ ବିପନ୍ନ ସ୍ଥାନାନ୍ତର ହୋଇଛନ୍ତି । ଏଥିସହ ୧୨ଟି ଜିଲ୍ଲାର ପ୍ରାୟ ୨ ଲକ୍ଷ ୩୪ ହଜାର ୨୦୭ ହେକ୍ଟର ଫସଲହାନି ହୋଇଛି । କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ ତିନି ହାଜର ଆର୍ଥିକ ସହାୟତା ପ୍ରଦାନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସୋମବାର ସଚିବାଳୟରେ ଅନୁଷ୍ଠିତ ବାତ୍ୟା ପରବର୍ତ୍ତୀ ପୁନଃନିର୍ମାଣ କାର୍ଯ୍ୟକ୍ରମର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ସମସ୍ତ କ୍ଷତିଗ୍ରସ୍ତ ପରିବାରଙ୍କୁ ନଗଦ ଏକ ହଜାର ଟଙ୍କା, ୫୦ କେଜି ଚାଉଳ ଓ ଅଢେଇ ଲିଟର କିରୋସିନ ତୁରନ୍ତ ଯୋଗାଇଦେବା ସହିତ ଅତିରିକ୍ତ ୨୦୦୦ ଟଙ୍କାର ଆର୍ଥିକ ସହାୟତା ଅନ୍ଲାଇନ ମାଧ୍ୟମରେ ସବୁ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବାକୁ ଲାଗି ନିଦେ୍ର୍ଦଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶକ୍ରମେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଗଜପତି ଜିଲ୍ଲା ପରିଦର୍ଶନ କରିଥିଲେ । ସେଠାରୁ ଫେରିବା ପରେ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକରେ ଗଜପତି ଜିଲ୍ଲାର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ । ବୈଠକରୁ ଜଣାଯାଇଛି ଯେ କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକରେ ପରିସ୍ଥିତି ଖୁବଶୀଘ୍ର ସ୍ୱାଭାବିକ ହେଉଛି । ସମସ୍ତଙ୍କୁ ପଲିଥିନ ଯୋଗାଇ ଦିଆଯାଉଛି । ମଙ୍ଗଳବାର ସୁଦ୍ଧା ସମସ୍ତ ପଲିଥିନ ଆବଣ୍ଟନ କରାଯିବ । ପାରଳାଖେମୁଣ୍ଡି ଓ କାଶିନଗରରେ ସୋମବାର ସନ୍ଧ୍ୟା ଭିତରେ ବିଦୁ୍ୟତ ସରବରାହ ପୁନଃ ସ୍ଥାପିତ ହେବ । ଅନ୍ୟାନ୍ୟ ବ୍ଲକ ମୁଖ୍ୟ କାର୍ଯ୍ୟାଳୟଗଡ଼ଡିକରେ ଆସନ୍ତାକାଲି ସୁଦ୍ଧା ପୁନଃ ସଂଯୋଗ ପାଇଁ ନିଦେ୍ର୍ଦଶ ଦିଆଯାଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ଯୋଗୁଁ ବାକି ସ୍ଥାନଗଡ଼ିକରେ ତିନିଦିନ ସମୟ ଲାଗିବ । ବତ୍ୟା ପରବର୍ତ୍ତୀ ବନ୍ୟାରେ ଧାନ ଓ ଅଣ ଧାନ ଫସଲ ଏବଂ ସଡ଼କ ଯୋଗାଯୋଗରେ ବ୍ୟାପକ କ୍ଷତି ହୋଇଛି । ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତାଗୁଡ଼ିକର ଯୋଗାଯୋଗ ପୁନଃସ୍ଥାପିତ କରାଯାଇଛି । ଗ୍ରାମ୍ୟ ଉନ୍ନୟନ ରାସ୍ତାଗୁଡିକର ମରାମତି ପାଇଁ ଆହୁରି ତିନିଦିନ ସମୟ ଲାଗିବ ଏବଂ ଏଥିରେ ସ୍ୱତନ୍ତ୍ର ପାଣ୍ଠି ଯୋଗାଇଦିଆଯିବ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉତ୍ତମ ସେବା ଯୋଗାଇ ଦିଆଯାଉଛି । ହସ୍ପିଟାଲ ଓ ମୋଲାଇଲ ହେଲଥ୍ ୟୁନିଟ୍ ଦ୍ୱାରା ମାଗଣାରେ ଚିକିତ୍ସା ଓ ଔଷଧ ବଣ୍ଟନ କରାଯାଉଛି । ବିଭିନ୍ନ ସଂକ୍ରାମକ ରୋଗ ସମ୍ପର୍କରେ ଡାକ୍ତରମାନେ ସର୍ତ୍ତକତା ମୂଳକ ପଦକ୍ଷେପ ନେବା ସହିତ ସଚେତନ କରାଯାଉଛନ୍ତି । ଗଞ୍ଜାମ ଓ ରାୟଗଡା ଜିଲ୍ଲାରେ ପରିସ୍ଥିତି ସ୍ୱଭାବିକ ହେଲାଣି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତଙ୍କୁ ସାହାର୍ଯ୍ୟ ଓ ପୁନଃରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ସ୍ୱନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଏବଂ ଅନ୍ୟ ସମ୍ପୃକ୍ତ ବିଭାଗୀୟ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ରର ପ୍ରାଥମିକ ଆକଳନ ଅନୁଯାୟୀ, ୧୧୪ ବ୍ଲକ୍ ପ୍ରାଭବିତ ହୋଇଛି । ଏଥିମଧ୍ୟରେ ଗଜପତିର ୭, ଗଞ୍ଜାମର ୨୨, ପୁରୀର ୧୧, କେନ୍ଦ୍ରାପଡ଼ାର ୯, କନ୍ଧମାଳର ୧୦, କଟକର ୧୧, ଢେଙ୍କାନଳର ୩, ଖୋର୍ଦ୍ଧାର ୯, ଜଗତସିଂହପୁରର ୧, ରାୟଗଡ଼ାର ୨, କେନ୍ଦୁଝରର ୨, ଯାଜପୁରର ୧, ନୟାଗଡ଼ର ୫, ବାଳେଶ୍ୱରର ୭, ମୟୂରଭଞ୍ଜର ୧୦ ଓ ଅନୁଗୁଳର ୪ ବ୍ଲକ୍ ପ୍ରଭାବିତ ହୋଇଛି । ୭ ହଜାର ୪୦୨ ଗ୍ରାମ ଓ ୫୭ ଲକ୍ଷ ୮ ହଜାର ୩୩୭ ଲୋକ ବାତ୍ୟା ଓ ବନ୍ୟା ବିଭିଷୀକାର ଶିକାର ହୋଇଛନ୍ତି । ସେହିପରି ୧୨ ଜିଲ୍ଲାର ୨୦ ହଜାର ୧୧୩ ଗୃହ କ୍ଷତିଗ୍ରସ୍ତ ହୋଇଥିବା ଅକଳନ ହୋଇଛି । ଯେଉଁଥିରେ ଗଜପତିର ୨୯୬୫, ଗଞ୍ଜାମର ୧୧ ୬୧୫, ପୁରୀର ୧୫୯୧, କନ୍ଧମାଳର ୭୯୩, କେନ୍ଦୁଝରର ୧୨, କଟକର ୯୩୨, ଢେଙ୍କାନାଳର ୨୩୪, ଖୋର୍ଦ୍ଧାର ୩୬୮, ବାଲେଶ୍ୱରର ୪୭୩, ମୟୂରଭଞ୍ଜର ୪୧୨, ନୟାଗଡ଼ର ୬୧୫ ଓ ଅନୁଗୁଳର ୧୦୩ ଘର କ୍ଷତିଗ୍ରସ୍ତ ହୋଇଛି । ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତ ଅଧିନ ବାରଗଡ଼ ଗାଁରେ ବାତ୍ୟା ପ୍ରଭାବରେ ଭୀଷଣ ବର୍ଷାରେ ବହୁ ମୁତାହତ ହୋଇଛନ୍ତି । ଗରବନ୍ଧ ଥାନା ଠାରୁ ୪୦ କିମି ଦୂରରେ ଅବସ୍ଥିତ ଏହି ଗ୍ରାମରେ ୭୪ ପରିବାରର ୩୭୪ ଜଣ ବ୍ୟକ୍ତି ବସବାସ କରୁଥିଲେ । ମହେନ୍ଦ୍ରଗିରି ପର୍ବତ ଉପରେ ଏହି ଅଦିବାସୀ ଅଧ୍ୟୁଷିତ ଗ୍ରାମଟି ରହିଛି । ଏହି ଗ୍ରାମକୁ ୭ କିମି ଚାଲି ଚାଲି ଯିବାକୁ ପଡ଼ିଥାଏ । ଗତ ୯ ତାରିଖରେ ରାଇଗଡ଼ ବ୍ଲକ୍ ଅଧ୍ୟକ୍ଷଙ୍କ ସମେତ ଜିଲ୍ଲା ପ୍ରଶାସନଙ୍କ ଦ୍ୱାରା ନିଯୁକ୍ତ ଆରଡବ୍ଲୁ୍ୟଏସ୍ଏସ୍ ନିର୍ବାହୀ ଯନ୍ତ୍ରୀ ଉକ୍ତ ଗ୍ରାମକୁ ଯାଇ ଲୋକଙ୍କୁ ବାତ୍ୟା ସମ୍ପର୍କରେ ସତର୍କତା କରିବା ସହ ସୁରକ୍ଷିତ ସ୍ଥାନକୁ ଅସିବା ଲାଗି ଅନୁରୋଧ କରିଥିଲେ । ସେଠାରୁ ୬୧ ପରିବାରଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିବା ବେଳେ ୧୩ ପରିବାର ସେମାନଙ୍କ ବାସଗୃହ ଛାଡ଼ି ଆସିବାକୁ ଅମଙ୍ଗ ହୋଇଥିଲେ । ଗତ ୧୧ ତାରିଖ ମଧ୍ୟାହ୍ନ ୧ଟାରେ ବିରାଟ ଧରଣର ଭୁସ୍ଖଳନ ହେବା ଯୋଗୁ ୧୩ ପରିବାରର ୧୮ ଜଣ ସଦସ୍ୟ ପ୍ରାଣ ହରାଇଥିଲେ । ୧୩ ତାରିଖରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଶବଗୁଡ଼ିକର ବ୍ୟବଚ୍ଛେଦ କରାଇଥିଲେ । ଏଥି ସହିତ ପ୍ରାଣୀ ଓ ପଶୁ ସେବା ନିଦେ୍ର୍ଦଶାଳୟର ରିପୋର୍ଟ ଅନୁସାରେ ୭ ଲକ୍ଷ ୩୮ ହଜାର ୯୪୨ ପ୍ରାଣୀଧନ ପ୍ରଭାବିତ ହୋଇଥିବା ବେଳେ ପୁରୀ, ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, ଖୋର୍ଦ୍ଦା ଏବଂ କଟକ ଜିଲ୍ଳାରେ ୩୧ ହଜାର ୩୭୨ଙ୍କ ମୃତୁ୍ୟ ଘଟିଛି । ସେହିପରି ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଅନୁଯାୟୀ, ୩୦୦ ବୋଟ, ୪୯୩ ଜାଲ, ୬୦୭ ମତ୍ସ୍ୟ ପୋଖରି, ୬୯ ଘରୋଇ ମାଛ ଖାଦ୍ୟ କ୍ଷତି ହୋଇଛି । ବାତ୍ୟା ଓ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଏହି ଜିଲ୍ଲାମାନଙ୍କରେ ବିପନ୍ନଙ୍କୁ ଉଦ୍ଧାର, ରିଲିଫ୍ ବଣ୍ଟନ, ସ୍ୱାସ୍ଥ୍ୟ ସେବା ପ୍ରଦାନ, ରାନ୍ଧା ଖାଦ୍ୟ ଯୋଗାଇଦିଆଯାଉଛି ବୋଲି ସୂଚନା ଦିଆଯାଇଛି ।

ସେଆର କରନ୍ତୁ:



Powered by odothemes.com