UTKALMANI-SABHAKAKSHYA--sitaram-yuchury-press-meet-(4)

ଚାଷୀ-ଗରିବ ବିରୋଧୀ ବିଜେପି, କଂଗ୍ରେସ

45

ମେଣ୍ଟ ହେବନି: ସମଦୂରତ୍ୱ ବଜାୟ ରଖିବ ସିପିଆଇଏମ୍
ଭୁବନେଶ୍ୱର, ୧୫ା୧୦(ବୁ୍ୟରୋ) : ପୁଞ୍ଜିପତି ଏବଂ କର୍ପୋରେଟ୍ଙ୍କୁ ସୁହାଇଲା ଭଳି ବିଜେପି ଓ କଂଗ୍ରେସ ସରକାର । ଫଳରେ ସାଧାରଣ ଲୋକଙ୍କ ବିକାଶ ହୋଇପାରୁନି । ଏହି ସରକାର ଚାଷୀ ଓ ଗରିବ ବିରୋଧୀ । ଏନେଇ ଜନସଚେତନତା ସୃଷ୍ଟି କରାଯିବ ବୋଲି ସିପିଆଇଏମ୍ ମହାସଚିବ ସୀତାରାମ ୟେଚୁରୀ କହିଛନ୍ତି । ଏଥିସହ ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ସିପିଆଇଏମ୍ ଦେଶ ତଥା ରାଜ୍ୟ ସରକାରଙ୍କ ବିରୋଧରେ ଲଢ଼ିବ । ବିଜେପି, କଂଗ୍ରେସ କିମ୍ବା ଓଡ଼ିଶାରେ କ୍ଷମତାସୀନ ବିଜେଡି ସହ ମେଣ୍ଟ ହେବନି । ସିପିଆଇଏମ୍ ସେମାନଙ୍କ ଠାରୁ ସମଦ୍ୱରତ୍ୱ ବଜାୟ ରଖିବ । ଛୋଟଛୋଟ ଆଞ୍ଚଳିକ ଦଳ ସହ ବିଚାରବିମର୍ଶ କରାଯିବ । ବାମପନ୍ଥୀ ଓ ଧର୍ମନିରପେକ୍ଷ ଦଳ ସହ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ ମେଣ୍ଟ ହେବ ବୋଲି ଶ୍ରୀ ୟେଚୁରୀ ସ୍ପଷ୍ଟ କରିଛନ୍ତି ।
ସୋମବାର ଓଡ଼ିଶା ଗସ୍ତରେ ଥିବା ଶ୍ରୀ ୟେଚୁରୀ କହିଥିଲେ, ଜାତୀୟ ରାଜନୈତିକ ଦୃଶ୍ୟପଟ୍ଟକୁ ଦେଖିଲେ ଆସନ୍ତା ସାଧାରଣ ନିର୍ବାଚନରେ ସିପିଆଇଏମ୍ ବିଜେପି ବିରୋଧରେ ଦେଶବ୍ୟାପୀ ସଂଗ୍ରାମ ଜାରି ରଖିବ । ସେହିଭଳି ରାଜ୍ୟରେ କ୍ଷମତାସୀନ ବିଜେଡି ସରକାର ବିଜେପିକୁ ବିଭିନ୍ନ ସମୟରେ ସମର୍ଥନ ଜଣାଇ ଆସୁଛି । ବିଜେପି-ବିଜେଡି ମଧ୍ୟରେ ଲୁକ୍କାୟିତ ବୁଝାମଣା ରହିଛି । ତେଣୁ ବିଜେଡିକୁ ସମର୍ଥନ କରିବା ଅର୍ଥ ବିଜେପିକୁ ଅଧିକ ଶକ୍ତିଶାଳୀ କରିବା ସଦୃଶ । ତେଣୁ ରାଜ୍ୟରେ ମଧ୍ୟ ସିପିଆଇଏମ ସମାନ ଆଭିମୁଖ୍ୟ ଆପଣାଇବ । ରାଜ୍ୟରେ ବିଜେଡି ସରକାର ବିରୋଧରେ ସଂଗ୍ରାମ କରାଯିବ ବୋଲି ଶ୍ରୀ ୟେଚୁରୀ କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ସାଧାରଣ ନିର୍ବାଚନରେ ଦଳ ରାଜ୍ୟରେ କେବଳ ଗୋଟିଏ ଆସନରେ ପ୍ରାର୍ଥୀ ଦେବ । ଭୁବନେଶ୍ୱର ଲୋକସଭା ଆସନରେ ଲଢିବା ପାଇଁ ଦଳ ଲକ୍ଷ୍ୟ ରଖିଛି ବୋଲି ସେ ସ୍ପଷ୍ଟ କରିଛନ୍ତି । ସେହିଭଳି ଆସନ୍ତା ନିର୍ବାଚନରେ କଂଗ୍ରେସ ସହ କୌଣସି ମେଣ୍ଟ ବା ଫ୍ରଣ୍ଟ୍ ହେବାର ସମ୍ଭାବନା ନାହିଁ ବୋଲି ସେ କହିଥିଲେ । ସେହିଭଳି ରାଜ୍ୟରେ ତିତ୍ଲୀ ବାତ୍ୟା ଓ ପରବର୍ତ୍ତୀ ବନ୍ୟା ମୁକାବିଲା କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ସେ କହିଥିଲେ । ଏଥିରେ ପ୍ରାୟ ୪୦ ଲୋକଙ୍କ ମୃତୁ୍ୟ ଘଟିଥିବା ବେଳେ ୫୦ ହଜାର ଘର ନଷ୍ଟ ହୋଇଛି ଏବଂ ସାଢେ ତିନି ଲକ୍ଷ ହେକ୍ଟର ଚାଷ ଜମି ଉଜୁଡ଼ି ଯାଇଛି । ତେଣୁ ରାଜ୍ୟ ସରକାର ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଶ୍ରୀ ୟେଚୁରୀ ଦାବି କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com