5-----------gajapati-zilla-re-pramukha-sasan-sachibanka-samikhya-(2)1

ସବୁ ପଞ୍ଚାୟତ ମୁଖ୍ୟାଳୟରେ ରିଲିଫ୍

50

ମୁଖ୍ୟ ଶାସନ ସଚିବଙ୍କ ଗଜପତି ବନ୍ୟାଞ୍ଚଳ ପରିଦର୍ଶନ
ପାରଳାଖେମୁଣ୍ଡି (ଉମା ମହେଶ୍ୱରୀ ପଟ୍ଟନାୟକ): ପ୍ରଳୟଙ୍କରୀ ଝଡ଼ ତିତ୍ଲୀ ଗଜପତି ଜିଲ୍ଲାକୁ ଦୁଃଖ ଦେଇ ଚାଲିଯାଇଛି । ତିତ୍ଲୀ ପ୍ରଭାବରେ ଲଗାଣ ବର୍ଷା ଗଜପତି ଜିଲ୍ଲାବାସୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ଜିଲ୍ଲାର ୭ଟି ବ୍ଲକ୍ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ରାୟଗଡ଼ା ଓ ଗୁମ୍ମା ବ୍ଲକରେ ଏହାର ବିଶେଷ ପ୍ରଭାବ ପଡ଼ିଛି । ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଏଯାଏଁ ରିଲିଫ ପହଞ୍ଚିନଥିବାରୁ ପ୍ରଶାସନ ଓ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି । ମୁଖ୍ୟମନ୍ତ୍ରୀ ଶନିବାର ଆକାଶମାର୍ଗରୁ ବନ୍ୟାଞ୍ଚଳ ବୁଲି ଦେଖିବା ପରେ ଦୁଃଖ ପ୍ରକାଶ କରିବା ସହ ତୁରନ୍ତ ଗଜପତି ଜିଲ୍ଲାକୁ ଗମନାଗମନ, ପାନୀୟ ଜଳ, ବିଦୁ୍ୟତ୍ ସେବା ଓ ରିଲିଫ ସାମଗ୍ରୀ ପହଞ୍ଚାଇବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଲଗାତାର ୩ଦିନ ଧରି ଗଜପତି ଜିଲ୍ଲାକୁ ଶୁଖିଲା ଖାଦ୍ୟ ପଠାଯାଇଛି ।
ସୋମବାର ସକାଳେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ହେଲିକପ୍ଟର ଯୋଗେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ପହଞ୍ଚିଥିଲେ । ତାଙ୍କ ସହ ପଞ୍ଚାୟତିରାଜର ପ୍ରମୁଖ ଶାସନ ସଚିବ ଡି.କେ. ସିଂ, ପଶ୍ଚିମାଞ୍ଚଳ ରାଜସ୍ୱ କମିଶନର ଡିଭି ସ୍ୱାମୀ, ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି. ଆଓ, ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ କୁମାର ସିଂ, ଏସ୍ପି ଅମୂଲ୍ୟ ଦାଶ ପ୍ରମୁଖ ଗସ୍ତକରି ବନ୍ୟା କ୍ଷୟକ୍ଷତି ଅଞ୍ଚଳ ବୁଲି ଦେଖିଥିଲେ । ପରେ ଗଜପତି ଜିଲ୍ଲାପାଳ ଅନୁପ ସାହାଙ୍କ ପ୍ରକୋଷ୍ଠରେ ଏକ ସମୀକ୍ଷା ବୈଠକ କରିଥିଲେ । କାଶୀନଗର ଏନ୍ଏସି ଓ ପାରଳାଖେମୁଣ୍ଡି ମୁ୍ୟନିସିପାଲ୍ଟିରେ ସୋମବାର ସନ୍ଧ୍ୟା ସୁଦ୍ଧା ପାନୀୟ ଜଳ ଓ ବିଦୁ୍ୟତ୍ ସେବା ଯୋଗାଇବା ପାଇଁ ନିଦେ୍ର୍ଦଶ ଦେଇଥିବା ବେଳେ ମଙ୍ଗଳବାର ସୁଦ୍ଧା ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତର ମୁଖ୍ୟାଳୟରେ ରିଲିଫ ସାମଗ୍ରୀ ପହଞ୍ଚାଇବା ଦିଗରେ ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦେଇଥିଲେ । ଏଥିସହ ରାଜ୍ୟର ୧୫ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ଗଜପତି ଜିଲ୍ଲାକୁ ବନ୍ୟା ଓ କ୍ଷୟକ୍ଷତି ଅଞ୍ଚଳ ଅନୁଧ୍ୟାନ କରି ଯେପରି ସମସ୍ତଙ୍କ ନିକଟରେ ରିଲିଫ ସାମଗ୍ରୀ ଓ ସରକାରୀ ସାହାଯ୍ୟ ପହଞ୍ଚିବ ସେ ଦିଗରେ ଅନୁଧ୍ୟାନ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ରାୟଗଡ ବ୍ଲକ୍ର ଗଙ୍ଗାବାଡ ପଞ୍ଚାୟତ ତିତ୍ଲୀ ପ୍ରଭାବରେ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ବେଳେ ୧୮ଜଣ ମୃତୁ୍ୟବରଣ କରିଥିଲେ । ମିଳିଥିବା ରିପୋର୍ଟ ଅନୁସାରେ ଗଜପତି ଜିଲ୍ଲାରେ ତିତ୍ଲୀ ମହାବାତ୍ୟା ଓ ପ୍ରଳୟଙ୍କରୀ ବନ୍ୟାରେ ୪୨ଜଣ ମୃତକଙ୍କ ମଧ୍ୟରୁ ୨୯ଜଣଙ୍କ ଶବ ଚିହ୍ନଟ ହୋଇଛି । ବର୍ତ୍ତମାନ ସୁଦ୍ଧା ଅନ୍ୟ ୧୩ଜଣ ନିଖୋଜ ଥିବା ଜଣାପଡ଼ିଛି । ପ୍ରଶାସନିକ ସ୍ତରରୁ କେବଳ ୧୫ଜଣ ମୃତକଙ୍କ ଶବ ବ୍ୟବଚ୍ଛେଦ କରି ଘଟଣାସ୍ଥଳରେ ହିଁ ଶବ ସଂସ୍କାର କରାଯାଇଛି । ସେହିଭଳି ରାୟଗଡ ବ୍ଲକ୍ର କଇଁପୁର ପଞ୍ଚାୟତର ୧୭ଜଣ ନିଖୋଜ ଥିଲେ । ସୋମବାର ଜିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡି ଠାରୁ ୬ଟି ବ୍ଲକ୍କୁ ଗମନାଗମନ ସମ୍ଭବ ହୋଇପାରିଛି । ୩ଦିନ ଅହୋରାତ୍ର ପ୍ରଶାସନିକ ଚେଷ୍ଟାରେ ଗମନାଗମନ ହୋଇଥିବା ଜଣାପଡ଼ିଛି । ସୋମବାର ବ୍ରହ୍ମପୁର ସାଉଥ୍କୋ ଡିଭିଜନ୍ ମୁଖ୍ୟାଳୟରୁ ବରିଷ୍ଠ ଅଧିକାରୀମାନେ ଗଜପତି ଗସ୍ତ କରି କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡ଼ିଛି । ପ୍ରଳୟଙ୍କରୀ ବନ୍ୟାରେ ଗଜପତି ଜିଲ୍ଲାର ୭ଟି ବ୍ଲକ୍ ମଧ୍ୟରୁ ମୋହନ, ଆର୍. ଉଦୟଗିରି, ନୂଆଗଡ, ରାୟଗଡ, ଗୋଷାଣୀ, ଗୁମ୍ମା ଓ କାଶୀନଗରର ୧୬୩୬ଟି ଗାଁ କ୍ଷତିଗ୍ରସ୍ତ ହୋଇଛି । ୫,୭୮୧୭ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଥିବାବେଳେ ୩୯.୧୨୩ ଲକ୍ଷ ହେକ୍ଟର ଫସଲ ପ୍ରଭାବିତ ହୋଇଛି । ପ୍ରାୟ ୪୬୭୫.୨୫ଲକ୍ଷ ଟଙ୍କାର ଫସଲ କ୍ଷତି ହୋଇଥିବା ଅନୁମାନ କରାଯାଉଛି । ୭ଟି ବ୍ଲକ୍ରେ ୩,୪୨,୭୮ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ ସେଥିମଧ୍ୟରୁ ୧୨୧୨ ପକ୍କାଘର ଓ ୧୦,୦୩୦ଟି କଚା ଘର ରହିଛି । ଜିଲ୍ଲାରେ ପ୍ରଶାସନିକ ସ୍ତରରୁ ମିଳିଥିବା ମୃତକଙ୍କ ସଂଖ୍ୟା ୧୫ ଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି । ସେହିଭଳି ୧୯୧୨ ଗୃହପାଳିତ ପଶୁ ମୃତୁ୍ୟବରଣ କରିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସେଆର କରନ୍ତୁ:



Powered by odothemes.com