3

ଦୁର୍ଘଟଣାରେ ଦାଦା ମୃତ,୨ ଘଣ୍ଟା ରାସ୍ତାରୋକ

34

ପୁତୁରାକୁ ଦଶହରା ଦେଖାଇବା ଅଧାରେ ରହିଲା
ଢେଙ୍କାନାଳ,୧୫ା୧୦(ଆପ୍ର): ସଦରଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥର ପଞ୍ଚୁପଟି ଦିପକ ଧର୍ମକଣ୍ଟା ନିକଟରେ ଦୁର୍ଘଟଣାରେ ଜଣେ ଯୁବକର ମୃତୁ୍ୟ ଘଟିଛି । ଦୁର୍ଘଟଣାକୁ ନେଇ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ୨ ଘଣ୍ଟା ରାସ୍ତାରୋକ କରିଥିବା ବେଳେ ତୁରନ୍ତ ରାସ୍ତା ମରାମତି କରିବାକୁ ଦାବି ହୋଇଛି । ସୂଚନାଯୋଗ୍ୟ ଗଦାଶିଳାର ପଞ୍ଚାନନ ଦାସଙ୍କ ପୁଅ ରଣଜିତ୍ ଦାସ ଓରଫ୍ ରଣ(୪୫) ସୋମବାର ପୂର୍ବାହ୍ନରେ ବାଇକ୍ ନଂ (ଓଡି-୦୬-୧୦୭୬) ଯୋଗେ ନିଜ ଗ୍ରାମରୁ ଭାପୁର ଫାଣ୍ଡି ଅନ୍ତର୍ଗତ ଝୁମ୍ପୁଡ଼ିଆ ଗ୍ରାମରେ ରହୁଥିବା ତାଙ୍କ ଭାଇଘରକୁ ଯାଉଥିଲେ । ସେଠାରୁ ତାଙ୍କ ପୁତୁରାକୁ ଦଶହରା ଉପଲକ୍ଷେ ନିଜ ଘରକୁ ଦଶହରା ବୁଲାଇବା ପାଇଁ ନେଉଥିବା ବେଳେ ୫୫ନଂ ଜାତୀୟ ରାଜପଥର ପଞ୍ଚୁପଟି ଦିପକ ଧର୍ମକଣ୍ଟା ନିକଟରେ ଏକ ଟ୍ରକ୍ ଧକ୍କା ଦେବାରୁ ସେ ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରାସ୍ତା ଖରାପ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଦୁର୍ଘଟଣାରେ ଯୁବକଙ୍କ ମୃତୁ୍ୟକୁ ନେଇ ସ୍ଥାନୀୟ ଲୋକ ୨ ଘଣ୍ଟା ଧରି ରାସ୍ତାରୋକ କରିଥିଲେ । ଖବରପାଇ ତହସିଲ୍ଦାର ଓ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ । ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ଏହାକୁ ତୁରନ୍ତ ମରାମତି କରିବାକୁ ମଧ୍ୟ ଦାବି କରାଯାଇଥିଲା । ଦୁଇ ଦିନ ମଧ୍ୟରେ ରାସ୍ତା ମରାମତି କରାନଗଲେ ପୁନଶ୍ଚ ରାସ୍ତାରୋକ କରାଯିବ ବୋଲି ଗଦାଶିଳା ସରପଞ୍ଚ ଲୀନା ସେଠୀ ଓ ସିମିନଈ ସରପଞ୍ଚ ବିନୋଦିନୀ ନାୟକ ଓ ଦୁଇ ସମିତି ସଭ୍ୟଙ୍କ ସହିତ ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com