9-----------berhampur-bibhina-puja-mandap-re-puja-pauchanti-maa-bijupur-pariba-market--(2)

ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି ମା’

33

ବନ୍ୟା ପରେ ଝଲସୁଛି ବ୍ରହ୍ମପୁର
ବ୍ରହ୍ମପୁର(ବୁ୍ୟରୋ): ଦଶହରା ଦୁର୍ଗାପୂଜାକୁ ନେଇ ଗଞ୍ଜାମବାସୀ ଆନନ୍ଦ ଉଲ୍ଲାସରେ ପ୍ରସ୍ତୁତି ଚଳାଇଥିବା ବେଳେ ତିତ୍ଲୀ ବାତ୍ୟା ଏବଂ ଏହା ପରବର୍ତ୍ତୀ ବନ୍ୟା ଗଞ୍ଜାମ ଜିଲ୍ଲାରେ ବିଶେଷ କ୍ଷୟକ୍ଷତି ଘଟାଇଛି । ବ୍ରହ୍ମପୁର ସହରରେ ବାତ୍ୟା ପ୍ରଭାବରେ ବହୁ ସ୍ଥାନରେ ପାଣି ଜମି ରହିବା, ଗଛପତ୍ର ଭାଙ୍ଗିବା ସହ ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା ପାଇଁ ତିଆରି ହୋଇଥିବା ତୋରଣ ଭାଙ୍ଗିରୁଜିଯାଇଥିଲା । ଯାହା ଫଳରେ ଲୋକେ ଏସବୁ ସଜାଡ଼ିବାରେ ବ୍ୟସ୍ତ ଥିଲେ ଏବଂ ପୂଜା ମାହୋଲ୍ ଫିକା ପଡ଼ିଥିଲା । ବର୍ତ୍ତମାନ ପରିସ୍ଥିତି ସାମାନ୍ୟ ସ୍ୱାଭାବିକ ହୋଇଛି ।
ପୂଜା କମିଟିଗୁଡ଼ିକ ପକ୍ଷରୁ ପୁଣିଥରେ ଯୁଦ୍ଧକାଳୀନ ଭିତ୍ତିରେ ତୋରଣ କରାଯିବା ସହ ସମସ୍ତଙ୍କ ମଙ୍ଗଳ କାମନା କରି ମା’ ଜଗତଜନନୀ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଛି । ରବିବାର ବ୍ରହ୍ମପୁର ସହରର ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ଷଷ୍ଠୀ ପୂଜା ଆରମ୍ଭ ହୋଇଥିବାବେଳେ ସୋମବାର ସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ବ୍ରହ୍ମପୁର ସହରରେ କୋର୍ଟପେଟା, ଖୋଡ଼ାସିଙ୍ଗି, ସେଲସ୍ଟ୍ୟାକ୍ସ ଛକ, ଇଞ୍ଜିନିୟରିଂ ସ୍କୁଲ ଛକ, କମାପଲ୍ଲୀ ଛକ, ଟାଟାବେଞ୍ଚ ଛକ, ବିଜିପୁର ଛକ, ସୁବାରାଓ ଛକ, ପୁରୁଣାବସ୍ଷ୍ଟାଣ୍ଡ, ହନୁମାନ ବଜାର, ନୂଆବସଷ୍ଟାଣ୍ଡ ଆଦି ସ୍ଥାନରେ ପୂଜା ଅନୁଷ୍ଠିତ ହେଉଛି । ମା’ଙ୍କ ଶୋଡ଼ଷ ଉପଚାର ପୂଜା, ଚଣ୍ଡୀପାଠ, ହୋମ, ଘୃତଯଜ୍ଞ ଆଦି ଅନୁଷ୍ଠିତ ହେଉଛି । ପୂଜା ଦେଖିବା ପାଇଁ ପ୍ରବଳ ଭିଡ଼ ଜମୁଛି । ବିଶେଷକରି ସନ୍ଧ୍ୟାରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି । ସେହିଭଳି କିଛି ପୂଜା ମଣ୍ଡପରେ ୩ ଦିନିଆ ପୂଜା ଅନୁଷ୍ଠିତ ହେଉଛି । ଚଳିତବର୍ଷ ସହରରେ କୋର୍ଟପେଟା ଛକ ସ୍ଥିତ ପୂଜା ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି । କାରଣ ଏହି ମେଢ଼ ଚଳିତ ବର୍ଷ ୪୪ ବର୍ଷରେ ପଦାର୍ପଣ କରିଛି । ଏଠାରେ ମା’ଙ୍କ ନବରାତ୍ରି ପୂଜା ଅନୁଷ୍ଠିତ ହେଉଥିବା ବେଳେ ଚଳିତବର୍ଷ ଏଠାରେ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ମା’ଙ୍କ ମୂର୍ତ୍ତି ନିର୍ମାଣ ହୋଇଛି । ସେହିଭଳି ୧୫ ଫୁଟ ଉଚ୍ଚତା ଏବଂ ୧୫ ଫୁଟ ଚଉଡ଼ାର ତୋରଣ ନିର୍ମାଣ କରାଯାଇଛି । ପୂଜା ଶାନ୍ତିଶୃଙ୍ଖଳାରେ ପାଳନ ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ସେଆର କରନ୍ତୁ:



Powered by odothemes.com