chikiti-bahuda-nadire-banya-jala

ତିତ୍ଲୀ ଦୁର୍ବଳ

33

ବନ୍ୟା ଆଶଙ୍କା: ବଢୁଛି ଋଷିକୂଲ୍ୟା, ବଡ଼ନଦୀ, ଜଳକା
ଭୁବନେଶ୍ୱର/ବ୍ରହ୍ମପୁର, ୧୧ା୧୦ (ବୁ୍ୟରୋ): ଓଡ଼ିଶାରେ ବଡ଼ ଧରଣର ବାତ୍ୟା ଆଶଙ୍କା ଟଳିଯାଇଛି । ଅତି ଭୟଙ୍କର ରୂପ ନେଇ ପ୍ରଖର ବେଗରେ ସ୍ଥଳଭାଗକୁ ମାଡ଼ିଆସୁଥିବା ବାତ୍ୟା ‘ତିତ୍ଲୀ’ ଶେଷରେ ଗତିପଥ ବଦଳାଇ ଆନ୍ଧ୍ରପ୍ରଦେଶର ପଲାସାରେ ସ୍ଥଳଭାଗ ଛୁଇଁଥିଲା । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶର ୮ ଜଣଙ୍କ ମୃତୁ୍ୟ ହୋଇଥିବା ସୂଚନା ମିଳିଥିବାବେଳେ ବିଶେଷକରି ଓଡିଶାର ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଏହା ତାଣ୍ଡବ ରଚାଇଥିଲା । ତେବେ ଏହି ଜିଲ୍ଲାରେ କେହି ମୃତାହତ ହୋଇନାହାନ୍ତି । ଗୋପାଳପୁର ସ୍ଥଳଭାଗରେ ଏହି ବାତ୍ୟା ଛୁଇଁବା ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୨୬ କିମି ରହିଥିଲା । ତେବେ ବାତ୍ୟା ଭୟ ଏବେ ଟଳିଯାଇଛି । ଅତି ଭୟଙ୍କର ବାତ୍ୟା (ଭେରି ସିଭୟର ସାଇକ୍ଲୋନ) ଧୀରେ ଧୀରେ ଦୁର୍ବଳ ହେବା ସହ ପଶ୍ଚିମବଙ୍ଗ ମୁହାଁଇଛି । ଏହାର ପ୍ରଭାବରେ ଆସନ୍ତାକାଲି ଉତ୍ତର-ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ମୋହନାରେ ସର୍ବାଧିକ ୩୧୫ ମି.ମି. ବର୍ଷା ହୋଇଥିବାବେଳେ ଆର୍ ଉଦୟଗିରିରେ ୨୨୫ ମି.ମି., ସୋରଡାରେ ୨୧୩ ମି.ମି., ଜଗତସିଂହପୁର ଏରସମାରେ ୨୧୦ ମି.ମି., ଆସିକାରେ ୧୬୯ ମି.ମି. ବର୍ଷା ହୋଇଛି ।
ଉପରମୁଣ୍ଡରେ ବର୍ଷା ଯୋଗୁଁ ଋଷିକୂଲ୍ୟା ଓ ବଡନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଜଳପତ୍ତନ ବୃଦ୍ଧି ଫଳରେ କାଳଷଣ୍ଢପୁରରୁ ଦାମୋଦରପଲ୍ଲୀକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଭଞ୍ଜନଗର, ଆସିକା, ସୋରଡା ଅଞ୍ଚଳ ହଜାର ହଜାର ଲୋକ ଋଷିକୂଲ୍ୟା ବନ୍ୟାଜଳରେ ଜଳବନ୍ଦୀ ହୋଇଛନ୍ତି । ଋଷିକୂଲ୍ୟାର ବନ୍ୟାଜଳ ମଧ୍ୟ ଭଞ୍ଜନଗରର ୧୦ରୁ ଅଧିକ ପଞ୍ଚାୟତରେ ପ୍ରବେଶ କରିଛି । ବ୍ରହ୍ମପୁର-ଭଞ୍ଜାନଗର,ସୋରଡା-ଭଞ୍ଜନଗର, ଦଶପଲ୍ଲା-ଭଞ୍ଜନଗରକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଏପଟେ ସେରଗଡ ଚଷାମହୁଲି ଗ୍ରାମକୁ ବନ୍ୟା ଜଳ ପ୍ରବେଶ କରିଛି । ବାଲେଶ୍ୱର ଜଳକା ନଦୀର ଜଳସ୍ତର ବଢୁଥିବାରୁ ବସ୍ତା ଅଞ୍ଚଳରେ ଏହା ବିପଦସଙ୍କେତ ଟପିଛି । ଗ୍ରାମ ମଧ୍ୟରେ ପାଣିର ପ୍ରବଳ ସ୍ରୋତ ବହୁଛି । ‘ତିତ୍ଲୀ’ ପ୍ରଭାବରେ କୋଣାର୍କ-ରାମଚଣ୍ଡୀ ରାସ୍ତାକୁ ସମୁଦ୍ର ପାଣି ମାଡିଆସିଛି । ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ ବୋଲି ଜଳସମ୍ପଦ ସଚିବ ପ୍ରଦୀପ ଜେନା କହିଛନ୍ତି ।
‘ତିତ୍ଲୀ’ ପ୍ରଳୟରେ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଓ ଶ୍ରୀକାକୁଲମ ଜିଲ୍ଲାରେ ୮ ଜଣଙ୍କର ମୃତୁ୍ୟ ଘଟିଛି । ଏହାଛଡ଼ା ଏହି ଦୁଇ ଜିଲ୍ଲାରେ ପ୍ରବଳ କ୍ଷୟକ୍ଷତି ହୋଇଛି । ରାସ୍ତାରେ ଗଛଗୁଡ଼ିକ ଭାଙ୍ଗି ପଡ଼ିବା ଯୋଗୁ ଯାତାୟତ ପ୍ରଭାବିତ ହେବା ସହିତ ବିଦୁ୍ୟତ୍ ସରବରାହ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ଏପରିକି ଆନ୍ଧ୍ରର କିଛି ଷ୍ଟେସନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ରେଳ ଟ୍ରାକ୍ରେ ଗଛ ଭାଙ୍ଗି ପଡ଼ିଥିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରପ୍ତ ହୋଇଥିବା ଜଣାପଡ଼ିଛି । ବାତ୍ୟାରେ କ୍ଷୟକ୍ଷତିକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଃଖ ପ୍ରକାଶ କରିଛନ୍ତି । ବାତ୍ୟାରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ପ୍ରଭାବିତ ପରିବାର ବିଶେଷକରି ପିଲାମାନଙ୍କ ପ୍ରତି ସମ୍ବେଦନା ଜ୍ଞାପନ କରିଛନ୍ତି ରାଷ୍ଟ୍ରପତି ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅତି ଭୟଙ୍କର ବାତ୍ୟା (ଭେରି ସିଭିୟର ସାଇକ୍ଲୋନ୍) ‘ତିତ୍ଲୀ’ ଗୁରୁବାର ଭୋର ୪ଟା ୩୦ରୁ ୫ଟା ୩୦ ମଧ୍ୟରେ ଆନ୍ଧ୍ରପ୍ରଦେଶର ପଲାସାଠାରେ ସ୍ଥଳଭାଗ ଛୁଇଁଛି । ଏହାସହ ୫ଟା୩୦ରେ ଗୋପାଳପୁର ସ୍ଥଳଭାଗ ଛୁଇଁବା ସହ ଘଣ୍ଟାପ୍ରତି ୧୨୬ କିମି ବେଗରେ ପବନ ବହିଥିଲା । ଏହା ଘଣ୍ଟାପ୍ରତି ୧୪ କିମି ବେଗରେ ଗତି କରି ଗୁରୁବାର ୧୧.୩୦ ସୁଦ୍ଧା ଦକ୍ଷିଣ ଓଡ଼ିଶାର ପଶ୍ଚିମ ଦିଗରୁ ଗୋପାଳପୁର ଠାରୁ ୧୧୦ କିମି ଏବଂ ଦକ୍ଷିଣ-ପୂର୍ବ ଦିଗରେ ଫୁଲବାଣୀ ଠାରୁ ୧୪୦ କିମି ଦୂରରେ ରହିଛି । ସନ୍ଧ୍ୟା ସୁଦ୍ଧା ଏହା ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହେବ । ଶୁକ୍ରବାର ସକାଳ ସୁଦ୍ଧା ଡିପ୍ ଡିପ୍ରେସନ୍ (ତୀବ୍ର ଅବପାତ) ରୂପ ନେବ । ଏହା ଦୁର୍ବଳ ହେବା ସହିତ କଳାହାଣ୍ଡି, ରାୟଗଡ଼ା, ନୟାଗଡ଼, ବୌଦ୍ଧ, ମାଲକାନଗରି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ପ୍ରବେଶ ନକରିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ୧୩ ତାରିଖ ବେଳକୁ ବର୍ଷା କମିଯିବା ସହିତ ପାଗରେ ପରିବର୍ତ୍ତନ ଆସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସେଆର କରନ୍ତୁ:



Powered by odothemes.com