rajya-bidhansabha-gruha-commitee-baithak-(6)

ଆସିଲେନି ଅଭିଜିତ୍, ୨୩ରେ ହାଜର ହେବାକୁ ସାନି ନୋଟିସ୍

137

ଭୁବନେଶ୍ୱର, ୧୧ ।୧୦ (ବୁ୍ୟରୋ): ଓଡ଼ିଶା ଏବଂ ଓଡ଼ିଆ ସଂସ୍କୃତି ପରମ୍ପରା ବିରୋଧରେ ଅରୁଚିକର ମନ୍ତବ୍ୟ ଦେବା ସହ ବିଧାନସଭା ଓ ବିଧାୟକଙ୍କ ବିରୋଧରେ କଟୁମନ୍ତବ୍ୟ ଦେଇଥିବା ସାମ୍ବାଦିକ ଅଭିଜିତ୍ ଆୟାର ମିତ୍ର ଆଜି ବ୍ୟକ୍ତିଗତ ହାଜିର ପାଇଁ ବିଧାନସଭା ଗୃହ କମିଟି ନୋଟିସ୍ କରିଥିଲା । ନୋଟିସ୍ ପାଇବା ପରେ ଅଭିଜିତ୍ କରିଥିବା ନିଜ ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରି ନିଜର ତ୍ରୁଟି ଗୃହ କମିଟି ନିକଟରେ ଲିଖିତ ଭାବେ ଜଣାଇଛନ୍ତି । ତିତଲି ମହାବାତ୍ୟା କାରଣରୁ ଓଡ଼ିଶା ମଧ୍ୟକୁ ରେଳଚଳାଚଳ ଓ ବିମାନ ଉଡ଼ାଣ ବାଧାପ୍ରାପ୍ତ ହୋଇଥିବାରୁ ଆଜିର ଏହି ବୈଠକର ଶୁଣାଣିକୁ ଆସନ୍ତା ଅକ୍ଟୋବର ୨୩ ଯାଏ ଘୁଞ୍ଚାଇ ଦିଆଯାଇଛି । ଏନେଇ ଅଭିଜିତ୍ଙ୍କୁ ପୁଣି ନୋଟିସ୍ ଦିଆଯାଇଛି ବୋଲି ଗୃହକମିଟି ଅଧ୍ୟକ୍ଷ ତଥା ବିରୋଧୀଦଳ ନେତା ନରସିଂହ ମିଶ୍ର ସୂଚନା ଦେଇଛନ୍ତି ।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଗୁରୁବାର ଏ ସଂକ୍ରାନ୍ତରେ ଗୃହ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସଦସ୍ୟ ସଞ୍ଜୟ କୁମାର ଦାସବର୍ମା, ଦେବୀ ମିଶ୍ର, ଅରୁଣ କୁମାର ସାହୁ, ପ୍ରମିଳା ମଲ୍ଲିକ ଓ କେ.ବି. ସିଂହଦେଓଙ୍କ ଉପସ୍ଥିତିରେ ଅଭିଜିତ୍ ଆୟାର ଦେଇଥିବା ଲିଖିତ କ୍ଷମା ପ୍ରାର୍ଥନା ଉପରେ ଆଲୋଚନା ଓ ତର୍ଜମା କରାଯାଇଥିଲା । ବୈଠକ ପରେ କମିଟି ଅଧ୍ୟକ୍ଷ ଶ୍ରୀ ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ଅଭିଜିତ୍ ଆୟାର ଅକ୍ଟୋବର ୧୧ ତାରିଖରେ ଗୃହ କମିଟି ସମ୍ମୁଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୋଟିସ୍ ଦିଆଯାଇଥିଲା । ଏ ସଂକ୍ରାନ୍ତରେ ଅଭିଜିତ୍ ଆୟାର ନିର୍ଦ୍ଧାରିତ ତାରିଖରେ ବ୍ୟକ୍ତିଗତ ହାଜର ହେବା ପାଇଁ ମେଲ୍ ଯୋଗେ ଜଣାଇଥିଲେ । ଅନ୍ୟ ଏକ ମେଲ୍ରେ ଅଭିଜିତ୍ କହିଥିଲେ ଯେ, ମୁଁ ଅକ୍ଷମଣୀୟ ଅପରାଧ କରିଛି, ଯାହା କରିଛି ତାହା କରିବା ଉଚିତ୍ ନଥିଲା । ମୁଁ ସେଥିପାଇଁ କ୍ଷମା ମାଗୁଛି ଏବଂ ମୋର ଭୁଲ୍ ସ୍ୱିକାର କରୁଛି । ଏଣୁ ମୋତେ କ୍ଷମା ଦିଅନ୍ତୁ ବୋଲି ଗୃହ କମିଟିକୁ ଜଣାଇଥିଲେ । ଯେହେତୁ ଅଭିଜିତ୍ ଗୃହ କମିଟି ନିକଟରେ ହାଜର ହେବାପାଇଁ ନୋଟିସ୍ ହୋଇଛି ତେଣୁ ସେ ବ୍ୟକ୍ତିଗତ ହାଜର ହେବାକୁ ବାଧ୍ୟ । ଯେହେତୁ ରାଜ୍ୟରେ ବାତ୍ୟା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ହୋଇଛି ଏବଂ ଟ୍ରେନ୍ ଓ ବିମାନ ଚଳାଚଳ ବାତିଲ ହୋଇଥିବା ଖବର ପ୍ରଚାରିତ ହୋଇଛି, ଏହାକୁ ଦୃଷ୍ଟିରେ ରଖି ଅଭିଜିତ୍ଙ୍କୁ ଆଉ ଏକ ମହଲତ ଦେବାପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଆସନ୍ତା ଅକ୍ଟୋବର ୨୩ ତାରିଖରେ ସେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ଦିନ ୧୧ଟା ସମୟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ତାଙ୍କ ପକ୍ଷ ରଖିବାକୁ ନୋଟିସ୍ କରାଯାଇଛି ବୋଲି ଗୃହକମିଟି ଅଧ୍ୟକ୍ଷ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com